କଟକରେ ‘ବ୍ଲୁ ପ୍ରିଣ୍ଟ୍‌’ : ଦେବାଶିଷଙ୍କ ହାତକୁ ଯିବ ପାରାଦୀପ!

ଜଗତସି˚ହପୁର : ବିଧାୟକ ଡାକ୍ତର ଦାମୋଦର ରାଉତଙ୍କୁ ବିଦା କରିବା ପରେ ପାରାଦୀପ ନିର୍ବାଚନ ମଣ୍ତଳୀ ପାଇଁ ବିଜୁ ଜନତା ଦଳ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେଉଛି। ଦାମଙ୍କୁ ମୁହଁତୋଡ଼ ଜବାବ ଦେବା ପାଇଁ ଦଳ ସେହିଭଳି ଜଣେ ପ୍ରଭାବଶାଳୀ ନେତାଙ୍କୁ ପାରାଦୀପ ଦାୟିତ୍ବ ଦେବାକୁ ଯୋଜନା ଚଳାଇଛି। ଦାମ ଯିବା‌ ପରେ ପାରାଦୀପ ପାଇଁ ଦଳରୁ ଏକାଧିକ ଆଶାୟୀ ପ୍ରାର୍ଥୀ ଥିବାରୁ ତାହା ଦଳକୁ ବେଶୀ ଅଡ଼ୁଆରେ ପକାଇଛି। ଏଣୁ, ଦଳର ହେଭିୱେଟ୍‌ମାନଙ୍କୁ ନେଇ ଏ ସ˚କ୍ରାନ୍ତରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଆଜି କଟକର ଏକ ହୋଟେଲରେ କରାଯାଇଛି। ଆଗାମୀ ୧୩ ତାରିଖରେ ପାରାଦୀପରେ ହେବାକୁ ଥିବା ପଦଯାତ୍ରା ପାଇଁ ମଧ୍ୟ ଏହି ବୈଠକରେ ‘ବ୍ଲୁ ପ୍ରିଣ୍ଟ୍‌’ ପ୍ରସ୍ତୁତ କରାଯାଇଛି। ଉକ୍ତ ବୈଠକରେ ଜିଲ୍ଲା ସଂଗଠନ ଦାୟିତ୍ବରେ ଥିବା ବରିଷ୍ଠ ନେତାମାନଙ୍କ ସହିତ ବାରବାଟୀ-କଟକ ବିଧାୟକ ଦେବାଶିଷ ସାମନ୍ତରାୟ ଉପସ୍ଥିତ ଥିବାରୁ ଏହା ଚର୍ଚା ପାଇଁ ଖୋରାକ୍ ଯୋଗାଇଛି। ପାରାଦୀପ ଦାୟିତ୍ବ ଦେବାଶିଷଙ୍କୁ ଦିଆଯିବା ନେଇ ଯେଉଁ ଚର୍ଚା ଆରମ୍ଭ ହୋଇଥିଲା ତାହା ଅଧିକ ଜୋର୍‌ ଧରିଛି।

ବର୍ତ୍ତମାନ ପାରାଦୀପ ନିର୍ବାଚନ ମଣ୍ତଳୀ ପାଇଁ ବହୁସଂଖ୍ୟକ ଆଶାୟୀ ଥିବାରୁ ତାହା ଦଳୀୟ ସଙ୍ଗଠନ ପ୍ରତି ଆଶଙ୍କା ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ତଥା ଦାମଙ୍କ ଯିବା ପରେ ସଂଗଠନକୁ ଦୃଢ଼ କରିବା ଉଦ୍ଦେଶ୍ୟରେ ପାରାଦୀପ ନିର୍ବାଚନ ମଣ୍ତଳୀରେ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏ ନେଇ ଆଜି କଟକର ଏକ ହୋଟେଲରେ ଜିଲ୍ଲା ପର୍ଯ୍ୟବେକ୍ଷକ-ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଓ ସହ ପର୍ଯ୍ୟବେକ୍ଷକ-ମନ୍ତ୍ରୀ ପ୍ରତାପ ଜେନା, ସା˚ସଦ ଡାକ୍ତର କୁଳମଣି ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ମାତ୍ର ଜିଲ୍ଲାର କୌଣସି ପଦବିରେ ନ ଥାଇ ମଧୢ ବିଧାୟକ ଦେବାଶିଷ ସାମନ୍ତରାୟ ଆଜିର ବୈଠକରେ ଉପସ୍ଥିତ ଥିଲେ। ଖାଲି ଉପସ୍ଥିତ ନ ଥିଲେ, ବରଂ ପାରାଦୀପ ନିର୍ବାଚନମଣ୍ତଳୀର କେତେଜଣ ସ୍ଥାନୀୟ ନେତାଙ୍କୁ ଦଳୀୟ ଶୃଙ୍ଖଳା ମଧୢରେ ରହିବା ପାଇଁ ସେ ଏହି ବୈଠକରେ ନିର୍ଦ୍ଦେଶ ଦେଉଥିବା ଦେଖାଯାଇଥିଲା। ଏଣୁ, ଦାମଙ୍କ ପରେ ଦଳ ଆଗାମୀ ସାଧାରଣ ନିର୍ବାଚନରେ ପାରାଦୀପ ପାଇଁ ଦେବାଶିଷଙ୍କୁ ପ୍ରାର୍ଥୀ କରିପାରେ ବୋଲି ଚର୍ଚା ହେଉଛି। କଟକରେ ଆୟୋଜିତ ଏହି ବୈଠକରେ ପାରାଦୀପ ନିର୍ବାଚନ ମଣ୍ତଳୀରେ ପାଖାପାଖି ୩ଶହ ଲୋକ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର