ପିସି କାରବାର ଭିଡିଓ ଭାଇରାଲ୍ ଘଟଣା : ପାଟେଣି ଗାଁ ପଂଚାୟତ ପିଇଓଙ୍କୁ ନିଲମ୍ବନ କଲେ ଜିଲ୍ଲାପାଳ

ଜଗତସିଂହପୁର ଟାଉନ: ପାଟେଣି ଗାଁ ପଂଚାୟତରେ ପିସି କାରବାରକୁ ନେଇ ଭିଡ଼ିଓ ଭାଇରାଲ୍ ହେବା ପରେ ଆଜି ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି  । ଜିଲ୍ଲାପାଳ ଶ୍ରୀ ମହାପାତ୍ର ପାଟେଣିଗାଁ ପଂଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଶିମରନ ନାରାୟଣ ଦାସଙ୍କୁ କାର୍ଯ୍ୟାରୁ ନିଲମ୍ବନ କରିଛନ୍ତି ।

ଭିଡିଓରେ ପିସି କାରବାର ସବୁ ଦିଗକୁ ଓଗାଳି ଦେଇଛନ୍ତି ପଂଚାୟତ କାର୍ଯ୍ୟନିର୍ବାହି ଅଧିକାରୀ । କେମିତି ପିସି କାରବାର କରାଯାଏ, କିଏ କେତେ ପ୍ରତିଶତ ନିଅନ୍ତି, ସବୁ କିଛି କହିଛନ୍ତି ପିଇଓ । ଆଉ ସବୁ କିଛି ମୋବାଇଲ୍ କ୍ୟାମେରାରେ ରେକଡିଂ ହୋଇଛି । ଏହି ଭିଡ଼ିଓ ଭାଇରାଲ୍ ହେବା ପରେ ପିସି କାରବାରର କଳା ସତ ପଦାକୁ ଆସିଛି । ଏହାକୁ ନେଇ ବିଭିନ୍ନ ମହଲରେ ଉଦ୍ବେଗ ପ୍ରକାଶ ପାଇଛି ।

ଜଗତସିଂହପୁର ବିଅଁଳ-ପ୍ରହରାଜପୁର ଗୋପାଳଜୀଉ ମଠ ପାଇଁ ଆମ ଗାଁ ଆମ ବିକାଶ ଯୋଜନାରେ ୪ ଲକ୍ଷ ଗୃହ ପାଇଁ ଆସିଥିଲା । କନିଷ୍ଠ ଯନ୍ତ୍ରୀଙ୍କ ନାମରେ କାର୍ଯ୍ୟାଦେଶ ରହିଥିଲା । ଯନ୍ତ୍ରୀଙ୍କ ନାମରେ ଥିଲେ ବି ମଠର ମହନ୍ତ କେଶବ ଦାସ ମହାରାଜଙ୍କୁ କାର୍ଯ୍ୟ କରିବାକୁ ଜେଇ ବୈଠକରେ ଆଲୋଚନା କରି କହିଥିଲେ । ଏହାପରେ ମହନ୍ତଙ୍କ ତତ୍ୱାବଧାନରେ କାର୍ଯ୍ୟ କରାଯାଇଥିଲା । ବୈଠକରେ ଜେଇ କହିଥିଲେ ଯେ ଗ୍ରାମବାସୀଙ୍କ ସହଯୋଗରେ କାମ କରନ୍ତୁ । ଅଫିସରୁ କୌଣସି ପିସି ନିଆଯିବ ନାହିଁ । ତେଣୁ ଅଟକଳ ମୂଲ୍ୟ ଠାରୁ ଅଧିକ ୪ ଲକ୍ଷ ୫୭ ହଜାର ୬୦୦ ଟଙ୍କା ଖର୍ଚ୍ଚ କରାଯାଇ ଘର କରାଯାଇଥିବା ମହନ୍ତ ପ୍ରକାଶ କରିଛନ୍ତି । ଏବେ ରନିଂ ବିଲ୍ ୩ ଲକ୍ଷ ୩ ହଜାର ଟଙ୍କା କରାଯାଇଥିବା ନେଇ କନିଷ୍ଠ ଯନ୍ତ୍ରୀ ସୂଚନା ଦେଇଥିଲେ । ପିଇଓଙ୍କ ନିକଟରୁ ପଂଚାୟତ ଅଫିସକୁ ଚେକ୍ ଆଣିବାକୁ ମହନ୍ତ ଯାଇଥିଲେ । କିନ୍ତୁ ସେଠାରେ ଚେକ୍ ନଦେଇ ପିଇଓ ଫେରାଇ ଦେଇଥିଲେ । ଏହାପରେ ଜଣେ ନେତାଙ୍କ ଘରକୁ ଡକାଇ ପିଇଓ ଚେକ୍ ଦେଲେ । କିନ୍ତୁ ସେ ୩ ଲକ୍ଷ ୩ ହଜାର ଯାଗାରେ ୨ ଲକ୍ଷ ୭୬ ହଜାର ଚେକ୍ ଦେଇଥିଲେ । ପ୍ରଶ୍ନ କରିବାରୁ ୩ ଲକ୍ଷ ୩ ହଜାର ଟଙ୍କା ବିଲରେ ମୋଟ ପିସି କଟି ୨୭ ହଜାର ଟଙ୍କା କଟାଯାଇଛି ବୋଲି ପିଇଓ କହିଥିଲେ । ବିଡିଓ, ଆସିଷ୍ଟାଣ୍ଟ ଇଞ୍ଜିନିୟର, ଜେଇ, କ୍ୟାସିୟର୍, ଚେୟାରମ୍ୟାନ୍ ଓ ନିଜର ମିଶାଇ ୧୧ ପ୍ରତିଶତ ପିସି ଦେବାକୁ ପଡ଼ିବ ବୋଲି କହିଥିଲେ । ଅନୁରୋଧ କରିବାରୁ ସେମିତି ତ କେଉଁଠି କାମ ହୁଏ? ସେମିତି ହେଲେ କଣ ଅଫିସ ଚାଲିବ ବୋଲି ଓଲଟା ବିରକ୍ତି ହୋଇଥିଲେ । ବାକି ଟଙ୍କାରୁ ବରଂ କାଟିବାକୁ ଅନୁରୋଧ କରିଥିଲେ ମହନ୍ତ । କିନ୍ତୁ ସେ ଅଗ୍ରାହ୍ୟ କରିଥିଲେ । ସେମିତି ହୁଏନି କେଉଁଠି, ଯେତେଥର ବିଲ୍ ହେବ ସେତେ ଥର ପିସି କାଟି ନେବୁ ବୋଲି କହିଥିଲେ ପିଇଓ । ଏହାପରେ ଚେକ କାଟି ହାତରେ ଧରାଇ ଚାଲି ଯାଇଥିଲେ ।
କିନ୍ତୁ ଏହି ସବୁ ଘଟଣାକୁ ଜଣେ ବ୍ୟକ୍ତି ମୋବାଇଲରେ ଭିଡ଼ିଓ ରେକଡିଂ କରିଥିଲେ । ଯାହା ମୋବାଇଲରୁ ମୋବାଇଲକୁ ଘୁରି ବୁଲିଥିଲା । ଜିଲ୍ଲା ପ୍ରଶାସନ ଉପରେ ଆଙ୍ଗୁଳି ଉଠିଥିଲା ।

ତେବେ ଏନେଇ ଜିଲ୍ଲାପାଳ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ଜିଲ୍ଲାପାଳ କହିଛନ୍ତି ଯେ ମୋ ନଜରକୁ ଆସିବା ପରେ ତୁରନ୍ତ ଘଟଣାର ତଦନ୍ତ କରିବା ପାଇଁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଦାୟିତ୍ୱ ଦିଆଯାଇଥିଲା ।  ଆଜି ସେ ତାଙ୍କର ରିପୋର୍ଟ ଦେବା ପରେ ପିଇଓଙ୍କୁ ନିଲମ୍ବନ କରାଯାଇଛି । ମୋର ଜିଲ୍ଲାରେ ପ୍ରଥମ ଦିନରୁ ସଙ୍କଳ୍ପ ରହିଛି ଜିରୋ ଟଲରାନ୍ସ । ଆଜିକୁ ମିଶାଇ ୬୩ ଜଣଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ହୋଇ ସାରିଲାଣି । ପୂର୍ବରୁ ଜିଲ୍ଲା ଇତିହାସରେ ଏହା ହୋଇ ନଥିଲା । ଏହାକୁ ଧାରଣ ଲୋକମାନେ ମଧ୍ୟ ସ୍ୱାଗତ କରିଛନ୍ତି । ଆଗାମୀ ଦିନରେ ଏଭଳି ଦୃଷ୍ଟାନ୍ତ ମୂଳକ ପଦକ୍ଷେପ ନିଆଗଲେ ଜିଲ୍ଲାରେ ନିଶ୍ଚିତ ପ୍ରଶାସନିକ ଶୃଙ୍ଖଳା ଓ ସଂସ୍କାର ଆସିପାରିବ ବୋଲି କହିଛନ୍ତି ।

ସମ୍ବନ୍ଧିତ ଖବର