ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ଡେରିକିରେ ରାସ୍ତାରୋକ

ଗାରୋଇ: ବିବାଦୀୟ ଫାର୍ମାସିଷ୍ଟ୍‌ଙ୍କୁ ତୁରନ୍ତ ହଟାଇବା ଓ ଡେରିକି ଡାକ୍ତରଖାନାରେ ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ଆଜି ଡେରିକି ମେଡିକାଲ ସମ୍ମୁଖରେ ରାସ୍ତାରୋକ କରାଯାଇଛି। ଫଳରେ, ଶିଖରଘାଟ-ଗାରୋଇ ଯୋଗାଯୋଗ ଦୀର୍ଘ ସମୟ ଧରି ବନ୍ଦ ରହିଛି ଓ ଉଭୟ ପାର୍ଶ୍ବରେ ବହୁସଂଖ୍ୟକ ଯାନବାହନ ଅଟକି ରହିଥିଲା। ଗାରୋଇ ପୁଲିସ ହସ୍ତକ୍ଷେପ କରି ଲୋକଙ୍କୁ ବୁଝାସୁଝା କରିବା ସହ ବିବାଦୀୟ ଫାର୍ମାସିଷ୍ଟ୍‌ ଡାକ୍ତରଖାନାରୁ ପଳାଇ ଯିବାରୁ ରାସ୍ତାରୋକ ପ୍ରତ୍ୟାହାର ହୋଇଥିଲା।
ନାଉଗାଁ ବ୍ଲକ୍‌ ଡେରିକିଠାରେ ୧୯୮୩ ମସିହାରେ ପ୍ରାଥମିକ ସ୍ବାସ୍ତ୍ୟକେନ୍ଦ୍ର ଖୋଲିଥିଲେ ବି ସେଠାରେ ଭିନ୍ନ ଭିନ୍ନ ସମୟରେ ଡାକ୍ତର ଅନୁପସ୍ଥିତ ରହୁଥିଲେ। ହେଲେ, ୨୦୧୨ ମସିହାରୁ ଏଯାବତ୍‌ ଦୀର୍ଘ ୭ବର୍ଷ ଧରି ଏହି ଚିକିତ୍ସାଳୟରେ ସ୍ଥାୟୀ ଡାକ୍ତର ନାହାନ୍ତି। ଏହାକୁ ନେଇ ‘ସମ୍ବାଦ’ ପୃଷ୍ଠାରେ ବହୁବାର ଖବର ପ୍ରକାଶ ପାଇଥିବା ବେଳେ ଗତବର୍ଷ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ମଧ୍ୟ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଆନ୍ଦୋଳନ ପରେ ଏଠାରେ ତିନି ଜଣ ଡାକ୍ତର ନିଯୁକ୍ତି ପାଇଥିଲେ ବି ସେମାନେ ସମସ୍ତେ ଦିନେ/ଦୁଇଦିନ ରହି ଅନ୍ୟତ୍ର ପଳାଇଥିଲେ। ଗତ କିଛିଦିନ ତଳେ ଏଠାକୁ ଜିଲ୍ଲା ଚିକିତ୍ସାଳୟରୁ ଜ‌ଣେ ଫାର୍ମାସିଷ୍ଟ୍‌ଙ୍କୁ ପଠା ଯାଇଥିଲା। ତେବେ, ଉକ୍ତ ଫାର୍ମାସିଷ୍ଟ୍‌ଜଣକ ନିଶା ସେବନ କରି ଡ୍ୟୁଟି କରିବାର ପୂର୍ବରୁ ଅଭିଯୋଗ ଥିବାରୁ ଅଞ୍ଚଳବାସୀ ତାଙ୍କ ନିଯୁକ୍ତିକୁ ବିରୋଧ କରିଥିଲେ। ଏହା ଉପରେ ସ୍ବାସ୍ଥ୍ୟବିଭାଗର ବରିଷ୍ଠ ଅଧିକାରୀମାନେ କୌଣସି ପଦକ୍ଷେପ ନ ନେବାରୁ ତା’ ପ୍ରତିବାଦରେ ତଥା ସ୍ଥାୟୀ ଡାକ୍ତର ନିଯୁକ୍ତି ଦାବିରେ ଆଜି ସ୍ଥାନୀୟ ଲୋକେ ଡେରିକି ଚିକିତ୍ସାଳୟ ସମ୍ମୁଖରେ ରାସ୍ତାରୋକ କରିଥିଲେ। ସକାଳ ୯ଟାରୁ ଆରମ୍ଭ ହୋଇଥିବା ଏହି ରାସ୍ତାରୋକ ପ୍ରାୟ ଘଣ୍ଟାଏ ଧରି ଚାଲିଥିଲା। ଗାରୋଇ ଫାଣ୍ଡି ଅଧିକାରୀ ସୁରେନ୍ଦ୍ର କୁମାର ବଳ ଘଟଣାସ୍ଥଳରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରିଥିଲେ। ଏହି ସମୟରେ ସ୍ବାସ୍ଥ୍ୟ ବିଭାଗଠାରୁ ନିର୍ଦ୍ଦେଶ ପାଇ ବିବାଦୀୟ ଫାର୍ମାସିଷ୍ଟ୍‌ ଉକ୍ତ ଡାକ୍ତରଖାନାରୁ ପଳାଇବାରୁ ଆନ୍ଦୋଳନକାରୀମାନେ ରାସ୍ତାରୋକ ପ୍ରତ୍ୟାହାର କରିଥିଲେ। ତେବେ, ସେମାନେ ଡାକ୍ତରଖାନାର ଅବ୍ୟବସ୍ଥା, ସ୍ଥାୟୀ ଡାକ୍ତର ଅଭାବ ଓ ବିବାଦୀୟ ଫାର୍ମାସିଷ୍ଟ୍‌ଙ୍କ ସ୍ଥାନାନ୍ତରଣ ପାଇଁ ୨ଶହ ଲୋକଙ୍କ ଦସ୍ତଖତ ସମ୍ବଳିତ ଦାବିପତ୍ର ଜିଲ୍ଲାପାଳ, ଜିଲ୍ଲା ମୁଖ୍ୟ ଚିକତ୍ସାଧିକାରୀ ଓ ସ୍ଥାନୀୟ ବିଧାୟକଙ୍‌କୁ ପ୍ରଦାନ କରିଛନ୍ତି। ୭ ଦିନ ମଧ୍ୟରେ ଡାକ୍ତର ପଦବି ପୂରଣ କରିବା ସହ ବିବାଦୀୟ ଫାର୍ମାସିଷ୍ଟଙ୍କୁ ନିଯୁକ୍ତି ନ ଦେବା ପାଇଁ ଦାବି କରାଯାଇଛି।
ଏ ସମ୍ପର୍କରେ ସିଡିଏମ୍‌ଓ ଡାକ୍ତର ଅଜୟ ବୈଠାରୁଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଜିଲ୍ଲାପାଳଙ୍କ ସହ ବିଚାରବିମର୍ଶ କରାଯାଇ ଉକ୍ତ ଫାର୍ମାସିଷ୍ଟ୍‌ଙ୍କୁ ଦଣ୍ଡମୂଳକ ଭାବେ ନାଉଗାଁ ନାଉଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠା ଯାଇଥିଲା। ହେଲେ, ଡେରିକି ସ୍ବାସ୍ଥ୍ୟକେନ୍ଦ୍ରରେ କର୍ମଚାରୀ ଅଭାବ ଥିବାରୁ ତାଙ୍କୁ ସେଠାରେ ଯୋଗଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ୧୫ ଦିନ ପର୍ଯ୍ୟନ୍ତ ତାଙ୍କ କାର୍ଯ୍ୟ ସମ୍ପାଦନ ଉପରେ ବ୍ଲକ ସ୍ବାସ୍ଥ୍ୟ ଅଧିକାରୀ ନଜର ରଖିବା ସହ ଜିଲ୍ଲାପାଳଙ୍କୁ ତଥ୍ୟ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା ବୋଲି ଡାକ୍ତର ବୈଠାରୁ କହିଛନ୍ତି।

ସମ୍ବନ୍ଧିତ ଖବର