ତିର୍ତୋଲ (ଜୟନ୍ତ ପରିଜା): ଜଗତସିଂପୁର ଜିଲ୍ଲାର ପ୍ରସିଦ୍ଧ ପ୍ରାଚୀନ ଶକ୍ତିପୀଠ ‘ବାଣୀ କ୍ଷେତ୍ର’ ଝଙ୍କଡ଼ ଶାରଳା ପୀଠରେ ଗତ ୧୪ ତାରିଖ ଠାରୁ ମୂଳାଷ୍ଟମୀ ଅବସରରେ ଆରମ୍ଭ ହୋଇଥିବା ସାର୍ବଜନୀନ ଶାରଦୀୟ ପାର୍ବଣ ପୂଜା ଆଜି (ସୋମବାର) ମହାଷ୍ଟମୀରେ ପହଞ୍ଚିଛି। ମାଆଙ୍କ ପୂଜା ଧୁମ୍ଧାମର ସହିତ ପାଳିତ ହେଉଛି। ଦୀର୍ଘ ୧୬ ଦିନ ଧରି ମା ଶାରଳାଙ୍କ ପାର୍ବଣ ପୂଜା ବୈଦିକ ବିଧିବିଧାନରେ ଅନୁଷ୍ଠିତ ହେଉ ଥିବା ବେଳେ ଆଜି ମହାଷ୍ଟମୀ ପୂଜା ଅନୁଷ୍ଠିତ ହେବ ଏହି ଉପଲକ୍ଷେ ପ୍ରତିଦିନ ପ୍ରାତଃ ସମୟରେ ମଙ୍ଗଳ ଆଳତି, ମଧୁସ୍ନାନ, ଦଶଦିଗପାଳ ପୂଜା, ପାର୍ଶ୍ଵ ଦେବଦେବୀ ପୂଜା, ପଞ୍ଚାମୃତ ମାର୍ଜନା ପରେ ଅପୂର୍ବ ମନୋରମ ବେଶରେ ମାଆଙ୍କୁ ସଜ୍ଜିତ କରାଯାଇଥାଏ।
ଦୈନିକ ପାଞ୍ଜିପାଠ, ସୂର୍ଯ୍ୟପୂଜା, ଚଣ୍ଡୀପାଠ, ପ୍ରଥମ ପ୍ରହର ଧୂପ, ବଡସିଂହାର, ଷୋଡ଼ଶ ଉପଚାର ପୂଜା ଓ ବିଶ୍ଵଶାନ୍ତି ମହାଯଜ୍ଞରେ ଆହୂତି ପ୍ରଦାନ କରାଯାଇଥିବା ବେଳେ, ସନ୍ଧ୍ୟାଆରତୀ ବେଶ ଦର୍ଶନ ପରେ, ନାଟ୍ୟ ମଣ୍ଡପରେ ପୁରାଣପଣ୍ଡାଙ୍କ ଦ୍ଵାରା ଶୂଦ୍ରମୁନି ଆଦିକବି ସାରଳା ଦାସଙ୍କ ବିରଚିତ ଚଣ୍ଡୀ ପୁରାଣ ପାଠ ସହିତ ପ୍ରତିଦିନ ରାତି ୧୦ ଟା ବେଳେ ସମ୍ପୂର୍ଣ୍ଣ ସୁନାବେଶ ଦର୍ଶନ ଆଦି ନୀତି କାନ୍ତି ଋତିନିତିରେ ସମାହିତ ହେଉଛି।
ଚଳିତ ବର୍ଷ ସେପ୍ଟେମ୍ୱର ୨୨ ତାରିଖରୁ ଠାରୁ ମାଆଙ୍କ ନବରାତ୍ର ପୂଜା ଆରମ୍ଭ ହୋଇଥିବା ବେଳେ ଏହି ଉପଲକ୍ଷେ ରାତି ୯ଟା ବେଳେ ମାଆଙ୍କର ଚଳନ୍ତିପ୍ରତିନିଧି ବିଜେପ୍ରତିମାଙ୍କୁ ଏକ ସୁସଜ୍ଜିତ ମଣିମୟ ବିମାନ ଆରୋହଣ କରାଯାଇ, ନଗରପରିକ୍ରମା ବା ଦାଣ୍ଡଯାତ୍ରାରେ ବିଜେ କରାଯାଉଛି। ସମ୍ମୁଖରେ ବନ୍ଦିଆ ଜଳୁ ଥାଏ, ଆଲଟ, ଚାମର ପଡ଼ୁଥାଏ, ଛତା, ତରାସ ଚଳିବା ସହିତ ଘଣ୍ଟ ଘଣ୍ଟା କାହାଳୀ, ଭେରି ତୁରୀ, ଢୋଲ ମହୁରୀ, ନାମ ସଙ୍କୀର୍ତ୍ତନ ଓ ହରିବୋଲ ହୁଳହୁଳି ଧ୍ବନିରେ ଝଙ୍କଡ ର ଗାଁ ଦାଣ୍ଡ ପ୍ରକମ୍ପିତ ହୋଇଉଠୁଛି।
ପ୍ରଥମ ଦିନ ପାଚିରୀ କଣ ବାଟ, ଦ୍ବିତୀୟ ଦିନ ଗୋବିନ୍ଦଜୀଉ ଙ୍କ ମଠ, ତୃତୀୟ ଦିନ ଗୋପାଳମାନଙ୍କ ଗୋଠ, ଚତୁର୍ଥ ଦିନ ସାରଳା ପର୍ଶୁରାମ ଭେଟ, ପଞ୍ଚମ ଦିନ ଗୁପ୍ତ ଚନ୍ଦ୍ରଭାଗା ନଦୀର ବିଶ୍ବମ୍ବର ଘାଟ ଓ ୬ ଷଷ୍ଠ ଦିବସରୁ ଦଶହରା ପର୍ଯ୍ୟନ୍ତ, ବଡଶାରୋଳ ଗ୍ରାମର ଲଣ୍ଡାଦେଉଳ ସ୍ଥିତ ପ୍ରାଚୀନ ପୀଠ ସ୍ଥଳୀକୁ ଯାତ୍ରା କରି ପୁନଶ୍ଚ ସ୍ଵପୀଠକୁ ପ୍ରତ୍ୟାବର୍ତ୍ତନ କରି ଥାଆନ୍ତି।
ସେପ୍ଟେମ୍ବର ୨୭/୨୮/୨୯ ତାରିଖ ଠାରୁ ଆଜି (ମହାଷ୍ଟମୀ) ଦିନ ସଂଧ୍ୟାର ଅପୂର୍ବ ମହିଷମର୍ଦ୍ଦିନୀ ବେଶରେ ମାଆ ଶ୍ରଦ୍ଧାଳୁ ଭକ୍ତମାନଙ୍କୁ ଦର୍ଶନ ଦେଉଛନ୍ତି। ରାତି ୧୦ଟା ବେଳେ କାକିକା ନୃତ୍ୟ ପରିବେଷଣ କରାଯାଉଛି। ମହାଷ୍ଟମୀ ଦିନ ମାଆ ପ୍ରାଚୀନ ପୀଠ ଲଣ୍ଡାଦେଉଳରୁ ଫେରିବା ପରେ, ମନ୍ଦିର ସୌଧ କରାଯାଇ, ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯିବା ପରେ ସନ୍ଧିପୂଜା ବସିବ। ଅଷ୍ଟମୀ ଯାଉଥିବ ଓ ନବମୀ ଆସୁଥିବ ଏହି ସନ୍ଧି କ୍ଷଣକୁ ସନ୍ଧିପୂଜା ବୋଲି ଅଭିହିତ କରାଯାଏ। ପୂର୍ବ କାଳରେ ଏହି ପୂଜାରେ ଏକ ଜୀବନ୍ତ ମହିଷକୁ ବଳୀ ଦିଆଯାଉଥିଲା। ଏହି ବଳୀ ପରିବର୍ତ୍ତେ ୧୦୮ ପ୍ରକାରର ଭୋଗ ସହିତ ଏକ ବଳୀପଣା ହାଣ୍ଡି ମାଆଙ୍କୁ ଅର୍ପଣ କରାଯାଉଛି।
ଏହି ପାର୍ବଣ ପୂଜାରେ ମଣ୍ଡଭୋଗ ଏକ ସ୍ବତନ୍ତ୍ର ନୀତି କରାଯାଇଥିବା ବେଳେ ନୂଆଧାନରୁ ପ୍ରସ୍ତୁତ ଚୁଡ଼ାଘଷା ଭୋଗ ମଧ୍ୟ ଭକ୍ତମାନେ ନିଜ ହାତରେ ପ୍ରସ୍ତୁତ କରି ମାଆଙ୍କୁ ଭୋଗ ଲାଗି କରିଥାଆନ୍ତି। ମହାଷ୍ଟମୀ ପୂଜା ପରେ ନବମୀ ଓ ଦଶହରା ପୂଜା ଅନୁଷ୍ଠିତ ହୋଇ ଥାଏ। ମହାଷ୍ଟମୀ ଓ ଦଶହରl ଦିନ ଏହି ପୀଠରେ ହଜାର ହଜାର ଭକ୍ତଙ୍କ ସମାଗମ ହୋଇଥାଏ।
Jagatsinghpur | Sharala temple