ବନ୍ଧୁକ ମୁନରେ ଶିକ୍ଷକ ରବି ନାରାୟଣଙ୍କୁ ଅପହରଣ ଘଟଣା; ତିର୍ତୋଲ ପୁଲିସ୍‌ ପଞ୍ଝାରେ ୪

ଜଗତସିଂହପୁର: ତିର୍ତୋଲ ଥାନା ଅଧୀନ ଏରଡଙ୍ଗା ପଂଚାୟତ ବ୍ରାହ୍ମଣବାଡ଼ିର ଶିକ୍ଷକ ରବି ନାରାୟଣ ମିଶ୍ରଙ୍କୁ ବନ୍ଧୁକ ମୁନରେ ଅପହରଣ ଘଟଣାର ୫ ଦିନ ପରେ ପୁଲିସ୍‌ ପଞ୍ଝାକୁ ଆସିଛନ୍ତି ୪ ଦୁର୍ବୃତ୍ତ। ଏହି ଅପହରଣ ଘଟଣାରେ ପୁଲିସ୍‌ ହାତରେ ସଫଳତା ମିଳିଥିଲେ ହେଁ ଅଧିକ ଛାନଭିନ୍‌ ପାଇଁ ଦୁର୍ବୃତ୍ତଙ୍କୁ ଅଜ୍ଞାତ ସ୍ଥାନରେ ରଖି ପଚରାଉଚୁରା ଚଳାଇଥିବା ଏକ ବିଶ୍ବସ୍ତ ସୂତ୍ରରୁ ଜଣାପଡ଼ିଛି। କିନ୍ତୁ ତଦନ୍ତ ବ୍ୟାହତ ଆଶଙ୍କାରେ ତିର୍ତୋଲ ପୁଲିସ୍‌ ଏବାବଦରେ ମୁହଁ ଖୋଲି ନାହିଁ। ସେହି ଯୁବକମାନଙ୍କୁ ଚିହ୍ନଟ କରିବା ପାଇଁ ଅପହୃତ ହୋଇଥିବା ଶିକ୍ଷକ ରବି ନାରାୟଣଙ୍କୁ ନେଇ ପୁଲିସ ସେମାନଙ୍କ ସହ ମୁହାଁମୁହିଁ ମଧ୍ୟ କରିଛି। ରବି ନାରାୟଣଙ୍କ ମୁହଁକୁ କପଡ଼ାରେ ବନ୍ଧା ହୋଇଥିଲେ ମଧ୍ୟ ସେ ଅଟକ ଥିବା ଯୁବକମାନଙ୍କ କଣ୍ଠ ସ୍ବର ଜାଣିପାରିଥିଲେ ଓ ତାଙ୍କୁ ଯେଉଁ ଟାଟା ମ୍ୟାଜିକ୍‌ରେ ଏହି ଯୁବକମାନେ ରାତି ସାରା ବୁଲାଇଥିଲେ ସେହି ଗାଡ଼ିର ରଙ୍ଗରୁ ହିଁ ଅନେକ କିଛି ଠଉରାଇଥିଲେ।

ଶେଷକୁ ପୁଲିସ ଏହି ଚାରି ଜଣ ସିଧାସଳଖ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନୁମାନ କରିବା ସହ ସେମାନଙ୍କ ମୋବାଇଲ୍‌ କଲ୍‌ ରେକର୍ଡ଼ରୁ ମଧ୍ୟ ଅନେକ କିଛି ସୁରାକ୍‌ ପାଇଛି। ତେବେ ଏହି ଖୁଚୁରା ଗ୍ୟାଙ୍ଗ୍‌ ହୋଇଥିଲେ ହେଁ ବଡ଼ ଅପରାଧରେ ହାତ ମାରି ଜିଲ୍ଲାର ଡନ୍‌ ହେବା ଯୋଜନାରେ ଥିବା ବେଳେ ପୁଲିସ୍‌ ପଞ୍ଝାରୁ ବର୍ତ୍ତି ପାରିନାହାନ୍ତି ବୋଲି ଚର୍ଚ୍ଚା ହେଉଛି।
ରବି ନାରାୟଣଙ୍କ ଅପହରଣଙ୍କୁ ଚାରି ଦିନ ବିତିଯାଇଥିଲେ ମଧ୍ୟ ପୁଲିସ ହାତ ଖାଲି ରହିଥିଲା। ଏ ସମ୍ପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ପୁଲିସ ଉପରେ ଚାପ ବଢ଼ିଥିଲା ଓ ତଦନ୍ତକାରୀ ଅଧିକାରୀ ଦିନରାତି ଛାନଭିନ୍‌ କରି ପୂର୍ବର ଏକ ଅପରାଧ ଘଟଣାର ଖିଅ ଖୋଜି ସନ୍ଦେହରେ ସେହି ୪ ଜଣଙ୍କୁ ଉଠାଇ ଆଣିଥିଲା। ଯୁବକମାନେ ତିର୍ତୋଲ ଅଂଚଳର ବୋଲି ମଧ୍ୟ ସ୍ପଷ୍ଟ ହୋଇଥିଲା। ପର୍ଯ୍ୟାୟକ୍ରମେ ୭ଜଣଙ୍କୁ ଆଣି କୁଜଙ୍ଗ, ପାରାଦୀପ ଓ ରଘୁନାଥପୁର ଅଂଚଳରେ ପଚରାଉଚୁରା ବେଳେ ଦୁଇ ଜଣ ସବୁ ସତ ଓଗାଳି ଦେଇଥିଲେ।

ସେମାନେ ଲୁଟିଥିବା ମୁର୍ଡଜାମିନ୍‌ ବାବଦ ପ୍ରାୟ ୪ ଲକ୍ଷ ଟଙ୍କା କେଉଁଠି ଭାଗ ବାଣ୍ଟିଥିଲେ ଓ କାହା ପାଖରେ କେତେ ଥିଲା ସେନେଇ ପୁଲିସଖ ଖୋଳତାଡ଼ ଚଳାଇଛି। ଉଲ୍ଲେଖଯୋଗ୍ୟ ପ୍ରାଥମିକ ସ୍କୁଲ ଶିକ୍ଷକ ଥିବା ରବି ନାରାୟଣଙ୍କ ଦରମା ସହ କ୍ବାକ୍ କାମରୁ ମିଳୁଥିବା ମୋଟା ଟଙ୍କା ଉପରେ ଏହି ଯୁବକମାନଙ୍କ ନଜର ରହିଥିଲା। ସେଠାରୁ କେବଳ ମୋଟା ଅଙ୍କର ପଣି ଆଦାୟ ଲକ୍ଷ୍ୟ ନେଇ ଅପହରଣ ଯୋଜନା କରାଯାଇତିବା ଆଶଙ୍କା ସମ୍ପର୍କରେ ‘ସମ୍ବାଦ’ରେ ଆଜି ଯେଉଁ ଖବର ପ୍ରକାଶ ପାଇଥିଲା ତାର ସତ୍ୟତା ଧୀରେ ଧୀରେ ସାମ୍ନାକୁ ଆସୁଛି।

ସମ୍ବନ୍ଧିତ ଖବର