ଜଗତସିଂହପୁରରେ ଜୁଲାଇ ୩୧ ପର୍ଯ୍ୟନ୍ତ କରୋନା କଟକଣା : ସରକାରୀ ଅଫିସକୁ ସାଧାରଣ ଲୋକ ଆସିବା ମନା, କର୍ମଚାରୀ ଅନ୍ୟ ଜିଲ୍ଲାକୁ ଯାଇପାରିବେ ନାହିଁ

ଜଗତସିଂହପୁର : ଜଗତସିଂପୁର ଜିଲ୍ଲାରେ କରୋନା ଦ୍ରୁତ ଗତିରେ ମାଡ଼ିଚାଲିଥିବା ପରିପ୍ରେକ୍ଷୀରେ ଜିଲ୍ଲା ପ୍ରଶାସନ ପକ୍ଷରୁ  କେତେକ କଟକଣା ଲାଗୁ କରାଯାଇଛି । ଜନସାଧାରଣ ଓ ସରକାରୀ କର୍ମଚାରୀଙ୍କ ନିରାପତ୍ତା ପାଇଁ ଲୋକମାନଙ୍କୁ ବିଭିନ୍ନ ସରକାରୀ ଅଫିସ ଯିବାକୁ ବାରଣ କରାଯାଇଛି । ଜରୁରୀ ସେବା ପାଇବା ପାଇଁ ଅନଲାଇନ କିମ୍ବା ସୋସିଆଲ ମିଡିଆ ମାଧ୍ୟମରେ ସଂପ୍‌କ୍ତ ବିଭାଗ ସହ ଯୋଗାଯୋଗ କରିବାକୁ କୁହାଯାଇଛି । ଲୋକମାନେ ମଧ୍ୟ ବିଭିନ୍ନ ସରକାରୀ ବିଭାଗ ଆଗରେ ଥିବା ଅଭିଯୋଗ ବାକ୍ସରେ ନିଜର ଆପତ୍ତି ଅଭିଯୋଗ ଦାଖଲ କରିପାରିବେ । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ  ଏହା ବଳବତ୍ତର ରହିବ ।

ଅନ୍ୟପକ୍ଷରେ ହଟସ୍ପଟ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଯିବାଆସିବା ଉପରେ ସଂପୂର୍ଣ୍ଣ କଟକଣା ଲଗାଯାଇଛି । ବିନା ପାସରେ କୌଣସି ବ୍ୟକ୍ତି  ହଟସ୍ପଟ ଅଞ୍ଚଳକୁ ଯିବାଆସିବା କରିପାରିବେ ନାହିଁ । ସେହିପରି ସରକାରୀ କର୍ମଚାରୀମାନେ ଅନ୍ୟ ଜିଲ୍ଲାଗୁଡ଼ିକୁ ଯିବାଆସିବା କରିପାରିବେ ନାହିଁ । ତେବେ ମେଡିକାଲ ସେବା ସମେତ ଅନ୍ୟ ଜରୁରୀକାଳୀନ ସେବାକୁ ଏହି କଟକଣାରୁ ମୁକ୍ତ ରଖାଯାଇଛି । ଗୋଟିଏ ଅଞ୍ଚଳର ତହସିଲଦାର ଜରୁରୀ ସେବା ପାଇଁ ପାସ ଜାରି କରିପାରିବେ । ଟ୍ରକରେ ଆସୁଥିବା ଜରୁରୀ ସାମଗ୍ରୀ ପରିବହନ ଓ ଲୋଡିଂ ଓ ଅନଲୋଡିଂକୁ ଏହି କଟକଣାରୁ ମୁକ୍ତ ରଖାଯାଇଛି ।

ସମ୍ବନ୍ଧିତ ଖବର