କେବେ ଖୋଲିବ ପୋସ୍କୋ ବୋମା ବିସ୍ଫୋରଣ ରହସ୍ୟ?

୭ ବର୍ଷ ତଳୁ ଚାର୍ଜସିଟ୍‌ ଦେଲାଣି ଅଭୟଚାନ୍ଦପୁର ଥାନା

ଜଗତସିଂହପୁର: ୨୦୧୩ ମସିହାରେ ପୋସ୍କୋକୁ ନେଇ ହୋଇଥିବା ଲଢେ଼ଇରେ ବୋମା ଭିଡ଼ୁଥିବା ସମୟରେ ବିସ୍ଫୋରଣ ଯୋଗୁଁ ୩ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ମୃତ ବ୍ୟକ୍ତିମାନେ ପ୍ରଶାସନ ଓ ପୋସ୍କୋ ସପକ୍ଷବାଦୀଙ୍କୁ ହତ୍ୟା କରିବା ପାଇଁ ବୋମା ଭିଡ଼ୁଥିଲେ ବୋଲି ଥାନାରେ ଅଭିଯୋଗ ହୋଇଥିଲା। ଏଣୁ ଏହି ମାମଲାର ପୁଣି ଥରେ ହୋଇଥିବା ଶୁଣାଣି ଆସନ୍ତା ୧୫ ତାରିଖକୁ ଘୁଂଚିଛି। ତେବେ, ଦୀର୍ଘ ୭ବର୍ଷ ତଳର ଏହି ସ୍ପର୍ଶକାତର ମାମଲା ଉପରୁ ନିଶ୍ଚୟ ରହସ୍ୟ ଉଠିବ ବୋଲି ଆଶା କରାଯାଉଛି।

୨୦୧୩ ମାର୍ଚ୍ଚ ୨ ତାରିଖରେ ବୋମା ଭିଡ଼ୁଥିବା ସମୟରେ ବିସ୍ଫୋରଣ ଘଟିବାରୁ ମନିଆ ଜେନା, ତରୁଣ ମଣ୍ତଳ ଓ ନରି ସାହୁଙ୍କର ମୃତ୍ୟୁ ହୋଇଥିଲା। ସେତେବେଳେ ପ୍ରଶାସନ ପକ୍ଷରୁ ରଂଜନ ବର୍ଦ୍ଧନ କୁଜଙ୍ଗ ଥାନାରେ ଅଭିଯୋଗ କରିଥିଲେ ଯେ, ଏହି ମୃତ ବ୍ୟକ୍ତିମାନେ ପ୍ରଶାସନ ଓ ପୋସ୍କୋ ସପକ୍ଷବାଦୀମାନଙ୍କୁ ହତ୍ୟା କରିବା ପାଇଁ ବୋମା ଭିଡ଼ୁଥିଲେ। ଏଣୁ ପୁଲିସ ଏହି ମୃତ ବ୍ୟକ୍ତିମାନଙ୍କ ବିରୋଧରେ ମାମଲା ରୁଜୁ କରିଥିଲା। ପରେ ଏହି ମାମଲାର ତଦନ୍ତ କରି ପୁଲିସ ତୁରନ୍ତ, ଅର୍ଥାତ ଘଟଣାର ୮ ଦିନ ମଧ୍ୟରେ ଚାର୍ଜସିଟ୍ ପ୍ରଦାନ କରିଥିଲା।

ଏହି ମାମଲାରେ ୭ଜଣଙ୍କ ବିରୋଧରେ ମାମଲା ରୁଜୁ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୫ଜଣ ଫେରାର ଥିବା ଦର୍ଶାଇଥିଲା। ଏହାସହ ପୁଲିସ ଚାର୍ଜସିଟ୍‌ରେ ଘଟଣାସ୍ଥଳରୁ ଟିଫିନ ବକ୍ସ୍, ଗୋଟିଏ ତରଳି ଯାଇଥିବା ବ୍ୟାଗ୍, କିଛି ଭଙ୍ଗା ବ୍ଲେଡ୍, ଧଳାରଙ୍ଗର ପାଉଡର, ବୋମା ତିଆରିରେ ବ୍ୟବହାର ହେଉଥିବା ହଳଦିଆ ପାଉଡର ଓ ଗୋଟିଏ ଭଙ୍ଗା ନୋକିଆ ମୋବାଇଲ ଜବତ କରାଯାଇଥିଲା। ଏତେ ସବୁ ଜିନିଷ ମୃତକଙ୍କ ନିକଟରୁ ମିଳିଥିବାରୁ ଏମାନେ ବୋମା ଭିଡ଼ୁଥିବା ବେଳେ ଏହି ବିସ୍ପୋରଣ ହେଲା ବୋଲି ଜୋରଦାର ଚର୍ଚ୍ଚା ହୋଇଥିଲା।

ମାତ୍ର ଯେତେବେଳେ ପୋସ୍କୋ ଓଡ଼ିଶା ଛାଡ଼ି ପଳାଇଲା, ସେତେବେଳେ ଏହି ମାମଲା ଶୀତଳଭଣ୍ତାରରେ ରହିଗଲା। ଯେଉଁ ତିନିଜଣଙ୍କର ମୃତ୍ୟୁ ହେଲା, ସେମାନଙ୍କୁ ବୋମା ଭିଡ଼ିବା ପାଇଁ କିଏ ପ୍ରୋତ୍ସାହନ ଦେଇଥିଲା? ଏହି ସମ୍ପୂର୍ଣ୍ଣ ଘଟଣା ପଛରେ କିଏ ରହିଥିଲା? ସେ ସବୁ କିଛି ଅନ୍ଧାରରେ ରହିଗଲା। ଏହି ମାମଲାରେ ପୁଲିସ ଅଭିଯୁକ୍ତ ଦର୍ଶାଇଥିବା ଗୋବିନ୍ଦପୁରର କ୍ଷୀର ଦାସ ଏବେ ପୁଣି କୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି। ଏହି ମାମଲାରେ ଠିକ୍ ଭାବେ ତଦନ୍ତ କରାଯାଇ ନାହିଁ, ଏହାର ପୁନଃ ତଦନ୍ତ କରିବା ପାଇଁ ସେ ଆବେଦନ କରିଛନ୍ତି।

ଦୀର୍ଘ ୭ବର୍ଷ ହେଲା ପୁଲିସ ଏହି ମାମଲାର ଚାର୍ଜସିଟ୍ ପ୍ରଦାନ କରିଥିଲେ ମଧ୍ୟ ଘଟଣା ଏବେ ବି ରହସ୍ୟଘେରରେ ରହିବାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏଣୁ କୋର୍ଟରେ ଏ ନେଇ ଶୁଣାଣି ଆରମ୍ଭ ହୋଇଗଲେ ସବୁକିଛି ସ୍ପଷ୍ଟ ହୋଇଯିବ ବୋଲି ଆଶା କରାଯାଉଛି। ଏତେବଡ଼ ଯୋଜନା କରିଥିବା ବ୍ୟକ୍ତିମାନଙ୍କର ମୁଖା ଖୋଲିଯିବ ବୋଲି ସାଧାରଣରେ ମତପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର