ଓଡ଼ିଶା ପୁନର୍ବାସ ଓ ଥଇଥାନ ନୀତି-୨୦୦୬ ଅନୁଯାୟୀ, ଥଇଥାନ ଓ ପାରିପାର୍ଶ୍ବିକ ବିକାଶ ଉପଦେଷ୍ଟା କମିଟି (ଆର୍ପିଡିଏସି) ବୈଠକ ପାଇଁ ରାଜ୍ୟ ସରକାର ୨୦୦୬ ଜୁଲାଇ ୬ରେ ମାର୍ଗଦର୍ଶିକା ଜାରି କରିଥିଲେ, ଯେଉଁଥିରେ ନିର୍ଦ୍ଦିଷ୍ଟ ପ୍ରକଳ୍ପ ପାଇଁ ଅନ୍ୟୂନ ୩ ମାସରେ ଥରେ ବୈଠକ କରିବାକୁ ନିର୍ଦ୍ଦେଶ ରହିଛି। ମାତ୍ର, ବର୍ଷବର୍ଷ ଧରି ବୈଠକ ବସୁନାହିଁ। ଫଳରେ, ବିଭିନ୍ନ ପ୍ରକଳ୍ପ, ଶିଳ୍ପାନୁଷ୍ଠାନ, ଖଣି ପ୍ରଭୃତି କାର୍ଯ୍ୟକାରୀ କରିବାକୁ ସରକାରଙ୍କ ଆରଆର ପଲିସି(ପୁନର୍ବାସ ଓ ଥଇଥାନ ନୀତି) କାର୍ଯ୍ୟକାରୀ ହେଉନାହିଁ। ବିସ୍ଥାପିତଙ୍କ ଦୁଃଖ ବି ଦୂର ହେଉନାହିଁ।
ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାର ବନ୍ଦର ନଗରୀ ପାରାଦୀପରେ ରହିଛି ଏକାଧିକ ବୃହତ ଶିଳ୍ପ। କିନ୍ତୁ ଅଞ୍ଚଳର ଦ୍ରୁତ ବିକାଶ ପରିବର୍ତ୍ତେ ପରିବେଶ ପ୍ରଦୂଷଣ, ଭିତ୍ତିଭୂମି ସମସ୍ୟାକୁ ନେଇ ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। କିନ୍ତୁ ଶିଳ୍ପ ସଂସ୍ଥାଙ୍କ ସାମାଜିକ ଦାୟିତ୍ବ କାର୍ଯ୍ୟକ୍ରମ ଉପରେ ନଜର ରଖିବାକୁ ଥିବା ଆରପିଡିସି ବୈଠକ ଦୀର୍ଘ ଦିନ ଧରି ବସୁନାହିଁ। ଅତି କମ୍ରେ ପ୍ରତି ତିନି ମାସରେ ପୁନଃଥଇଥାନ ଏବଂ ପାରିପାର୍ଶ୍ବିକ ଉନ୍ନତି ମାର୍ଗଦର୍ଶନ କମିଟି (ଆରପିଡିସି) ବୈଠକ ହେବା କଥା। ମାତ୍ର ଜଗତସିଂହପୁର ଜିଲ୍ଲାରେ ପ୍ରାୟ ତିନିବର୍ଷରୁ ଅଧିକ ସମୟ ହେବ ଆରପିଡିସି ବୈଠକ ବସି ପାରିନାହିଁ। ଯଦିଓ ଗତ ଦୁଇ ବର୍ଷ ହେଲା କୋଭିଡ୍ ସମସ୍ୟା ଯୋଗୁଁ ଏହା ସମ୍ଭବ ହୋଇପାରିନାହିଁ କିନ୍ତୁ ଏହାର ଫାଇଦା ନେଇ ଶିଳ୍ପ ସଂସ୍ଥା ଗୁଡ଼ିକ ସମାଜର ଉନ୍ନତି ପାଇଁ ଯେତିକି ପଦକ୍ଷେପ ନେବା କଥା, ତାହା ନେଉନାହାନ୍ତି। ବିଶେଷ କରି ୧୦ରୁ ଅଧିକ ବଡ଼ ଓ ଛୋଟ ଶିଳ୍ପ ସଂସ୍ଥା ରହି ମଧ୍ୟ ପାରାଦୀପ ଓ ଏହାର ଉପକଣ୍ଠ ଅଞ୍ଚଳ ଗୁଡ଼ିକରେ ସେମିତି କୌଣସି ଆଖିଦୃଶିଆ ଉନ୍ନତି ଦେଖିବାକୁ ମିଳିନାହିଁ।
