ପଲିଟେକ୍‌ନିକ୍‌ କଲେଜ ଛାତ୍ରୀ ହନ୍ତସନ୍ତ:ଫାଟକ ବନ୍ଦ କରି ଧାରଣା ଦେଲେ

ଡେରାବିଶ: ଡେରାବିଶ ବ୍ଲକ ଅନ୍ତର୍ଗତ ଛତାସ୍ଥିତ କେନ୍ଦ୍ରାପଡା ପଲିଟେକ୍‌ନିକ କଲେଜର ଛାତ୍ରୀ ନିବାସରେ ୨ ଦିନ ଧରି ରୋଷେଇ ବନ୍ଦ ରହିଛି। ବିଦ୍ୟୁତ୍‌ ସରବରାହ ଓ ପାନୀୟ ଜଳ ଯୋଗାଣ ବି ବନ୍ଦ ରହିଛି। ଏ ନେଇ ଆଜି ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଆଶାନ୍ତି ଦେଖାଯାଇଛି। ସମସ୍ୟାର ସମାଧାନ ପାଇଁ ବାରମ୍ବାର ଗୁହାରି ଜଣାଇ ବିଫଳ ହେବା ପରେ ସେମାନେ ଆଜି କଲେଜ ମୁଖ୍ୟ ଫାଟକ ସମ୍ମୁଖରେ ଧାରଣା ଦେଇଛନ୍ତି। ଟାୟାର ଜାଳି ରାସ୍ତା ଅବରୋଧ କରି ପ୍ରତିବାଦ ଜଣାଇଛନ୍ତି।
ସୂଚନା ଅନୁଯାୟୀ, କଲେଜ ପରିସରରେ ଥିବା ଛାତ୍ରୀ ନିବାସରେ ଗତ ବୁଧବାରଠାରୁ ୨ ଦିନ ହେଲା ଦାୟିତ୍ୱରେ ଥିବା ଠିକା ସଂସ୍ଥା ରୋଷେଇ ବନ୍ଦ କରି ଦେଇଛି। ଏହାଦ୍ୱାରା ଛାତ୍ରୀମାନେ ଖାଇବା ପାଇଁ ନାହିଁ ନ ଥିବା ଅସୁବିଧା ଭୋଗିଥିଲେ । ଏହି ସମସ୍ୟା ଟଳି ନ ଥିବା ବେଳେ ଗୁରୁବାରଠାରୁ ଛାତ୍ରୀ ନିବାସକୁ ବିଦ୍ୟୁତ୍‌ ସେବା ବନ୍ଦ ହୋଇଯାଇଥିଲା। ଏଥିଯୋଗୁ ପାଠ ପଢାରେ ବ୍ୟାଘାତ ହେବା ସହ ପିଇବା ପାଣି ପାଇଁ ସେମାନେ ଡହଳବିକଳ ହେଉଥିବା ଅଭିଯୋଗ କରିଛନ୍ତି। ଖର୍ଚ୍ଚାନ୍ତ ହୋଇ ହୋଟେଲରେ ଖାଇବା ସହ ବଜାରରେ ମିଳୁଥିବା ପାଣି ବୋତଲ କିଣି ପିଉଥିବା କେତେକ ଛାତ୍ରୀ କହିଛନ୍ତି । ଏ ସଂପର୍କରେ ସେମାନେ କଲେଜ ଅଧ୍ୟକ୍ଷାଙ୍କୁ ଅବଗତ କରାଇଥିଲେ ମଧ୍ୟ ଏ ଦିଗରେ କୈାଣସି ପଦକ୍ଷେପ ନ ନେବାରୁ ବାଧ୍ୟ ହୋଇ ସେମାନେ ଆନ୍ଦୋଳନକୁ ଓହ୍ଲାଇଥିଲେ। କଲେଜ ଫାଟକ ବନ୍ଦ କରି ଧାରଣାରେ ବସି ରହିବା ସହ ଭିତରକୁ କାହାରିକୁ ଛାଡ଼ି ନ ଥିଲେ। ଗେଟ ସମ୍ମୁଖରେ ଟାୟାର ଜାଳି ପ୍ରତିବାଦ ଜଣାଇଥିଲେ।
ତେବେ ସୂଚନା ପାଇ ଡେରାବିଶ ଥାନା ଅଧିକାରୀ ସୁଧିର ରଞ୍ଜନ ସାହୁ ଘଟଣାସ୍ଥଳରେ ପହଂଚି ଏହି ଘଟଣାରେ ହସ୍ତକ୍ଷେପ କରି ଛାତ୍ରଛାତ୍ରୀ ଓ କଲେଜ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବା ପରେ ଅପରାହ୍ନ ୨ଟାରେ ସେମାନେ ଧାରଣାରୁ ଓହରି ଯାଇଥିଲେ।

ସମ୍ବନ୍ଧିତ ଖବର