ଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ନିଆରା ନିଶା: ୩୫ବର୍ଷ ହେଲା ଅଚିହ୍ନା ଶବ ଦାହ କରୁଛନ୍ତି, ଦରିଦ୍ରଙ୍କୁ ପୋଷାକ ବାଣ୍ଟୁଛନ୍ତି
ଜଗତସିଂହପୁର: ଡାକ ବିଭାଗରେ ଚାକିରି ଥିଲା। ମାତ୍ର ସମାଜର ଦରିଦ୍ର ଓ ଅବହେଳିତଙ୍କ ପାଇଁ କାର୍ଯ୍ୟ କରିବାକୁ ସେ ସଦାସର୍ବଦା ବ୍ୟଗ୍ର ଥିଲେ। ରାଜଧାନୀରେ କୋଣଅନୁକୋଣ ହେଉ ଅବା ଜିଲ୍ଲାର ଅନ୍ୟ କୌଣସି ଅଞ୍ଚଳରୁ ଫୋନ୍ ପାଇଲେ ସେ ଅଚିହ୍ନା ଲୋକଙ୍କ ଶବ ଦାହ କରିବା ପାଇଁ ପହଞ୍ଚି ଯାଆନ୍ତି। କେବଳ ସେତିକି ନୁହେଁ, କାଠ କିଣି ଶବଦାହ କରିବା ପାଇଁ ସାମର୍ଥ୍ୟ ନଥିବା ଲୋକମାନଙ୍କୁ ମଧ୍ୟ ସେ ସହଯୋଗ କରି ମୁଖାଗ୍ନି ଦିଅନ୍ତି। ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଲା ଚାକିରିରୁ ଅବସର ନେବା ପରେ ମଧ୍ୟ ସେ ଏହି କାର୍ଯ୍ୟ ଚାଲୁ ରଖିଛନ୍ତି। କୋଭିଡ୍ ମହାମାରୀ ସମୟରେ ୭୦ରୁ ଅଧିକ ମୃତଦେହର ଶେଷକୃତ୍ୟ କରିବା ଯୋଗୁଁ ମୁଖ୍ୟମନ୍ତ୍ରୀ ତାଙ୍କୁ ଟୁଇଟ୍ ଯୋଗେ ପ୍ରଶଂସା କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏରସମା ବ୍ଲକ୍ ଜପା ପଞ୍ଚାୟତ ଅଧୀନ ବୋତିଗାଁର ଗଗନ ପାଇଟାଳ। ୮୦ ଦଶକରେ ଡାକ ବିଭାଗରେ ଚାକିରି ପାଇଥିଲେ। ଦରମା ଥିଲା ମାତ୍ର ୧୧୮ ଟଙ୍କା। ରାଜଧାନୀରେ ସେ ନିଜ ଚାକିରି ଆରମ୍ଭ କରିଥିଲେ। ଏତେ କମ୍ ଟଙ୍କାରେ ପରିବାର ଚଳାଇବା ମୁସ୍କିଲ ହୋଇଥିବାରୁ ସେ ରାଜଧାନୀର ବିଭିନ୍ନ ଅଞ୍ଚଳରେ ବୁଲିବୁଲି ସେ ଟ୍ୟୁସନ କରିଥିଲେ। ୧୯୮୫ ମସିହାରେ ଜଣେ ଇସଲାମ୍ ସମ୍ପ୍ରଦାୟର ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିଲା। ସେତେବେଳେ ଜାତିଆଣ ଭାବ ଏତେ ତୀବ୍ର ଥିଲା ଯେ, ଦୀର୍ଘ ସମୟ ପର୍ଯ୍ୟନ୍ତ ମୃତଦେହ ପଡ଼ି ରହିଥିଲେ ମଧ୍ୟ ଏହାକୁ କେହି ଛୁଇଁ ନଥିଲେ। ଏହି ସମୟରେ ଶ୍ରୀ ପାଇଟାଳ ଶବଟିକୁ କାନ୍ଧେଇ ନେବା ପାଇଁ ପ୍ରୟାସ କରିବାରୁ ତାଙ୍କୁ ଆଉ ଦୁଇଜଣ ସହଯୋଗ କରିଥିଲେ। ଏହାପରେ ସେ ଏହି କାମକୁ ବେଶ୍ ଗମ୍ଭୀରତାର ସହ ନେଇ କାର୍ଯ୍ୟ କରିବା ଆରମ୍ଭ କରିଥିଲେ। ସେତେବେଳେ ଟେଲିଫୋନ୍ ହେଉ ଅବା ଯୋଗାଯୋଗ ବ୍ୟବସ୍ଥା ସେତେଟା ଉନ୍ନତ ନଥିଲା। ଯେହେତୁ ଶ୍ରୀ ପାଇଟାଳ ବିଭିନ୍ନ ଅଞ୍ଚଳ ବୁଲିବୁଲି ଟ୍ୟୁସନ୍ କରୁଥିଲେ ସେଥିପାଇଁ ତାଙ୍କୁ ଖବର ପାଇବା ମାତ୍ରେ ସେ ସେଠାରେ ପହଞ୍ଚି ଶବ ଦାହ କରୁଥିଲେ।
ପ୍ରଥମେ ପ୍ରଥମେ ଶବ ଦାହ ପାଇଁ ଆବଶ୍ୟକ ହେଉଥିବା କାଠ କିଣିବା ଆର୍ଥିକ ଦୃଷ୍ଟିରୁ ତାଙ୍କୁ ବାଧୁଥିଲା। ଏତେ କମ୍ ଦରମାରେ ପରିବାର ଚଳାଇ ପୁଣି ଏହି କାମ କରିବା କଷ୍ଟକର ବ୍ୟପାର ହୋଇପଡ଼ିଥିଲା। ମାତ୍ର ଏହାକୁ ସେ ଚ୍ୟାଲେଞ୍ଜ୍ ଭାବେ ଗ୍ରହଣ କରି କାର୍ଯ୍ୟ କରି ଚାଲିଥିଲେ। ଧୀରେ ଧୀରେ ଏ ନେଇ ପ୍ରଚାର ହୋଇଯିବା ପରେ ଚାରିଆଡ଼େ ତାଙ୍କୁ ଖୋଜା ପଡ଼ୁଥିଲା। କୋଭିଡ୍ ସମୟରେ ସତ୍ୟନଗର ଶ୍ମଶାନକୁ ଆସୁଥିବା ଅଚିହ୍ନା ଶବଗୁଡ଼ିକର ସେ ସଂସ୍କାର କରିଛନ୍ତି। କେବଳ ସେତିକି ନୁହେଁ, ବିଭିନ୍ନ ଅଞ୍ଚଳରୁ ପୁରୁଣା ପୋଷାକ ସଂଗ୍ରହ କରିବା ତାଙ୍କର ଆଉ ଏକ ଲକ୍ଷ୍ୟ। ଏହାକୁ ସଫା କରିବା ପରେ ତାଙ୍କ ପତ୍ନୀ ସିଲାଇ କରି ସାଇତି ରଖନ୍ତି। ସେଥିପାଇଁ ଘରେ ସେ ଏକ ପୁରୁଣା ପୋଷାକର ସୋରୁମ୍ କରିଛନ୍ତି। ସେଠାରୁ ପୋଷାକ କେନ୍ଦୁଝର ହାଟଡିହି ଓ ଅନ୍ୟାନ୍ୟ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳକୁ ଯାଉଛି।
ଏ ନେଇ ଶ୍ରୀ ପାଇଟାଳ କୁହନ୍ତି ଯେ, ସେଦିନ ଇସଲାମ୍ ସଂପ୍ରଦାୟର ଜଣେ ଯୁବକଙ୍କ ମୃତଦେହ ଯେଉଁପରି ଢଙ୍ଗରେ ପଡ଼ି ରହିଥିଲା, ତାହାକୁ ଦେଖି ମନ ବେଶ୍ ଦୁଃଖ ହୋଇଥିଲା। ଶବକୁ ନିହାତି ସମ୍ମାନ ମିଳିବା ଆବଶ୍ୟକ ବୋଲି ସେ ମନେ କରିଥିଲେ। ପରେ ଏହି କାମ କରିବା ପାଇଁ ଅଧିକ ଆଗ୍ରହ ହୋଇଥିଲା। ଲୋକ ଜାଣିଯିବା ପରେ ବିଭିନ୍ନ ଅଞ୍ଚଳରୁ ଖବର ଆସେ। ଜୀବନ ଥିବା ପର୍ଯ୍ୟନ୍ତ ଏହି କାର୍ଯ୍ୟ କରୁଥିବି ବୋଲି ସେ କହିଛନ୍ତି।