ବନ୍ୟା ଉଜାଡ଼ିଦେଲା ପନିପରିବା ଚାଷ

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ପନିପରିବା ଚାଷୀର ମେରୁଦଣ୍ତ ଭାଂଗି ଦେଇଛି ଲଘୁଚାପ ଜନିତ ଲଗାଣ ବର୍ଷା। ତା ସାଙ୍ଗକୁ ଦାଉ ସାଦିଛି ବନ୍ୟା। ନାଉଗାଁ ବ୍ଲକ ଦେଇ ପ୍ରବାହିତ ଦେବୀ, ଅଳକା ଓ ଗୋବରୀ ନଦୀର ଉପତ୍ୟକାରେ ବର୍ଷ ତମାମ ଚାଷୀ ପନିପରିବା ଚାଷ କରି ଗୁଜୁରାଣ ମେଂଟାଇଥାଏ।

ଚଳିତ ବର୍ଷ ବର୍ଷା ଋତୁରେ ଚାଷୀ ଏହି ଅଂଚଳ ଦେଇ ପ୍ରବାହିତ ନଦୀ ପଠାରେ ଚାଷ କରିଥିଲା ବାଇଗଣ, ପୋଟଳ, ଭେଣ୍ତି, ଟମାଟୋ ଓ କାକୁଡି ଭଳି ଭଳିକି ଭଳି ପନିପରିବା, ଖର୍ଚ୍ଚ କରିଥିଲା ହଜାର ହଜାର ଟଙ୍କା। ଦିନ କେତଟା ଯାଇଥିଲେ କୋବି ଗଛ ଲଗାଯାଇଥାନ୍ତା, କିନ୍ତୁ ସବୁ ଉଜାଡି ଦେଲା ଲଘୁଚାପ ଜନିତ ଲଗାଣ ବର୍ଷା, ସାଙ୍ଗକୁ ଦାଉ ସାଜିଲା ବନ୍ୟା ଜଳ ବୋଲି ଅଭିଯୋଗ କରିଛନ୍ତି ଡାବର ପଂଚାୟତର ଚାଷୀ ପବିତ୍ର ସେଠୀ, ଫକିର ସେଠୀ, ନିରଂଜନ ସାହୁ, କଣ୍ତୁରି ବିଶ୍ବାଳ ପ୍ରମୁଖ।

ସେହିପରି ସିଖର ପଂଚାୟତର ଦେବୀ ନଦୀ ଉପତ୍ୟାକାରେ ଚଳିତ ବର୍ଷ ଚାଷୀ ପୋଟଳ ବାଇଗଣ ବିନ ଓ ବିଲାତି ପ୍ରଭୃତି ଚାଷ କରିଥିଲେ। ମାଟି ଦୋରଷା କିସମର ହୋଇଥିବାରୁ ଏଠାରେ କୋବି ଚାଷ ଭଲ ହୋଇଥାଏ। ଚାଷୀ କରିଥିବା କୋବି ଚାରା ଘେର ସହିତ ପୋଟଳ ଚାଷ ବର୍ଷାରେ ବୁଡି ସମ୍ପୁର୍ଣ୍ଣ ନଷ୍ଟ ହୋଇଯାଇଛି।

Sambad

ଏହି ପଂଚାୟତର ଅଙ୍ଗେଶ୍ବରପଡା ଗ୍ରାମର ଯୁବ ଚାଷୀ ନୃସିଂହ ଚରଣ ଲେଙ୍କା, ମନୋଜ ମାଣ୍ଡୋଇ, କାଳନ୍ଦୀ ପାତ୍ର, ପ୍ରକାଶ ମଲ୍ଲିକ, ବିକ୍ରମ ପୁହାଣଙ୍କ କହିବା ଅନୁସାରେ ଚଳିତ ବର୍ଷ ୩ ଏକର ଜମିରେ କୋବି ଚାଷ ପାଇଁ ଭାଦ୍ରବ ମାସର ଦ୍ବିତୀୟ ସପ୍ତାହରେ କୋବି ଓ ମୂଳା ପାଇଁ ବିହନ ଲଗାଯାଇଥିଲା। ବର୍ଷା ଛାଡିଗଲା ସତ, କିନ୍ତୁ କିଆରିରୁ ଜଳ ନିଷ୍କାସନ ହୋଇ ପାରିନଥିଲା। ଫଳରେ ବର୍ତମାନ ସବୁ ଗଛ ମୃତ ପ୍ରାୟ। କାକୁଡି ଗଛରେ ମୂଳସଢା ରୋଗ ଦେଖାଦେଇଛି।

