ଏଟିଏମ୍‌ ଭାଙ୍ଗି ୧୨ ଲକ୍ଷ ଲୁଟ୍‌

ତିର୍ତ୍ତୋଲ : ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲରେ ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ୍‌ର ଏଟିଏମ୍‌ ଭାଙ୍ଗି ୧୨ ଲକ୍ଷରୁ ଅଧିକ ଟଙ୍କା ଲୁଟ୍‌ କରିଛନ୍ତି। ଆଜି ସକାଳେ ଗ୍ରାହକମାନେ ଏଟିଏମ୍‌କୁ ଟଙ୍କା ଉଠାଇବାକୁ ଯାଇ ମେସିନ୍‌ ଭଙ୍ଗାଯାଇଥିବା ଦେଖିଥିଲେ। ବ୍ୟାଙ୍କ ପକ୍ଷରୁ ଅଭିଯୋଗ ପାଇ ପୁଲିସ ଏହାର ତଦନ୍ତ ଆରମ୍ଭ କରିଛି। ତେବେ, ରିପୋର୍ଟ ଲେଖାଯିବା ପର୍ଯ୍ୟନ୍ତ ପୁଲିସକୁ ଲୁଟ୍‌ ଅର୍ଥ କିମ୍ବା ଲୁଟେରାଙ୍କ ସଂପର୍କରେ କୌଣସି ଟେର୍‌ ମିଳିନାହିଁ।

ଅଭିଯୋଗ ମୁତାବକ, ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ୍‌ର ଏକ ଏଟିଏମ୍‌ କାଉଣ୍ଟର୍‌ ତିର୍ତୋଲ ଥାନା ଅନ୍ତର୍ଗତ ମୂଳିସିଂ ପଞ୍ଚାୟତ ସହରହାଟରେ ଅଛି। ଗତକାଲି ମଧ୍ୟାହ୍ନରେ ବ୍ୟାଙ୍କ ପକ୍ଷରୁ ଏହି ମେସିନ୍‌ରେ ୧୭ଲକ୍ଷ ଟଙ୍କା ଭର୍ତ୍ତି କରାଯାଇଥିଲା। ମ୍ୟାନେଜର ହରିଶ ଚନ୍ଦ୍ର ନାୟକଙ୍କ କହିବା ମୁତାବକ ରାତି ୮ଟା ସୁଦ୍ଧା ଏହି ଏଟିଏମ୍‌ରୁ ୫ଲକ୍ଷ ଟଙ୍କା ଉଠାଯାଇଥିବା ନେଇ ତାଙ୍କ ମୋବାଇଲ୍‌କୁ ମେସେଜ୍‌ ଆସିଥିଲା। ଏଟିଏମ୍‌ରେ ଆଉ ୧୨ଲକ୍ଷ ଟଙ୍କା ଗଚ୍ଛିତ ଥିଲା। ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ କଟର୍‌ ଲଗାଇ ଉକ୍ତ ମେସିନ୍‌କୁ କାଟି ଟଙ୍କାକୁ ଲୁଟି ନେଇଥିଲେ। ଆଜି ସକାଳେ ଗ୍ରାହକମାନେ ଏହି କାଉଣ୍ଟର୍‌କୁ ଟଙ୍କା ଉଠାଇବାକୁ ଯାଇ ମେସିନ୍‌ଟି ଖଣ୍ଡଖଣ୍ଡ ହୋଇ ପଡ଼ିଥିବା ଦେଖି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଖବର ଦେଇଥିଲେ। ସାଢ଼େ ୬ଟା ବେଳେ ମ୍ୟାନେଜର ଘଟଣାସ୍ଥଳରେ ପହଞ୍ଚି ଏ ନେଇ ପୁଲିସକୁ ଖବର ଦେଇଥିଲେ। ଖବର ପାଇ ଏସ୍‌ପି ଆର୍‌. ପ୍ରକାଶ, ଏସ୍‌ଡିପିଓ ଶିବଚରଣ ମଲିକ, ଆଇଆଇସି ବଳରାମ ନାୟକ ପ୍ରମୁଖ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ସିସିଟିଭି ଫୁଟେଜରୁ ତଥ୍ୟ ସଂଗ୍ରହ କରି ଅଭିଯୁକ୍ତଙ୍କୁ ଧରିବାକୁ ଉଦ୍ୟମ କରାଯାଉଛି।

ସମ୍ବନ୍ଧିତ ଖବର