ଜଗତସିଂହପୁର ଟାଉନ୍: ଦେବୀ ନଦୀବନ୍ଧ ସୁଦୃଢ଼ୀକରଣ କାର୍ଯ୍ୟରେ ଘୋଟାଲା ହୋଇଥିବା ଅଭିଯୋଗ ଉଠିଛି। ୩୧ କୋଟିର ଠିକା ନେଇଥିବା ସଂସ୍ଥା ଯେମିତି ସେମିତି ଢ଼ଙ୍ଗରେ କାମ ଶେଷ କରିଅର୍ଥ ଚଳୁ କରିବାକୁ ଉଦ୍ୟମ କରୁଛି। କୋଟି କୋଟି ଟଙ୍କାର କାମକୁ ଜଳସେଚନ ବିଭାଗ ଅତି ଖାମଖିଆଲ ଭାବରେ କରୁଥିବାକୁ ତାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ପ୍ରକାଶ ପାଇଛି।
ନିର୍ବାଚନ ପୂର୍ବରୁ ଦେବୀ ନଦୀବନ୍ଧ ସୁଦୃଢ଼ କରାଯିବା ନେଇ ସରକାର ଘୋଷଣା କରିଥିଲେ। ନାବାର୍ଡର ରୁରାଲ ଇନ୍ଫ୍ରାକ୍ଚର ଡେଭଲପମେଣ୍ଟ୍ ଫଣ୍ତ(ଆର୍ଆଇଡିଏଫ୍)ରୁ ଏହି କାର୍ଯ୍ୟ କରାଯାଉଛି। ୨୦୧୮–୧୯ ଆର୍ଥିକ ବର୍ଷରେ ଏହି କାମ ପାଇଁ ୩୧ କୋଟି ୭୩ ଲକ୍ଷ ୧୫ ହଜାର ୬୫୦ ଅର୍ଥ ବ୍ୟୟ ବରାଦ କରାଯାଇଛି। ଜଳସେଚନ ବିଭାଜନ ତଥ୍ୟ ଅନୁସାରେ ମୁଗୁରାନାଳଠାରୁ ବଳଭଦ୍ରପୁର, ବଡ଼ବାଲିଠାରୁ ବନ୍ଦର ଆର୍ଡି୭ କିମି ଠାରୁ ୧୨.୮୭୪ କିମି ନଦୀବନ୍ଧ ସୁଦୃଢ଼ୀକରଣ କରାଯିବ। ମୋଟ ୩୬ କିମି ଭିତରେ ତିନୋଟି ଡ୍ରେନେଜ୍ ସ୍ଲୁଇସ୍ ଗେଟ୍ ମଧ୍ୟ ରହିଛି। ଏହି କାମ କ୍ଲାସିକ୍ ସୁପର କନଷ୍ଟ୍ରକସନ ଏଣ୍ତ ଡେଭେଲପମେଣ୍ଟ୍ ପ୍ରାଇଭେଟ୍ ଲିମିଟେଡ୍କୁ ଦିଆଯାଇଛି। ଉକ୍ତ ସଂସ୍ଥା ଯେମିତି ସେମିତି କାମ ଶେଷ କରି ଅର୍ଥ ହଡ଼ପ କରିବା ଲକ୍ଷ୍ୟରେ ରହିଛି। ଏବେ ଦେବୀନଦୀ ବନ୍ଧ ଗଣ୍ତକୂଳଠାରୁ ଧନୁହରବେଲାରୀ ପର୍ଯ୍ୟନ୍ତ କାମ ଚାଲୁ ରହିଛି। ଏହି ସ୍ଥାନରେ ପୂର୍ବରୁ ପଥର ପ୍ୟାକିଂ କରାଯାଇଥିଲା। ତେବେ ବର୍ତ୍ତମାନର ଠିକା ସଂସ୍ଥା ପୂର୍ବର ପଥରକୁ ମେସିନ୍ ଦ୍ବାରା ତାଡ଼ି ଅଧିକାଂଶ ସ୍ଥାନରେ ପୁଣି ସେହି ପଥରକୁ ପ୍ୟାକିଂ କରୁଥିବା ଦେଖିବାକୁ ମିଳିଛି। ଯେଉଁ ପ୍ୟାକିଂ କରାଯାଉଛି ତାହା ମଧ୍ୟ ଅତି ଖାମଖିଆଲ ଢ଼ଙ୍ଗରେ ଓ ନିମ୍ନମାନର କରାଯାଉଛି। ପାଣି ମାଡ଼ ହେଲେ ତାହା ଭୁସୁଡ଼ି ପଡ଼ିବାର ଆଶଙ୍କା ରହିଛି। କାର୍ଯ୍ୟର ତଦାରଖ ଦାୟିତ୍ବରେ ଥିବା ଜଗତସିଂହପୁର ଜଳସେଚନ ବିଭାଜନର ଅଧିକାରୀ ସଠିକ୍ ଭାବେ କାର୍ଯ୍ୟ ତଦାରଖ କରୁ ନାହାନ୍ତି। ଯାହା ଦ୍ବାରା ଠିକା ସଂସ୍ଥା