କେନାଲ୍‌ରେ ପାଣି ଆସୁନି, କ୍ଷେତ ଉଜୁଡ଼ିବା ଆଶଙ୍କା

କୁଜଙ୍ଗ: ଅଗଷ୍ଟ ମାସ ଶେଷ ହେବାକୁ ବସିଲାଣି। ଚାଷୀମାନେ ରୁଆ ବେଉଷଣ କାର୍ଯ୍ୟ କଷ୍ଟରେ ଶେଷ କରିଛନ୍ତି। ହେଲେ, ମୋସୁମୀ ବର୍ଷା ଅଭାବରୁ କେନାଲ ପାଣିକୁ ଅପେକ୍ଷା କରିଥିବା ଚାଷୀମାନେ ଏବେ ନିରାଶ ହୋଇ ପଡ଼ିଛନ୍ତି। କ୍ଷେତରେ ରୁଆ ହୋଇଥିବା ଫସଲ ପାଣି ଅଭାବରୁ ମରିବାକୁ ବସିଲାଣି। କ୍ଷେତ ବି ଫାଟି ଆଁ କଲାଣି। ଏହା ସତ୍ତ୍ୱେ ଜଳସମ୍ପଦ ବିଭାଗର ନିଦ ଭାଙ୍ଗୁନଥିବାରୁ ଚାଷୀ ଅସନ୍ତୋଷ ଦେଖା ଦେଲାଣି। ଆସନ୍ତା ସପ୍ତାହ ସୁଦ୍ଧା ବର୍ଷା କିମ୍ବା କେନାଲରେ ପାଣି ଛଡ଼ାନଗଲେ ଫସଲ ନଷ୍ଟ ହୋଇଯିବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କଲେଣି।
ପ୍ରକାଶ ଯେ, କୁଜଙ୍ଗ ବ୍ଳକରେ ଚାଷ ସମ୍ପୂର୍ଣ୍ଣ ଭାବେ ତାଳଦଣ୍ଡା କେନାଲ ଉପରେ ନିର୍ଭର କରିଥାଏ। ଏହି ଅଞ୍ଚଳର ସମ୍ପୂର୍ଣ୍ଣ ଚାଷଜମି ତାଳଦଣ୍ଡା କେନାଲ ଦ୍ୱାରା ଜଳସେଚିତ ହୋଇଥାଏ। ଜୁଲାଇ ମାସ ସୁଦ୍ଧା ତାଳଦଣ୍ଡା କେନାଲରେ ଜଳ ପ୍ରବାହ ହେବା କଥା। ଏହା ପୂର୍ବରୁ ସମସ୍ତ ମାଇନର ଏବଂ ସବ୍‌ ମାଇନର କେନାଲରେ ବେଡ୍‌ କଟିଙ୍ଗ ଓ କେନାଲ ବନ୍ଧ ମରାମତି କାର୍ଯ୍ୟ ଶେଷ ହେବାକଥା। ମାତ୍ର ଏବେ ଅଗଷ୍ଟ ମାସ ସରିବାକୁ ବସିଥିଲେ ବି କୁଜଙ୍ଗ ଜଳସମ୍ପଦ ଉପଖଣ୍ଡ କାର୍ଯ୍ୟାଳୟ ଅଧିନରେ ଥିବା କେନାଲଗୁଡ଼ିକର ମରାମତି ଓ ସଫାଇ ଶେଷ ହୋଇପାରି ନାହିଁ। ବିଭାଗ ପକ୍ଷରୁ ଏହି କାର୍ଯ୍ୟକୁ ପାଣି ପଞ୍ଚାୟତ ଜରିଆରେ କରାଯିବ କିମ୍ବା ଟେଣ୍ଡର ଜରିଆରେ କରାଯିବ ତାହାର ଫଇସଲା ହୋଇ ନ ପାରିବାରୁ ଏଭଳି ବିଳମ୍ବ ହୋଇଥିବା କୁହାଯାଉଛି। କୁଜଙ୍ଗ ବ୍ଳକ ଅଞ୍ଚଳରେ ମୋଟ ୫ ହଜାର ହେକ୍ଟର ଚାଷଜମି ରହିଛି। ୧୪ ନମ୍ବର ଶାଖା କେନାଲରେ ଥିବା ୩ଟି ସବ୍‌ ମାଇନର ଜରିଆରେ ୩୧୬୮ ହେକ୍ଟର ଜମି ଜଳସେଚିତ ହେଉଥିବା ବେଳେ ୧୫ ନମ୍ବର ଶାଖା କେନାଲର ୨ଟା ସବ୍‌ ମାଇନାର ଜରିଆରେ ୩୪୨ ହେକ୍ଟର, ୧୧୬ ନମ୍ବର ଶାଖା କେନାଲରେ ୮୬୨ ହେକ୍ଟର, ୧୭ ନମ୍ବରରେ ୪୦୪ ଓ ୧୮ ନମ୍ବର ଦ୍ୱାରା ୧୮୨ ହେକ୍ଟର ଜମି ଜଳସେଚିତ ହେଉଥିବା ବିଭାଗୀୟ ରେକର୍ଡ କହୁଛି । ଯଦି ଜଳସମ୍ପଦ ବିଭାଗ କେନାଲରେ ଜଳ ପ୍ରବାହ ତଥା ଶାଖା କେନାଲ ମରାମତି କ୍ଷେତ୍ରରେ ଅବହେଳା ଜାରି ରଖେ ତେବେ କୁଜଙ୍ଗରେ ଚାଷ ସମ୍ପୂର୍ଣ୍ଣ ଭାବେ ପ୍ରଭାବିତ ହୋଇ ପଡ଼ିବ।
ଖବର ନେବାରୁ ଜଣାପଡ଼ିଛି ଯେ, ଦୀର୍ଘଦିନ ଧରି ସମ୍ପୂର୍ଣ୍ଣ ଶୁଖିଲା ପଡ଼ିବା ପରେ ଗତକାଲି ତାଳଦଣ୍ଡା ମୁଖ୍ୟ କେନାଲରେ ସ୍ୱଳ୍ପ ପରିମାଣର ଜଳପ୍ରବାହ କରାଯାଇଛି। ଏହା ପାର୍ଶ୍ୱରେ ରହିଥିବା କୋଣସି ଶାଖା କେନାଲକୁ ଉଠି ପାରି ନ ଥିବାରୁ ଏବେ ସମସ୍ତ ମାଇନର୍‌, ସବ୍‌ ମାଇନର୍‌ କେନାଲଗୁଡ଼ିକ ଶୁଖିଲା ପଡ଼ିଛି । ଅଗଷ୍ଟ ମାସ ଶେଷ ହେବାକୁ ବସିଥିଲେ ବି ଅନେକ ମାଇନର୍‌ ଓ ସବ୍‌ ମାଇନର୍‌ କେନାଲରେ ଶଯ୍ୟା ସଫେଇ ଓ କେନାଲ ବନ୍ଧ ମରାମତି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇନାହିଁ। ଆସନ୍ତା କିଛିଦିନ ମଧ୍ୟରେ ବର୍ଷ ନ ହେଲେ କିମ୍ବା କେନାଲ ମାନଙ୍କରେ ଜଳ ପ୍ରବାହ କରା ନ ଗଲେ ଚାଷୀମାନଙ୍କ ପକ୍ଷରେ ଫସଲ ବଞ୍ଚାଇବା କଷ୍ଟକର ହୋଇପଡ଼ିବ। ତୁରନ୍ତ କେନାଲଗୁଡ଼ିକରେ ଜଳପ୍ରବାହ କରାଇବାକୁ ନବନିର୍ମାଣ କୃଷକ ସଙ୍ଗଠନର କୁଜଙ୍ଗ ବ୍ଳକ ସଂଯୋଜକ ବିଷ୍ଣୁଚରଣ ସ୍ୱାଇଁ, ଚାଷୀନେତା ହରେକୃଷ୍ଣ ସେଠୀ ପ୍ରମୁଖ ଦାବି କରିଛନ୍ତି। ଏ ନେଇ କୁଜଙ୍ଗ ଜଳସମ୍ପଦ ବିଭାଗର ବରିଷ୍ଠ ଯନ୍ତ୍ରୀ ରାଜେଶ ଚନ୍ଦ୍ର ମହାନ୍ତିଙ୍କୁ ପଚାରିବାରୁ ଉପର ଅଞ୍ଚଳରେ ବିଭିନ୍ନ ସମସ୍ୟା ହେତୁ ଜଳପ୍ରବାହରେ ବିଳମ୍ବ ଘଟୁଛି ବୋଲି କହିଛନ୍ତି। ତେବେ, ଏହାର ସମାଧାନ ହୋଇଗଲାଣି ଓ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାଳଦଣ୍ଡା କେନାଲରେ ଜଳପ୍ରବାହ ସ୍ୱାଭାବିକ ହୋଇଯିବ ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର