ସୁଧୁରୁନି ଜଗତସିଂହପୁର–ରଘୁନାଥପୁର ରାସ୍ତାର ଦୁରବସ୍ଥା; ୧୩ କିମି ରାସ୍ତାକୁ ୧୩ ବର୍ଷରେ ୧୩ କୋଟି ଖର୍ଚ୍ଚ

ରାସ୍ତା ସଂପ୍ରସାରଣ ନହେଲେ ଜନଆନ୍ଦୋଳନ ଚେତାବନୀ

ଜଗତସିଂହପୁର ସଦର: ଜଗତସିଂହପୁର ସଦରମହକୁମା ଠାରୁ ରଘୁନାଥପୁର ବ୍ଲକ ପର୍ଯ୍ୟନ୍ତ ଯାଇଥିବା ୧୩କିମି ରାସ୍ତା ପୁନର୍ନମାଣରେ ବିଗତ ୧୩ ବର୍ଷ ଭିତରେ ଖର୍ଚ୍ଚ ହେଲାଣି ୧୩ କୋଟି। କିନ୍ତୁ ଦୈନିକ ଶହଶହ ସଂଖ୍ୟାରେ ଯାନବାହନ ଯାତାୟତ କରୁଥିବା ବେଳେ ଅଣଓସାରିଆ ରାସ୍ତା କାରଣରୁ ଦୁଇଟି ଗାଡ଼ି ପରସ୍ପରକୁ ଅତିକ୍ରମ କରିବା ମୁସ୍କିଲ ହୋଇ ପଡ଼େ। ବାଟରେ ଏପରି ପରିସ୍ଥିତି ଆସିଲେ ଘଣ୍ଟାଘଣ୍ଟା ଧରି ରାସ୍ତା ଜାମ ହେବା ନଜିର ରହିଛି। ଜଗତସିଂହପୁର ବ୍ଳକର ପୁନଙ୍ଗ,ପଳାଶୋଳ, ଅଳା, ସମଙ୍ଗ, ଅୟର, ରଘୁନାଥପୁର ବ୍ଲକ୍‌ର ସାଦେଇପୁର, ଅଢେ଼ଇକୁଳ, ରଘୁନାଥପୁର, ଜଗନ୍ନାଥପୁର ଓ ଧରାଧରପୁର ପ୍ରଭୃତି ୧୦ଟି ପଂଚାୟତ ଏହି ରାସ୍ତା ଉପରେ ନିର୍ଭରଶୀଳ। ଏମିତିକି ଜଗତସିଂହପୁର ଜିଲ୍ଲା ସଦର ମହକୁମାକୁ ଆସିବାକୁ ହେଲେ କଟକ ଓ କେନ୍ଦ୍ରାପଡ଼ା ଜିଲ୍ଲାର ଲୋକେ ମଧ୍ୟ ଏହି ରାସ୍ତାରେ ଆସିଥାନ୍ତି।

ଦୀର୍ଘ ବର୍ଷ ପରେ ଅବଶ୍ୟ ପୂର୍ତ ବିଭାଗ ଜଗତସିଂହପୁରରୁ ଶିର୍ଲୋ ଭାୟା ରଘୁନାଥପୁର ୧୫.୮ କିମି ରାସ୍ତା ନିର୍ମାଣ ପାଇଁ ୮ କୋଟି ଟଙ୍କାର ଟେଣ୍ଡର ପ୍ରକ୍ରିୟା ଆରମ୍ଭ ହୋଇଥିବାରୁ ସମସ୍ୟାର ସମାଧାନ ହୋଇଯିବ ବୋଲି ବିଭାଗୀୟ ନିର୍ବାହୀ ଯନ୍ତ୍ରୀ ନିମାଇଁ ଚରଣ ଦାସ ସୂଚନା ଦେଇଛନ୍ତି।
ଏହି ରାସ୍ତାର ରଘୁନାଥପୁର ଠାରୁ ଶିର୍ଲୋ ପର୍ଯ୍ୟନ୍ତ ରାସ୍ତା ୧୨ଫୁଟ ପ୍ରଶସ୍ତ କରାଯାଇଥିବା ବେଳେ ରଘୁନାଥପୁର ଠାରୁ ସାଦେଇପୁର ଦେଇ ଜିଲ୍ଲା ମୁଖ୍ୟାଳୟକୁ ସଂଯୋଗ କରିଥିବା ରାସ୍ତା ୮ରୁ ୯ଫୁଟ ପ୍ରଶସ୍ତ ଥିବାରୁ ସମସ୍ୟା ଜଟିଳ ହେଉଛି। ଏହି ରାସ୍ତା ଉପରେ ନିର୍ଭରଶୀଳ ୧୦ଟି ପଂଚାୟତବାସୀ ଦୀର୍ଘଦିନ ହେବ ମନ୍ତ୍ରୀ, ବିଧାୟକ ଓ ବିଭାଗୀୟ କର୍ତୃପକ୍ଷଙ୍କ ଦୃଷ୍ଟିଆକର୍ଷଣ କରି ଦାବି କରିଆସୁଥିଲେ ହେଁ କୌଣସି ସୁଫଳ ମିଳିପାରି ନାହିଁ।

ଏମିତିକି ଗଲା ନିର୍ବାଚନ ବେଳେ ଏହି ରା୍ସତା ପ୍ରସଙ୍ଗକୁ ନେଇ ଲୋକେ ବିଧାୟକପ୍ରାର୍ଥୀମାନଙ୍କର ଦୃଷ୍ଟିଆକର୍ଷଣ କରି ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ହାସଲ କରିଥିଲେ। ବିଡ଼ମ୍ବନା ହେଲା ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଯୋଜନାରେ ଗାଁ ଗହଳିରେ ୧୨ଫୁଟର ଚଉଡା ଢଳେଇ ରାସ୍ତା ହୋଇଥିଲେ ହେଁ ରଘୁନାଥପୁର – ଜଗତସିଂହପୁର ମୁଖ୍ୟ ଏପରି ଅଣ ଓସାରିଆ ପିଚୁ ରାସ୍ତା ଯୋଗୁଁ ଜନସାଧାରଣ‌ ସମସ୍ୟାରେ ପଡ଼ୁଛନ୍ତି।
ଏହି ରାସ୍ତା ନିର୍ମାଣ କାର୍ଯ୍ୟ ଆରମ୍ଭ କରାନଗଲେ ଦୁଇଟି ବ୍ଳକର ଅଂଚଳବାସୀ ଆନ୍ଦୋଳନାତ୍ମକ ପନ୍ତା ଗ୍ରହଣ କରିବେ ବୋଲି ବରିଷ୍ଠ ନାଗରିକ ଗୋଲକ ମହାରଣା, ବିଭୁରଂଜନ ମହାନ୍ତି, ଗୁଲୁରି ସାହୁ,କୈଳାସ ଚନ୍ଦ୍ର ଲେଙ୍କା, ସଂଗ୍ରାମ ମହାନ୍ତି, ସୁବାସ ବେହେରା,ସୁବାସ ବିଶ୍ବାଳ, ଅଶୋକ ମହାରଣା, ନିରଂଜନ ବେହେରା, ବସନ୍ତ କୁମାର ସ୍ବାଇଁ, ହିମାଂଶୁ ନାୟକଙ୍କ ସମେତ ବହୁ ଅଂଚଳବାସୀ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର