ବିଭାଗରୁ ମିଳୁନି, ବିହନ କଳାବଜାରୀ ବଢ଼ୁଛି

ଗାରୋଇ: ଚାଷୀ ଓ ଚାଷର ଉନ୍ନତି ପାଇଁ ସରକାର ଜଳସେଚନ ଓ ବିହନ ଯୋଗାଣ ଭଳି ଅନେକ ଯୋଜନା କରିଛନ୍ତି। ଚଳିତ ଖରିଫ ଋତୁରେ ରାଜ୍ୟ ବିହନ ନିଗମ ପକ୍ଷରୁ ସମବାୟ ସମିତି ମାଧ୍ୟମରେ ଚାଷୀମାନଙ୍କୁ ସୁଲଭ ମୂଲ୍ୟରେ ବିହନ ଯୋଗଇ ଦିଆଯିବାର ବ୍ୟବସ୍ଥା କରାଯାଇଛି। କିନ୍ତୁ ନାଉଗାଁ ବ୍ଳକରେ ଥିବା ୬ଟି ସମବାୟ ସମିତି ମଧ୍ୟରୁ ୩ଟି ସମବାୟ ସମିତିରେ ଚାଷୀମାନଙ୍କୁ ବିହନ ମିଳୁନଥିବା ଅଭିଯୋଗ ହୋଇଛି।  ଚଳିତବର୍ଷ ଏହି ବ୍ଲକ୍‌ର ତିରୁଣା ସମବାୟ ସମିତି ଅଧିନରେ ଥିବା ତିରୁଣା, ଉର, ଦହିପାଳ, ଅରିଓଦା, ନରଣପୁର, କୁରିକି, ତେଣ୍ଟୋଇ, ଡାବର, ମହନାପାରୀ, ଦେଓପଡା, ତେଲଘଡି ଆଦି ଗ୍ରାମର ଶହ ଶହ ଚାଷି ସରକାରୀ ବିହନ ପାଇବାରୁ ବଞ୍ଚିତ ହୋଇଛନ୍ତି। ୨୦୧୬-୧୭ ଆର୍ଥିକ ବର୍ଷରେ ଏହି ସମବାୟ ସମିତି ଅଧୀନରେ ୪୦୫ଜଣ ଚାଷୀ ନାମ ପଞ୍ଜୀକୃତ କରିଥିଲେ। ହେଲେ, ଧାନ ମଣ୍ଡିରେ ବ୍ୟାପକ ଅନିୟମିତତା କରାଯିବା କାରଣରୁ ସମିତିର ସଂପାଦକ ଓ ହିସାବ ରକ୍ଷକଙ୍କୁ ଚାକିରିରୁ ବହିଷ୍କାର କରାଯାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ଯେ, ସମିତିର ଗୋଦାମ ଗୃହଟି ଦୀର୍ଘଦିନ ଧରି ବିପର୍ଯ୍ୟସ୍ତ ହୋଇ ପଡ଼ିଛି।

ଏହି ସମିତିର ଚାଷୀମାନଙ୍କୁ ଚଳିତବର୍ଷ ଡେରିକି ସମବାୟ ସମିତିରୁ ବିହନ ଆଣିବା ପାଇଁ ବିଭାଗ ପକ୍ଷରୁ ନିର୍ଧାରଣ କରାଯାଇଛି। ହେଲେ, ତିରୁଣା ସମବାୟ ସମିତି ଅଧୀନରେ ଥିବା ଗ୍ରାମଗୁଡ଼ିକ ଡେରିକି ସମବାୟ ସମିତିଠାରୁ ପ୍ରାୟ ୧୦କିଲୋମିଟର ଦୂରରେ ଅବସ୍ଥିତ ହୋଇଥିବା ବେଳେ କିମି ଚାଷୀମାନେ ମଧ୍ୟ ଏଠାରୁ ବିହନ ନେବା କଥା ଠିକ୍‌ରେ ଜାଣିନାହାନ୍ତି। ଅପରପକ୍ଷେ, ଡେରିକି ସମବାୟ ସମିତି ଚଳିତବର୍ଷ ୬ ଶହ ପ୍ୟାକେଟ (୧୨୦କ୍ୱିଣ୍ଟାଲ୍‌) ବିହନ ଉଠାଇଥିବା ବେଳେ ଏହି ସମବାୟ ସମିତି ମାଧ୍ୟମରେ ଗତବର୍ଷ ୧୦୫୪ ଜଣ ଚାଷୀ ବିହନ ନେବାକୁ ନାମ ପଞ୍ଜୀକୃତ କରିଥିଲେ। ସେମାନଙ୍କୁ ବର୍ଷ ଏହି ସମବାୟ ସମିତିରେ ଧଳା ସ୍ୱର୍ଣ୍ଣ ବିହନ ମିଳୁନଥିବା ଅଭିଯୋଗ ହୋଇଛି। ସେହିପରି ଶିଖର କୃଷି ସମବାୟ ସମିତି ମାଧ୍ୟମରେ ୩୮୫ ଜଣ ଚାଷୀ ଚଳିତବର୍ଷ ବିହନ ପାଇଁ ଆବେଦନ କରିଥିଲେ। ସମବାୟ ସମିତି ପକ୍ଷରୁ ସେମାନଙ୍କୁ ୧୫୦ ପ୍ୟାକେଟ୍‌ (୭୦କ୍ୟୁଣ୍ଟାଲ୍‌) ବିହନ ବଣ୍ଟା ଯାଇଥିବା ବେଳେ ୧୦୧୮ ଧଳା ସ୍ୱର୍ଣ୍ଣ ବିହନ ମିଳୁନଥିବାରୁ ଚାଷୀମାନେ ଖୋଲା ବଜାରରୁ କିଣିବାକୁ ବାଧ୍ୟ ହେଉଛନ୍ତି। ଏ ସମ୍ପର୍କରେ ଜିଲ୍ଲାପାଳ ଯାମିନୀ ଷଡ଼ଙ୍ଗୀଙ୍କୁ ପଚାରିବା ପାଇଁ ଚେଷ୍ଟା କରାଯାଇଥିଲେ ବି ଯୋଗାଯୋଗ ହୋଇ ପାରିନାହିଁ।

ସମ୍ବନ୍ଧିତ ଖବର