ଜାତୀୟ ରାଜପଥ ସଂପ୍ରସାରଣ ଯୋଜନା ସ୍ଥାଣୁ; ୪ ବର୍ଷ ବିତିଲା, ଇଞ୍ଚେ ବି ଜମି ଅଧିଗ୍ରହଣ ହୋଇ ନାହିଁ

ଜଗତସିଂହପୁର ଟାଉନ୍: ଜଗତସିଂହପୁର ଜିଲ୍ଲାକୁ ୫୫ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ଯୋଜନା ସ୍ଥାଣୁ ପାଲଟିଛି। ସମ୍ବଲପୁରରୁ ରେଢାଖୋଲ, ଅନୁଗୋଳ, ଢେଙ୍କାନାଳ ବାଇପାସ୍‌ ଦେଇ କଟକ ମଙ୍ଗୁଳି ଛକ ପର୍ଯ୍ୟନ୍ତ ଲମ୍ବିଥିବା ଏହି ଜାତୀୟ ରାଜପଥକୁ ୪ ଲେନ୍‌ କାମ ମଧ୍ୟ ଦ୍ରୁତଗତିରେ ଚାଲିଛି। କିନ୍ତୁ ମଙ୍ଗୁଳି ଛକରୁ କଟକ ବାଟ ଦେଇ କନ୍ଦରପୁରରୁ ଜିଲ୍ଲା ସଦରମହକୁମା ଜଗତସିଂହପୁର, ବାଲିକୁଦା, ଏରସମା, ଚଟୁଆ ଦେଇ ବାଲିତୁଠ କୁଜଙ୍ଗ ପର୍ଯ୍ୟନ୍ତ ପ୍ରାୟ ୯୪.୧୩୯ କିଲୋମିଟର ଦୈର୍ଘ୍ୟ ଜାତୀୟ ରାଜପଥ ନିର୍ମାଣ ପାଇଁ ଅଗଷ୍ଟ ୨୦୧୭ରେ ଜିଲ୍ଲା ପ୍ରଶାସନର ପ୍ରସ୍ତୁତି ଆରମ୍ଭ ହୋଇଥିଲେ ହେଁ କାମ ଆଗେଇ ପାରିନାହିଁ।

ଜିଲ୍ଲା ସଦର ମହକୁମାକୁ କଟକ, ଭବନେଶ୍ବରକୁ ସଂଯୋଗ କରୁଥିବା ପ୍ରଶସ୍ତ ରାସ୍ତାଟିଏ ନାହିଁ। କନ୍ଦରପୁର ଠାରୁ ଜଗତସିଂହପୁର ପର୍ଯ୍ୟନ୍ତ ରାସ୍ତା ଏକଦମ୍‌ ଅଣଓସାରିଆ ହୋଇଥିବାରୁ କଟକରୁ ଜଗତସିଂହପୁର ୪୦ କିମି ଯିବା ପାଇଁ ଦେଢ଼ରୁ ୨ ଘଣ୍ଟା ସମୟ ଲାଗି ଯାଉଛି। ତେଣୁ ରାଜ୍ୟ ସରକାର ମଙ୍ଗୁଳି ଠାରୁ ୫୫ ନମ୍ବର ଜାତୀୟ ରାଜପଥକୁ ଜଗତସିଂହପୁର ବାଟେ ସଂପ୍ରସାରଣ ଯୋଜନା ରଖିଛନ୍ତି। ଆର୍କିଟୋକ୍ନୋ କନସଲଣ୍ଟାଣ୍ଟ୍‌ ସଂସ୍ଥା ଦ୍ବାରା ସର୍ଭେ ପରେ ଏହି ରାସ୍ତାର ରୂପରେଖ ସଂକ୍ରାନ୍ତ ବିସ୍ତୃତ ରିପୋର୍ଟ ପ୍ରସ୍ତୁତ ହୋଇଥିଲା। ଏକ ବର୍ଷ ମଧ୍ୟରେ ଜମି ଅଧିଗ୍ରହଣ କାମ ଶେଷ କରିବା ସହ ରାସ୍ତାସଂଲଗ୍ନ ପ୍ରସ୍ତାବିତ ୬ଟି ବାଇପାସ୍‌ ରାସ୍ତା ନିର୍ମାଣ କାମ ଶେଷ କରିବାକୁ ପ୍ରସ୍ତାବ ଥିଲା। କିନ୍ତୁ ଇତିମଧ୍ୟରେ ୪ ବର୍ଷ ବିତିଲାଣି। ଅଦ୍ୟାବଧି ଇଞ୍ଚେବି ଜମି ଅଧିଗ୍ରହଣ ହୋଇ ପାରିନାହିଁ। ଏସବୁ କାମ ଆଗେଇ ନେବା କିମ୍ବା ତଦାରଖ କରିବାକୁ ଏଠାରେ ଜଣେ ବିଭାଗୀୟ ନିର୍ବାହୀଯନ୍ତ୍ରୀ କିମ୍ବା ଏସ୍‌ଡ଼ିଓ ନାହାନ୍ତି।

Sambad

ଜିଲ୍ଲା ଯୋଜନାବୋର୍ଡ଼ ଅଧ୍ୟକ୍ଷ ବିଧାୟକ ପ୍ରଶାନ୍ତ ମୁଦୁଲି, ରାଜ୍ୟ ମନ୍ତ୍ରୀମଣ୍ଡଳର ଜଣେ ବରିଷ୍ଠ ମନ୍ତ୍ରୀ ରଘୁନନ୍ଦନ ଦାସ, ସାଂସଦ ରାଜଶ୍ରୀ ମଲ୍ଲିକ ଓ ନୂଆ ବିଧାୟକ ବିଜୟ କୁମାର ଦାସ ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବାରୁ ଏଦିଗରେ ଏକାଠି ବସି କାମ ଆରମ୍ଭ ନକଲେ ଯୋଜନା ବିଳମ୍ବିତ ହୋଇଯିବ। ଏହି ସମୟ ମଧ୍ୟରେ ଯଦିଓ ନାମକୁମାତ୍ର ସମୀକ୍ଷା ବୈଠକ ବସିଛି କିନ୍ତୁ କାମ ଆଗେଇ ପାରୁନାହିଁ।
ଗୁରୁତ୍ବପୂର୍ଣ୍ଣ ହେଉଛି ୬ଟି ବାଇପାସ୍ ପାଇଁ ପ୍ରସ୍ତାବ ଦିଆଯାଇଛି। ଏହି ପ୍ରସ୍ତାବିତ ୬ଟି ବାଇପାସ୍‌ ଅଯଥା କିଟିମିଟିଆ ପରିସ୍ଥିତି ସୃଷ୍ଟି କରିବା ଓ ପ୍ରକଳ୍ପ କାମ ବିଳମ୍ବିତ ହେବା ଆଶଙ୍କା ରହିଛି। ଯେଉଁ କାରଣରୁ ବାଇପାସ୍‌ ରାସ୍ତା ନିର୍ମାଣ ଦିଗରେ ବିଭାଗୀୟ କର୍ତୃପକ୍ଷ ଆଗ୍ରହ ପ୍ରକାଶ କରୁନଥିବା ମନେହୁଏ। ପ୍ରଥମ ପ୍ରସ୍ତାବିତ ବାଇପାସ୍‌ ରାସ୍ତା ହେବ ଦଳେଇଘାଇ ନିକଟରେ। ଏଠାରେ ୪.୮ କିମିର ବାଇପାସ୍‌ ରାସ୍ତା ଚରକପଡ଼ା, ଉପରମୁଣ୍ଡ, ଉତ୍ତରଶାସନ, ମହାଜନସାହି,ନୂଆଗାଁ, ମଧ୍ୟଶାସନ ଦେଇ କନ୍ଦରପୁର ରାସ୍ତାରେ ମିଶିବ। ଦ୍ବିତୀୟ ବାଇପାସ୍‌ଜଗତସିଂହପୁର ସହର ପୂର୍ବରୁ ମଙ୍ଗଳପୁର ନିକଟରେ ସୁଜଙ୍ଗ, ମରିଚାପଦା, ବେଲପୋଖରୀ, ପୋକପୁର ବାଟ ଦେଇ ସିପିରେ (ବର୍ତମାନର ମାଛଗାଁ ରାସ୍ତା) ସଂଯୋଗ କରିବ।