ଚାଷୀମାନଙ୍କ ଅଭିଯୋଗ ଯେ ଚଳିତ ବର୍ଷ ଭାଦ୍ରବ ମାସରୁ ଏହି ଅଂଚଳ ଗୁଡିକରେ ପାଖାପାଖି ୫ ଏକରରୁ ଊର୍ଦ୍ଧ୍ବ ଜମିରେ କାକୁଡି ଲଗାଯାଇଥିଲା। ବିହନ ସାର ଓ କୀଟନାଶକ ଔଷଧ ଖର୍ଚ୍ଚକୁ ମିଶାଇ ଗୁଣ୍ଠ ପ୍ରତି ୧୮୦୦ ଟଙ୍କା ଖର୍ଚ୍ଚ ହୋଇଥାଏ। ରୋଗ ପୋକ ଓ ବଜାର ଦାମ ଯଦି ଠିକ ଥାଏ ତେବେ ଗୋଟିଏ ମାସରେ ଚାଷୀ ଗୁଣ୍ଠ ପ୍ରତି ୩୫୦୦ ରୁ ୪୦୦୦ ଟଙ୍କା ପାଇଥାଏ।

ସେହିପରି ମୁଖ୍ୟ ଫସଲ ଲଗାଯାଇଥିବା କୋବି ତଳି ଘେରଗୁଡିକରେ ପାଣି ପଶି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ଯାହାର ଚିହ୍ନବର୍ଣ୍ଣ ବି ନାହିଁ। ଠିକ ମଂଜି ଲଗାଇବା ସମୟରେ ବର୍ଷା ଦାଉ ସାଜିଥିଲା। ଚାଷୀଙ୍କ କହିବା ଅନୁଯାୟୀ ଗୋଟିଏ ଗୁଣ୍ଠ କୋବି ଚାଷ ପାଇଁ ୧୦୦୦ ଟଙ୍କା ଖର୍ଚ୍ଚ ହୋଇଥାଏ, ୬୦ ଦିନ ପରେ ଗଛରେ ଫଳ ଆସିବା ଆରମ୍ଭ ହୋଇଥାଏ। ସେହିପରି ଓଷକଣା, ଡେରିକ, କୋରୁଅ, ତିରୁଣା, ବାଂଶ ପ୍ରଭୃତି ପଂଚାୟତର ପନିପରିବା ଚାଷୀ ସମାନ ଅଭିଯୋଗ କରିଛନ୍ତି।

କୋରୁଅ ପଂଚାୟତର ଚାଷୀ ରମାକାନ୍ତ ଜେନା, ସୁଜିତ ବିଶ୍ବାଳ, ଗାରୋଇ ରାଜସ୍ବ ଗ୍ରାମର ଚାଷୀ ଉଲ୍ଲାସ ବିଶ୍ବାଳ, ଧୂଆଁପଦା ଗ୍ରାମର ମଙ୍ଗୁଳି ବିଶ୍ବାଳ, ଲକ୍ଷ୍ମୀଧର ସ୍ବାଇଁ, ବୃନ୍ଦବନ ସାହୁ ପ୍ରମୁଖ ପରିବା ଚାଷୀଙ୍କ ଚାଷ ସମ୍ପୂର୍ଣ୍ଣ ଉଜୁଡି ଯାଇଛି। ଏହି ବିଷୟକୁ ନେଇ ଜିଲ୍ଲା ଉଦ୍ୟାନ କୃଷି ବିଭାଗର ଉପନିର୍ଦ୍ଦେଶକ ମିହିର ସାମନ୍ତରାୟଙ୍କୁ ପଚାରିବାରୁ ସେ ଜିଲ୍ଲାର ପ୍ରତ୍ୟେକ ଅଂଚଳକୁ ବିଭାଗୀୟ କର୍ମଚାରୀଙ୍କୁ ପଠାଇ ତୃଣମୂଳ ସ୍ତରରୁ କ୍ଷୟକ୍ଷତି ଆକଳନ କରୁଥିବା କହିଥିଲେ।

ସମ୍ବନ୍ଧିତ ଖବର