ପାରାଦୀପକୁ ୪ ବଦଳରେ ଆସୁଛି ଗୋଟିଏ ଟ୍ରେନ୍; ଦୈନିକ ଯାତ୍ରୀ ଖର୍ଚ୍ଚାନ୍ତ, ରୋଜଗାର ହରାଇଲେଣି ଉଠା ଦୋକାନୀ

ଜଗତସିଂହପୁର : ଗତବର୍ଷ କୋଭିଡ୍ ଆରମ୍ଭ ହେବା ପରଠାରୁ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି। ପାରାଦୀପକୁ ପ୍ରତ୍ୟେକ ଦିନ ଆସୁଥିବା ୪ଟି ଟ୍ରେନରୁ ୩ଟି ବର୍ତ୍ତମାନ ବନ୍ଦ ରହିଛି। ଏଣୁ ‌ପାରାଦୀପ-ପୁରୀ ଚାଲୁଥିବା ଗୋଟିଏ ଏକ୍ସପ୍ରେସ୍ ଟ୍ରେନରେ ଯାତ୍ରୀମାନଙ୍କର ନାହିଁ ନଥିବା ଭିଡ଼ ଦେଖିବାକୁ ମିଳୁଛି।

ପାରାଦୀପକୁ ପ୍ରତ୍ୟେକ ଦିନ ୩ଟି ଲୋକାଲ ଓ ଗୋଟିଏ ଏକ୍ସ‌ପ୍ରେସ୍ ଟ୍ରେନ୍ ଚଳାଚଳ କରୁଥିଲା। ୩ଟି ଲୋକାଲ ଟ୍ରେନ୍ କେବଳ କଟକକୁ ଚାଲିଥିବା ବେଳେ ଏକ୍ସ‌ପ୍ରେସ୍ ଟ୍ରେନଟି ପୁରୀ ଯାଉଥିଲା। ଯାତ୍ରୀମାନଙ୍କୁ ଖୁବ୍ କମ୍ ପଇସା ଭଡ଼ା ମଧ୍ୟ ଦେବାକୁ ହେଉଥିଲା। ମାତ୍ର କୋଭିଡ୍ ଆସିବା ପରେ ପରିସ୍ଥିତି ସମ୍ପୂର୍ଣ୍ଣ ବଦଳି ଯାଇଛି। ପାରାଦୀପରେ ଥିବା ଏକାଧିକ ଶିଳ୍ପ ସଂସ୍ଥାରେ ଚାକିରି କରୁଥିବା କିଛି କର୍ମଚାରୀ ପ୍ରତ୍ୟେକ ଦିନ ଏହି ଟ୍ରେନ ଉପରେ ନିର୍ଭର କରୁଥିଲେ। ସେମାନେ ବାଧ୍ୟ ହୋଇ ବସ୍ ଯୋଗେ ଏବେ ଯାତ୍ରା କରୁଛନ୍ତି। ତୈଳ ଦର ବୃଦ୍ଧି ସାଙ୍ଗକୁ କରୋନା ମାଡ଼ ଯୋଗୁଁ ବସ୍ ଭଡ଼ା ମଧ୍ୟ ବଢ଼ିଛି। ପାରାଦୀପରୁ କଟକ ବସ୍ ଯୋଗେ ୧୨୦ ଟଙ୍କା ଦେଇ ଯିବା ଆସିବା କରିବା ଯାତ୍ରୀମାନଙ୍କୁ ବେଶ୍ ବାଧୁଛି।

କେବଳ ସେତିକି ନୁହେଁ , ଏହି ଟ୍ରେନ ଚଳାଚଳ ବନ୍ଦ ହେବା ଯୋଗୁଁ ଷ୍ଟେସନରେ ଉଠା ଦୋକାନ କରି ଚଳୁଥିବା ଅଧିକାଂଶ ବେପାରୀ ଏବେ ରୋଜଗାରକୁ ନେଇ ସମସ୍ୟାରେ ପଡିଛନ୍ତି। ଦୋକାନ ବନ୍ଦ କରି ମଜୁରୀ ଲାଗୁଛନ୍ତି।

ସମ୍ବନ୍ଧିତ ଖବର