ତୃତୀୟଟି ବାଲିକୁଦା ପାଖରେ କଣିଆ, ବୋରିକିନା, ଇବ୍ରିସିଂ, କୋଠି, ଓରନାଳ ବାଟ ଦେଇ ଦୀର୍ଘ ୧୮.୫୩୦ କିଲୋମିଟର ଅତିକ୍ରମ କରିବ। ଚତୁର୍ଥ ବାଇପାସ୍‌ଟି ଏରସମା ନିକଟରେ ପଲ୍ଲୀକଣ୍ଟା ବାଟ ଦେଇ, ଜପାଭୁଆନ୍‌ ହୋଇ ୪.୬୫୦ କିମି, ୫ମଟି ଚଟୁଆ ବାଇପାସ୍ ରାସ୍ତା ଭାବେ ଜଗନ୍ନାଥପୁର, ମଣିପୁର, ବଗଡ଼ପୁର ବାଟରେ ୨.୬ କିମି ରାସ୍ତା ଅତିକ୍ରମ କରିବ। ସେହିପରି ୬ଷ୍ଠ ବାଇପାସ୍‌ଟି ବାଲତୁଠ ନିକଟରେ ବନବୁଦା, ପାଣିଗାଡ଼ିଆବନ୍ଧ ଓ ନୂଆଗାଁବାଟେ ୧.୮୦୦ କିମି ଅତିକ୍ରମ କରିବ। ଏତେସବୁ ଗାଁଗଣ୍ଡା ଭିତର ଦେଇ ଜାତୀୟ ରାଜପଥର ସଂପ୍ରସାରଣକୁ କାର୍ଯ୍ୟକାରୀ କରିବା ନିଶ୍ଚିତ ଭାବେ ଦୁରୁହବ୍ୟାପାର। ତେବେ ଅନ୍ତତଃ ଜିଲ୍ଲା ସଦରମହକୁମା ପର୍ଯ୍ୟନ୍ତ ୪ ଥାକିଆ ରାସ୍ତା ପାଇଁ ଆବଶ୍ୟକ ଜମି ଅଧିଗ୍ରହଣ ଓ କାମ ତ୍ବରାନ୍ବିତ ହେବା ଆବଶ୍ୟକ।

ଅନ୍ୟଥା ପ୍ରସ୍ତାବିତ ଜାତୀୟ ରାଜପଥ କାମ କେବଳ କାଗଜପତ୍ରରେ ସୀମିତ ହୋଇ ରହିଯିବ ବୋଲି ଏବେ ସମାଲୋଚନା ହେଲାଣି। ଜିଲ୍ଲାରୁ ପ୍ରତିନିଧିତ୍ବ କରୁଥିବା ଜଳସମ୍ପଦ ମନ୍ତ୍ରୀ ରଘୁନନ୍ଦନ ଦାସ କହିଛନ୍ତି ସେ ବରାବର ଏହି କାମ ପାଇଁ ବିଭାଗ ସହ ଯୋଗାଯୋଗରେ ଅଛନ୍ତି। ଜମି ଅଧିଗ୍ରହଣ କାମ ଆରମ୍ଭ ହେବା କଥା। କିନ୍ତୁ କୋଭିଡ୍‌ ମହାମାରୀ କଟକଣା ଏଥିରେ ବାଧକ ସାଜିଛି। କଟକଣା ଉଠିବା ମାତ୍ରେ ଏଥିପାଇଁ କାମ ଆରମ୍ଭ ହେବ ଓ ଜମି ଅଧିଗ୍ରହଣ କାମ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯିବ।

ସମ୍ବନ୍ଧିତ ଖବର