ଆରପିଡିସି କମିଟିର ମୁଖ୍ୟ ଆର୍ଡିସି ହୋଇଥିବାବେଳେ ଆବାହକ ହେଉଛନ୍ତି ଜିଲ୍ଲାପାଳ। ଏହା ସହିତ କମିଟିର ସଦସ୍ୟଭାବେ ସାଂସଦ, ବିଧାୟକ, ଜିଲ୍ଲା ପରିଷଦ, ଗ୍ରାମ୍ୟ ଉନ୍ନୟନ ବିଭାଗ ପ୍ରକଳ୍ପ ନିର୍ଦ୍ଦେଶେକ, ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ଓ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଦସ୍ୟମାନେ ରହିଛନ୍ତି। କୌଣସି ସ୍ଥାନୀୟ ସମସ୍ୟାର ଯଦି ଜିଲ୍ଲାସ୍ତରରେ ସମାଧାନ ହୋଇନପାରିଲା, ତେବେ ଏ ସଂକ୍ରାନ୍ତରେ ଆରପିଡିସି ବୈଠକରେ ଆଲୋଚନା ହୁଏ। ମାତ୍ର ଜଗତସିଂହପୁର ଜିଲ୍ଲାରେ ଗତ ତିନି ବର୍ଷ ପୂର୍ବରୁ ତତକାଳୀନ ଜିଲ୍ଲାପାଳ ଯାମିନି ଷଡ଼ଙ୍ଗୀଙ୍କ ସମୟରେ ଏହି ବୈଠକ ହେଇଥିଲା। ଏହାପରେ ଗୁହା ପୁନମ ତାପସ କୁମାର, ସରୋଜ କୁମାର ମିଶ୍ର ଓ ସଂଗ୍ରାମ କେଶରୀ ମହାପାତ୍ର ଜିଲ୍ଲାପାଳ ରହିଛନ୍ତି। ମାତ୍ର ଏହି ବୈଠକ ଆୟୋଜନ ହୋଇପାରି ନାହିଁ। ଯଦିଓ ପୂର୍ବତନ ଜିଲ୍ଲାପାଳ ଶ୍ରୀ ମହାପାତ୍ର କେତୋଟି ଶିଳ୍ପ ସଂସ୍ଥାର ସିଏସଆର ପାଣ୍ଠିକୁ ବିନିଯୋଗ କରି ପାରାଦୀପରେ ଓଭରବ୍ରିଜ୍, ପର୍ଯ୍ୟଟନସ୍ଥଳୀ ଉନ୍ନତି ଓ ଏହାର ଉପକଣ୍ଠ ଅଞ୍ଚଳରେ ବହୁମୁଖୀ ଆଶ୍ରୟସ୍ଥଳ ନିର୍ମାଣ କରିବା ପାଇଁ ପଦକ୍ଷେପ ନେଇଥିଲେ। ମାତ୍ର ଆହୁରି ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଏବେ ବି ବାକି ରହିଛି। ପାରାଦୀପ ବନ୍ଦର, ଆଇଓସିଏଲ, ପିପିଏଲ, ଇଫକୋ, ଏଏମ୍/ଏନ୍ଏସ୍ ଭଳି ବୃହତ୍ତ ଓ ଏକାଧିକ ଛୋଟ ଛୋଟ ଶିଳ୍ପ ସଂସ୍ଥା ପାରାଦୀପ ଅଞ୍ଚଳରେ ରହିଛି। ମାତ୍ର ଏଠାରେ ସର୍ବଦା ସ୍ଥାନୀୟ ନିଯୁକ୍ତିକୁ ନେଇ ସମସ୍ୟା ସୃଷ୍ଟି ହୋଇଛି। ଏହି ସଂସ୍ଥା ଗୁଡ଼ିକର ସିଏସଆର୍ ପାଣ୍ଠି ବିନିଯୋଗକୁ ନେଇ ସର୍ବଦା ପ୍ରଶ୍ନବାଚୀ ସୃଷ୍ଟି ହେଉଛି।
ଏଭଳି ସ୍ଥିତିରେ ଆରପିଡିସି ବୈଠକ ନ ହେବା ଶିଳ୍ପ ସଂସ୍ଥା ଗୁଡ଼ିକୁ ସୁହାଉଛି।