ମନ ଇଚ୍ଛା କାମ କରୁଥିବା ଦେଖିବାକୁ ମିଳୁଛି। କାର୍ଯ୍ୟର ନିୟମାବଳୀ ସମ୍ପର୍କରେ ଲଗାଯାଇଥିବା ବୋର୍ଡରେ କାର୍ଯ୍ୟ ଆରମ୍ଭ ଓ ଶେଷର କୌଣସି ସୂଚନା ନାହିଁ। ଏତଦବ୍ୟତୀତ କାର୍ଯ୍ୟର ସମ୍ପୂର୍ଣ୍ଣ ବିବରଣୀ ମଧ୍ୟ ସେଥିରେ ଲେଖାଯାଇ ନାହିଁ। ତେବେ ଲଗାତାର ଭାବେ ପ୍ରତିବର୍ଷ ବର୍ଷା ଋତୁ ଆସିଲେ ଜଳସେଚନ ବିଭାଗ ପକ୍ଷରୁ ନଦୀବନ୍ଧ କଡ଼ରେ ପଥର ପ୍ୟାକିଂ କରାଯାଉଛି। ହେଲେ, ପ୍ରତିବର୍ଷ ନଦୀ କୂଳ ଖାଇ ଖାଇ ଭିତରକୁ ଆସୁଥିବାରୁ ଏହା କେବଳ ଠିକାଦାରଙ୍କ ପାଇଁ କରାଯାଉଥିବା ଅଭିଯୋଗ ହୋଇଛି। ଠିକାଦାର ଓ ଅଧିକାରୀଙ୍କ ସ୍ବାର୍ଥ ଯୋଗୁଁ ସାଧାରଣ ଲୋକଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଏହିଭଳି କାମ ଯୋଗୁଁ ଗତ ୫ ଦଶନ୍ଧି ଭିତରେ ବନ୍ଦରଠାରୁ ମାଛଗାଁ ମଧ୍ୟରେ ଦେବୀ ନଦୀରେ ୧୦ରୁ ଅଧିକ ଗାଁ ଲୀନ ହୋଇଥିବା ଲୋକ କହୁଛନ୍ତି। ବର୍ତ୍ତମାନ ଜିଲ୍ଲାର ବାଲିକୁଦା-ଏରସମା ବିଧାୟକ ରଘୁନନ୍ଦନ ଦାସ ରାଜ୍ୟ ଜଳ ସମ୍ପଦ ବିଭାଗ ମନ୍ତ୍ରୀ ହୋଇଥିବାରୁ ଜିଲ୍ଲାବାସୀ ତାଙ୍କ ଠାରୁ ବିଶେଷ ଅପେକ୍ଷା ରଖୁଛନ୍ତି। ଜିଲ୍ଲାରେ ଏଭଳି ନିମ୍ନମାନର କାମ ହେଉଥିବାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଥିବା ବେଳେ ସେଥିରେ ମନ୍ତ୍ରୀ କ’ଣ ପଦକ୍ଷେପ ନେଉଛନ୍ତି ତା’ ଉପରେ ମଧ୍ୟ ଲୋକଙ୍କ ନଜର ରହିଛି। ଏ ସମ୍ପର୍କରେ ଜଳସେଚନ ବିଭାଜନର ନିର୍ବାହୀ ଯନ୍ତ୍ରୀ ଉମାକାନ୍ତ ମହାନ୍ତିଙ୍କୁ ପଚାରିବାରେ ସେ କହିଛନ୍ତି ଯେ, ପୂର୍ବରୁ ଭାଗ ଭାଗ କରାଯାଇ ଠିକାଦରଙ୍କୁ କାମ ଦିଆଯାଉ ଥିଲା। ଏଥର ଗୋଟିଏ ଏଜେନ୍ସିକୁ କାମ ଦିଆଯାଇଛି। କମ୍ପାନିକର କାମ ତଥା ଲୋକଙ୍କ ନିକଟରୁ ଆସୁଥିବା ଅଭିଯୋଗକୁ ତଦାରଖ କରି ଠିକ୍ କାମ କରାଯିବ ବୋଲି ସେ କହିଛନ୍ତି।
ନଦୀ ବନ୍ଧ ସୁଦୃଢ଼ୀକରଣ ଘୋଟାଲା !: ପୁରୁଣା ପଥରରେ ପ୍ୟାକିଂ, ତଦାରଖ କରୁନାହାନ୍ତି ଅଧିକାରୀ
/sambad/media/post_attachments/wp-content/uploads/2019/06/jgtsghpur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)