ବିଜୁଳି କଟିବାରୁ ଆର୍‌ଟିଓ ଅଫିସ୍‌ ସେବା ବିପର୍ଯ୍ୟସ୍ତ

ଜଗତସିଂହପୁର ସଦର: ଜଗତସିଂହପୁର ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟରେ ବିଦ୍ୟୁତ ସେବା ବାରମ୍ବାର କଟୁଥିବାରୁ କୌଣସି କାର୍ଯ୍ୟ ସଠିକ୍‌ ଭାବେ ହୋଇପାରୁ ନାହିଁ। ବିଭିନ୍ନ କାର୍ଯ୍ୟ ପାଇଁ ଦୂର ଦୂରାନ୍ତରୁ ଆସୁଥିବା ବହୁସଂଖ୍ୟକ ଜନସାଧାରଣ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ କାର୍ଯ୍ୟ ନକରି ଫେରୁଥିବାର ଅଭିଯୋଗ ହେଉଛି। ଅଧିକାଂଶ ସମୟରେ ନେଟ୍‌ କାମ କରୁନାହିଁ। ଲୋକେ ବହୁ ସମୟ ଧରି ଅପେକ୍ଷା କରିବା ପରେ ଲିଙ୍କ ନାହିଁ ବୋଲି କହି କର୍ମଚାରୀମାନେ ଫେରାଇ ଦେଉଛନ୍ତି। ବିଜୁଳି ନଥିବା କାରଣରୁ ଅଧିକାଂଶ ଦିନ ୧୨ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ବିଭିନ୍ନ କାମ ଲାଗି ଅପେକ୍ଷାରତ ଲୋକମାନେ କାମ କରିନପାରି ଫେରିଯିବା ସହ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି । ବାରମ୍ବାର ବିଦ୍ୟୁତ କାଟ୍‌ ହେଉଥିଲେ ମଧ୍ୟ ସଂପୃକ୍ତ ବିଭାଗ ପକ୍ଷରୁ ଇନଭର୍ଟର କିମ୍ବା ଜେନେରେଟର ବ୍ୟବସ୍ଥା କରାଯାଇ ନାହିଁ। ତା’ଛଡ଼ା, ଏହି କାର୍ଯ୍ୟାଳୟରେ ଯାନବାହନର ଲାଇସେନସ୍‌ କରିବା ପାଇଁ ସରକାରୀ ଖର୍ଚ୍ଚ ୧ହଜାର ଟଙ୍କା ସ୍ଥଳେ ଦଲାଲଙ୍କ ଜରିଆରେ ୨ହଜାର ଟଙ୍କା ଆଦାୟ କରାଯାଉଥିବା ଅଭିଯୋଗ ହେଉଛି। ଗୋଟିଏ ପଟେ ସଠିକ୍‌ ସମୟରେ କାମ ହୋଇପାରୁ ନ ଥିବା ବେଳେ ସବୁ କାମରେ ଦଲାଲଙ୍କ ମାଧମରେ ଟଙ୍କା ଆଦାୟ କରାଯିବା ଯୋଗୁଁ ସାଧାରଣରେ ଘୋର ଅସନ୍ତୋଷ ପ୍ରକାଶ ପାଉଛି। ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଏ ଦିଗରେ ଉପଯୁକ୍ତ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର