କୁଜଙ୍ଗ: ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ କାର ଚାଳକଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଏକ ବୁଲା ଷଣ୍ଢର ମଧ୍ୟ ମୃତ୍ୟୁ ହୋଇଛି। ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ହେଲେ ଅଜିତ ନାୟକ।
ଘଟଣାରୁ ପ୍ରକାଶ ସୋମବାର ରାତି ପ୍ରାୟ ୨ଟା ସମୟରେ ପାରାଦୀପ ଅଭିମୁଖେ ଆସୁଥିବା ଏକ କାର (ଓଡ଼ି ୦୫ବିଭି ୩୮୨୫) କୁଜଙ୍ଗ ଥାନା ଅନ୍ତର୍ଗତ କଟକ ପାରାଦୀପ ରାସ୍ତାର ପଙ୍କପାଳ ହାଇସ୍କୁଲ ନିକଟରେ ରାସ୍ତା ଉପରେ ଶୋଇ ଥିବା ଏକ ଷଣ୍ଢକୁ ଧକ୍କା ଦେବା ସହ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ଗଛରେ ପିଟି ହୋଇଥିଲା। ଫଳରେ ଗଛଟି ମଧ୍ୟ ଉପୁଡ଼ି ଯାଇଥିଲା। ଫଳରେ କାର ଚାଳକ ଷ୍ଟିୟାରିଂ ଦ୍ଵାରା ଚାପି ହୋଇ ରହିଯାଇଥିଲେ। ଘଟଣାସ୍ଥଳରେ ଷଣ୍ଢର ମୃତ୍ୟୁ ହୋଇଥିବା ବେଳେ ଚାଳକକୁ ଗ୍ୟାସ୍ କଟରରେ କାଟି ମୃତ ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଆହତ ଜଣକୁ କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା କରାଯାଇ ଛାଡ଼ି ଦିଆଯାଇଛି।
କଟକ ଜିଲ୍ଲା ନରସିଂହପୁର ଥାନା ଅନ୍ତର୍ଗତ ବଡବାରେଣି ଗ୍ରାମର ରସାନନ୍ଦ ନାୟକଙ୍କ ପୁଅ ଅଜିତ ନାୟକ ପାରାଦୀପ ଲକ୍ ଥାନା ଅନ୍ତର୍ଗତ ଚୂନ ଗ୍ରାମରେ ଭଡ଼ାରେ ସପରିବାର ରହି ଗାଡ଼ି ଚାଳକ ରୂପେ କାର୍ଯ୍ୟ କରୁଥିଲେ। ସୋମବାର ରାତିରେ ଉପରୋକ୍ତ କାର ଚଳାଇ ଅଜିତ ଓ ତାର ଅନ୍ୟ ଜଣେ ଚାଳକ ବନ୍ଧୁ ବସନ୍ତ ରାଉତଙ୍କୁ ସାଙ୍ଗରେ ନେଇ ରାହାମା ଅଞ୍ଚଳରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦେଖିବାକୁ ଯାଇଥିଲେ। ଫେରିବା ସମୟରେ ଦୁର୍ଘଟଣା ଘଟିଥିବା ପୁଲିସ ସୂତ୍ରରୁ ପ୍ରକାଶ।
ଖବର ପାଇ କୁଜଙ୍ଗ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କରି କୁଜଙ୍ଗ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ଆଣିଥିଲେ। ଆଜି ମୃତ ଅଜିତଙ୍କ ପତ୍ନୀ ଝରଣା ରାଣୀ ନାୟକ କୁଜଙ୍ଗ ଥାନାରେ ଲିଖିତ ଅଭିଯୋଗ କରିବାରେ ପୁଲିସ କେସ ନମ୍ବର ୩୬୮/୨୫ରେ ମାମଲା ରୁଜୁ କରି ଦୁର୍ଘଟଣାର କାରଣ ସମ୍ପର୍କରେ ତଦନ୍ତ ଜାରି ରଖିଥିବା ବେଳେ ଦୁର୍ଘଟଣାଗ୍ରସ୍ତ କାରକୁ ଜବତ କରିଥିବା ତଦନ୍ତ କାରୀ ଅଧିକାରୀ ସହକାରୀ ସବ୍ ଇନ୍ସପେକ୍ଟର ପ୍ରମୋଦ ଉଦୟ ସିଂହ କହିଛନ୍ତି।
Accident