ଜଗତସିଂହପୁର: ଯୁବତୀଙ୍କୁ ଯୌନ ନିର୍ଯାତନା ମାମଲାରେ ସିଡବ୍ଲୁସି ସଦସ୍ଯ ଛନ୍ଦି ହେବା ଘଟଣା ଲୋକଙ୍କ ମନରୁ ନ ଲିଭୁଣୁ ପୁଣି ବିବାଦରେ ଫସିଛି ବିଭାଗ। ଏକ ଦମ୍ପତି ମାସ ମାସ ଧରି ଦୌଡିବା ପରେ ନିଜ ଜନ୍ମ କଲା ଛୁଆକୁ ପାଇ ପାରୁନାହାନ୍ତି। ମଙ୍ଗଳବାର ଶିଶୁକୁ ହସ୍ତାନ୍ତର କରାଯିବ ବୋଲି ନୋଟିସ ପାଇ ସିଡବ୍ଲୁସିରେ ହାଜର ହୋଇଥିବା ଦମ୍ପତି ୭ ଘଣ୍ଟା ଅପେକ୍ଷା କରିବା ପରେ ସନ୍ଧ୍ଯାରେ ନିରାଶ ହୋଇ ଘରକୁ ଫେରିଛନ୍ତି। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଏପରିକି ସିଡବ୍ଲୁସି କର୍ତ୍ତୃପକ୍ଷଙ୍କ ପ୍ରକ୍ରିୟାରେ ମଧ୍ଯ ଅତିଷ୍ଠ ହୋଇ ଯାଇଛନ୍ତି ସେମାନେ।
ମିଳିଥିବା ସୂଚନା ଅନୁସାରେ, ଦମ୍ପତି ହେଉଛନ୍ତି ପାରାଦୀପ ବାଲିଝରା ଅଞ୍ଚଳର। ୨୦୨୪ ଜୁଲାଇରେ ସେମାନଙ୍କର ଜଗତସିଂହପୁର ମୁଖ୍ଯ ଚିକିତ୍ସାଳୟରେ ଏକ କନ୍ଯା ସନ୍ତାନ ଜନ୍ମ ହୋଇଥିଲା। ସେତେବେଳେ ପାରିବାରିକ ମାମଲାରେ ଶିଶୁକନ୍ୟାର ବାପା ଜେଲରେ ଥିଲେ। ମାଆଙ୍କ ମାନସିକ ସ୍ବାସ୍ଥ୍ୟ ଭଲ ନ ଥିବା ସିଡିଏମ୍ଓ ସିଡବ୍ଲୁସିକୁ ରିପୋର୍ଟ ଦେଇଥିଲେ। ଶିଶୁକନ୍ୟାକୁ ସିଡବ୍ଲୁସିରେ ହାଜର ପରେ ଶିଶୁ ଯତ୍ନ କେନ୍ଦ୍ରକୁ ପଠାଇ ଦିଆଯାଇଥିଲା । ବାପା ଜେଲରୁ ଫେରିବା ପରେ ଝିଅକୁ ନିଜ ପାଖକୁ ନେବାକୁ ଚାହିଁଥିଲେ। କିନ୍ତୁ ସାଙ୍ଗରେ ମାଆ ନ ଥିବାରୁ ସେ ଝିଅକୁ ନେଇପାରି ନଥିଲେ। ଗତକିଛି ଦିନ ତଳେ ଉଭୟ ବାପା ଓ ମାଆ ଆସି ଝିଅକୁ ପାଖକୁ ନେବାକୁ ସିଡବ୍ଲୁସିରେ ଜଣାଇଥିଲେ।
ଏହାପରେ ସଦସ୍ୟଙ୍କୁ ନେଇ ବୈଠକ ବସିଥିଲା। ପାଞ୍ଚ ଜଣ ସଦସ୍ୟରୁ ତିନି ଜଣ ସଦସ୍ୟ ପିଲା ବାପାମାଆ ପାଖରେ ରହିବ ବୋଲି ନିଜର ମତ ପ୍ରକାଶ କରିଥିଲେ। ସେହି ଅନୁସାର ପିଲା ବାପାମାଆଙ୍କ ପାଖରେ ରହିବ ବୋଲି ନିଷ୍ପତ୍ତି ନେଇଥିଲା। ସିଡବ୍ଲୁସି ପକ୍ଷରୁ ମଙ୍ଗଳବାର ହାଜର ହୋଇ ପିଲାକୁ ନେଇ ଯିବା ପାଇଁ ନୋଟିସ କରାଯାଇଥିଲା। ଦମ୍ପତି ନୋଟିସ ପାଇ ଆଜି ପୂର୍ବାହ୍ନ ସାଢେ ୧୧ଟାରେ ସିଡବ୍ଲୁସି ଅଫିସରେ ପହଞ୍ଚି ଅଧ୍ୟକ୍ଷା ଶକୁନ୍ତଳା ଚୌଧୁରୀଙ୍କୁ ଦେଖା କରିଥିଲେ। ସେ କିଛି ସମୟ ଅପେକ୍ଷା କରିବା ପାଇଁ କହିଥିଲେ। ଅନ୍ୟ ଏକ ମାମଲା ଦେଖିଥିଲେ। ଦମ୍ପତି ସେମିତି ଅପେକ୍ଷା କରି ରହିଥିଲେ। ସନ୍ଧ୍ୟା ପ୍ରାୟ ୭ଟା ପର୍ଯ୍ଯନ୍ତ ଅପେକ୍ଷା କରି ରହିଥିଲେ ମଧ୍ୟ ତାଙ୍କୁ କନ୍ୟାକୁ ହସ୍ତାନ୍ତର କରାଯାଇ ନ ଥିଲା। ଅଫିସ ବନ୍ଦ ହୋଇ ଯାଇଥିଲା।
ଏହା ପରେ ଦମ୍ପତି ଉଦବେଗ ପ୍ରକାଶ କରିଥିଲେ। ଆଜି ନୋଟିସ ଜାରି କରାଯାଇ କାହିଁକି ଝିଅକୁ ହସ୍ତାନ୍ତର କରାଯାଇ ନ ଥିଲା ତାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିି ହୋଇଛି। ଏପରିକି ସିଡବ୍ଲୁସି ଭୂମିକା ମଧ୍ଯ ସନ୍ଦେହ ଘେରକୁ ଆସିଛି। କାହିଁକି ଗରିବ ଦମ୍ପତି ହଇରାଣ ହେଲେ। ଆଜି ଗାଡିଭଡା, ମଜୁରୀ ଭଳି କ୍ଷତିର ଭରଣା କରିବ କିଏ ବୋଲି ମଧ୍ଯ ପ୍ରଶ୍ନ ଉଠିଛି। ଏ ସମ୍ପର୍କରେ ସିଡବ୍ଲୁସି ଅଧ୍ୟକ୍ଷା ଶକୁନ୍ତଳା ଚୌଧୁରୀ କହିଛନ୍ତି କିଛି ଆଇନଗତ ପ୍ରକ୍ରିୟା ଥିବାରୁ ଆଜି ଶିଶୁକୁ ହସ୍ତାନ୍ତର କରାଯାଇପାରିନି। ସୋମବାର ହସ୍ତାନ୍ତର କରାଯିବ। ତେବେ ଏଠାରେ ପ୍ରଶ୍ନ ଉଠୁଛି ଶନିବାର କାର୍ଯ୍ଯଦିବସ ଥିବା ବେଳେ କାହିଁକି ହସ୍ତାନ୍ତର କରାଯିବ ନାହିଁ।