ନିମ୍ନମାନର ଜଳ ପ୍ରକଳ୍ପ:୪ଟି ଗାଁ ଲୋକେ ପାନୀୟଜଳରୁ ବଞ୍ଚିତ

ଗୋପାଳପୁର: ରଘୁନାଥପୁର ସହକାରୀ ଯନ୍ତ୍ରୀଙ୍କ ଅଧିନସ୍ଥ ଧରାଧରପୁର ପଞ୍ଚାୟତର ୪ଟି ଗାଁ ଲୋକେ ପାନୀୟଜଳ ପାଇବାରୁ ବଞ୍ଚିତ ହୋଇଛନ୍ତି। କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ପୋଗୁଁ ଲୋକଙ୍କୁ ଏଭଳି ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି।
ଏହି ପଞ୍ଚାୟତର ବସନ୍ତାଠାରୁ କୋଟକଣା ଗ୍ରାମକୁ ପାନୀୟ ଜଳ ଯୋଗାଇବା ପାଇଁ ୨୦୧୪ମସିହାରେ ନେଦାଳ ପାଲିମାଣ ମଠ ପରିସରରେ ୧୦ଲକ୍ଷ ଟଙ୍କା ବ୍ୟୟରେ ପାନୀୟ ଜଳ ପ୍ରକଳ୍ପ କରାଯାଇଥିଲା। ଏହି ପ୍ରକଳ୍ପରୁ ବସନ୍ତା, ବଡ଼ ବସନ୍ତା, ନେଦାଳ ଓ କୋଟକଣା ଗ୍ରାମକୁ ପାନୀୟ ଜଳ ଯୋଗାଇବାକୁ ଯୋଜନା ରହିଥିଲା। ପ୍ରକଳ୍ପ ନିର୍ମାଣ କରାଯିବା ପାଇଁ ତିନିଜଣ ଠିକାଦାରଙ୍କୁ ନିଯୁକ୍ତି କରାଯାଇଥିଲା। ହେଲେ, ପ୍ରକଳ୍ପରେ ବ୍ୟବହାର କରାଯାଇଥିବା ପାଇପଗୁଡିକ ଅତ୍ୟନ୍ତ ନିମ୍ନମାନର ଥିଲା। ୩ଫୁଟ ଗଭୀରରେ ପାଇପ୍‌ ବସିବାର ନିୟମ ଥିବା ବେଳେ ପାଇପ୍‌ଗୁଡିକ ମାତ୍ର ୧ଫୁଟରୁ ଦେଢ଼ଫୁଟ ମଧ୍ୟରେ ବସାଇ ଦିଆଯାଇଥିଲା। ଫଳରେ ଗୋରୁଗାଈ ଯିବା ସମୟରେ ପାଇପ୍‌ଗୁଡ଼ିକ ଭାଙ୍ଗି ନଷ୍ଟ ହୋଇ ଯାଇଥିଲା। ବର୍ତ୍ତମାନ ଏହି ପ୍ରକଳ୍ପରୁ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି। ଏ ନେଇ ସେମାନେ ସହକାରୀ ଯନ୍ତ୍ରୀଙ୍କୁ ବାରମ୍ବାର ଅଭିଯୋଗ କରିବା ପରେ ମରାମତି ପାଇଁ ଲକ୍ଷ୍ମୀ ସାନିଟାରୀକୁ ଦେଢ଼ଲକ୍ଷ ଟଙ୍କାର ଟେଣ୍ଡର ଦିଆଯାଇଥିଲା। କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ପାଇପ୍‌ ପରିବର୍ତ୍ତନ ନହେବା ଫଳରେ କାର୍ଯ୍ୟର ସ୍ଥାୟିତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ପାଣି କେତେକ ଗ୍ରାମକୁ ଦିଆଯାଉଥିଲେ ବି ସେଥିରେ ବାରମ୍ବାର ସମସ୍ୟା ଦେଖା ଦେଉଛି। ପ୍ରକଳ୍ପରେ କରାଯାଇଥିବା ନିମ୍ନମାନର କାର୍ଯ୍ୟକୁ ତଦନ୍ତ କରାଯିବାକୁ ଧରାଧରପୁର ପଞ୍ଚାୟତବାସୀ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର