ପେଟ୍ରୋଲ ପମ୍ପ୍‌ ଗୁଳିକାଣ୍ଡ: ଦୁଇ ଅଭିଯୁକ୍ତ ଗିରଫ

ଜଗତସିଂହପୁର ଟାଉନ୍‌: ପିଙ୍ଗଳସ୍ଥିତ ଏସ୍‌ଆର୍‌ ପେଟ୍ରୋଲ ପମ୍ପରେ ହୋଇଥିବା ଗୁଳିକାଣ୍ଡ ଘଟଣାର ଦ୍ୱିତୀୟ ଅଭିଯୁକ୍ତ କୁଖ୍ୟାତ ଅପରାଧୀ ସୂର୍ଯ୍ୟକାନ୍ତ ସ୍ୱାଇଁକୁ ପୁଲିସ ଗିରଫ କରିଛି। ଏହି ଘଟଣାର ଅନ୍ୟଜଣେ ଅଭିଯୁକ୍ତ ଦୁର୍ଗାପ୍ରସାଦ ସାହୁ ଓରଫ ଶିଶିର ଗତକାଲି ଗିରଫ ହୋଇଥିବା ବେଳେ ଆଜି ପୁଲିସ ସୂର୍ଯ୍ୟକାନ୍ତକୁ ଗିରଫ କରିଛି। ସୂର୍ଯ୍ୟକାନ୍ତ ନାଁରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ଥାନାରେ ୧୦ଟି ମାମଲା ରହିଥିବା ବେଳେ ଦ୍ୱିତୀୟ ଅଭିଯୁକ୍ତ ଶିଶିର ନାଁରେ ଜଗତସିଂହପୁର ଓ ରାଜଧାନୀର ବିଭିନ୍ନ ଥାନାରେ ୫ଟି ମାମଲା ରହିଥିବା ପୁଲିସ ପ୍ରକାଶ କରିଛି। ଗୁଳିକାଣ୍ଡ ଦିନ ସେମାନେ ବ୍ୟବହାର କରିଥିବା ଗୋଟିଏ ୯ଏମ୍‌ଏମ୍‌ ପିସ୍ତଲ, ଗୋଟିଏ ମାଗାଜିନ୍‌, ୪ଟି ଅଫୁଟା ଗୁଳି ଓ ଓଡି-୨୧-ଏଫ୍‌-୩୫୧୫ ନମ୍ବର ପଲସର୍‌ ବାଇକ୍‌କୁ ପୁଲିସ ଜବତ କରିଛି।
ପୁଲିସ ସୂତ୍ରରୁ ମିଳିଥିବା ତଥ୍ୟ ମୁତାବକ, ଗତ ୧୮ ତାରିଖ ରାତିରେ ସୂର୍ଯ୍ୟକାନ୍ତ ଓ ଶିଶିର ଆଳିପିଙ୍ଗଳସ୍ଥିତ ସୁଧାଂଶୁ ଭୂଷଣ ଦାସଙ୍କ ଏସ୍‌ଆର୍‌ ପେଟ୍ରୋଲ ପମ୍ପରେ ପହଞ୍ଚି ୧୦ ହଜାର ଟଙ୍କା ବଟି ମାଗିଥିଲେ। କର୍ମଚାରୀମାନେ ବଟି ନ ଦେବାରୁ ସେ ଦୁହେଁ ପମ୍ପ୍‌ କର୍ମଚାରୀଙ୍କୁ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ। ଏହି ସମୟରେ ପେଟ୍ରୋଲ ପମ୍ପ୍‌ ମାଲିକ ସୁଧାଂଶୁ ପହଞ୍ଚିଯିବାରୁ ଅଭିଯୁକ୍ତଦ୍ୱୟ କର୍ମଚାରୀଙ୍କୁ ଛାଡ଼ି ସୁଧାଂଶୁଙ୍କୁ ଘେରି ବଟି ମାଗିଥିଲେ। ସୁଧାଂଶୁ ବଟି ଦେବାକୁ ମନା କରିବାରୁ ସେମାନେ ତାଙ୍କ ଉପରକୁ ଗୁଳି ଚଳାଇଥିଲେ। ତେବେ, ଗୁଳିଟି ସୁଧାଂଶୁଙ୍କ ଦେହରେ ନ ବାଜି କାନ୍ଥରେ ବାଜି ଥିଲା। ଏହାପରେ ସୂର୍ଯ୍ୟକାନ୍ତ ଓ ଶିଶିର ସମସ୍ତଙ୍କୁ ଭୟଭୀତ କରିବା ପାଇଁ ଫାଙ୍କା ଗୁଳିଚାଳନା କରିଥିଲେ ସୁଧାଂଶୁଙ୍କ ପାଖରେ ଥିବା ୫ ହଜାର ଟଙ୍କା ଛଡ଼ାଇ ନେଇ ଫେରାର୍‌ ହୋଇ ଯାଇଥିଲେ। ଏ ନେଇ ସୁଧାଂଶୁ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ କରି ଗତକାଲି ଶିଶିର ଓ ଆଜି ସୂର୍ଯ୍ୟକାନ୍ତକୁ ଗିରଫ କରିଛି।

ସମ୍ବନ୍ଧିତ ଖବର