କରୋନାକାଳର ହରିଶ୍ଚନ୍ଦ୍ର ପାଲଟିଛନ୍ତି ସମାଜ ବିକାଶ ମିସନ ସଦସ୍ୟ : ୭ ପଜିଟିଭ୍‌ଙ୍କ ସମେତ ୧୦ ଜଣଙ୍କ ଶବ ସତ୍କାର କଲେଣି

ଜଗତସିଂହପୁର: କରୋନାକୁ ନେଇ ଏବେ ସବୁଠି ଭୟ ଓ ଆତଙ୍କର ପରିବେଶ। ସମୟ ଏମିତି ହୋଇଛି ଯେ ଏହି ରୋଗରେ ମୃତ୍ୟୁ ହେଲେ, ବନ୍ଧୁବର୍ଗ ତ ଛାଡ଼ ନିଜ ପରିବାର ଲୋକ ବି ଭୟରେ ପାଖ ମାଡ଼ୁ ନାହାନ୍ତି। ଏ ପରିସ୍ଥିତିରେ  ଶବ କିପରି ସତ୍କାର ହେବ, ଏ ନେଇ ଖୋଦ୍‌ ଜିଲ୍ଲା ପ୍ରଶାସନ ମଧ୍ୟ ଅଡ଼ୁଆରେ ପଡ଼ି ଯାଇଥିଲା। ମାତ୍ର ଏହି ସମୟରେ ରଘୁନାଥପୁରର ସ୍ବେଚ୍ଛାସେବୀ ସଂଗଠନ ସମାଜ ବିକାଶ ମିଶନ କରୋନାରେ କରୋନା ଆକ୍ରାନ୍ତଙ୍କ ଶବ ସତ୍କାର ପାଇଁ ଆଗେଇ ଆସିଥିଲେ।

ଏହି ମହତ କାର୍ଯ୍ୟ ପାଇଁ ତତ୍କାଳୀନ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ସମ୍ପୃକ୍ତ ସଂଗଠନକୁ ସମ୍ମାନିତ ମଧ୍ୟ କରିଛନ୍ତି।  ପୂର୍ବରୁ ଏହି ସଂଗଠନ ବୃକ୍ଷରୋପଣ ଓ ଏହାର ରକ୍ଷଣାବେକ୍ଷଣ, ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ପାଠପଢ଼ିବାରେ ସହାୟତା ଓ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କ ସେବା ଭଳି କାର୍ଯ୍ୟ କରି ପ୍ରଶଂସା ସାଉଁଟିଛନ୍ତି। ଅସହାୟ ଲୋକମାନଙ୍କୁ ହସ୍‌ପିଟାଲରେ ପହଁଚାଇବା ଓ ଏକୁଟିଆ ଥିବା ରୋଗୀମାନଙ୍କ ପାଇଁ ଆଟେନଣ୍ତାଣ୍ଟ୍‌ ରହିବା ଭଳି କାର୍ଯ୍ୟ କରି ଏହି ସଂଗଠନ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

Sambad

କରୋନା ସମୟରେ ବିଭିନ୍ନ ସଙ୍ଗରୋଧ କେନ୍ଦ୍ରରେ ପହଁଚି ସେଠାରେ ସାନିଟାଇଜ କରିବା ପାଇଁ ଲୋକମାନଙ୍କ ଅଭାବ ଥିବାରୁ ଜିଲ୍ଲା ପ୍ରଶାସନ ଏହି ସଂଗଠନକୁ ଏହାର ଦାୟିତ୍ବ ଦେଲା। ପରେ ବହୁ ଚର୍ଚ୍ଚିତ ଏରସମାରେ ଏକ ଦମ୍ପତିଙ୍କ ମୃତ୍ୟୁକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା। ଜିଲ୍ଲା ମୁଖ୍ୟ ହସ୍‌ପିଟାଲରେ ପ୍ରବାସୀ ସ୍ବାମୀଙ୍କର ମୃତ୍ୟୁ ପରେ ସେଇଠି ହିଁ ପତ୍ନୀ ଆତ୍ମହତ୍ୟା କରିଥିଲେ। ସେମାନଙ୍କ ଶବ ଦାହ କାର୍ଯ୍ୟ କେମିତି ହେବ, ଏ ନେଇ ସମସ୍ତଙ୍କୁ ଚିନ୍ତା ଘାରିଥିଲା।

ଜିଲ୍ଲାପାଳ ଶ୍ରୀ ମହାପାତ୍ର ତୁରନ୍ତ ସଂଗଠନ ସମ୍ପାଦକ ସରିତ ମହାପାତ୍ରଙ୍କୁ ଯୋଗାଯୋଗ କରି ଏହି କାର୍ଯ୍ୟ କରିବାକୁ କହିଥିଲେ। ପରେ ସରିତ ସଂଗଠନର ଅନ୍ୟ ସଦସ୍ୟଙ୍କ ସହ ଆଲୋଚନା କରି ଶବ ଦାହ କରିବା ପାଇଁ ନିଷ୍ପତ୍ତି ନେଇଥିଲେ। ଏହା ପରେ ଗୋଟିଏ ପରେ ଗୋଟିଏ  ଏମିତି ୭ଟି ଶବ ଦାହ କରିସାରିଲେଣି। ଅନୁଷ୍ଠାନର ଉତ୍ସର୍ଗୀକୃତ ସେବା ନିମନ୍ତେ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଏହି ଅନୁଷ୍ଠାନକୁ ୪୫ ହଜାର ଟଙ୍କା ପ୍ରଦାନ କରାଯାଇଛି।  ସଂଗଠନର ସମ୍ପାଦକ ଶ୍ରୀ ମହାପାତ୍ର କୁହନ୍ତି ଯେ, ଯେତେବେଳେ ଜିଲ୍ଳାପାଳ ଏହି କାର୍ଯ୍ୟ ପାଇଁ ଫୋନ୍ କରିବାମାତ୍ରେ ଅନ୍ୟ ସଦସ୍ୟମାନଙ୍କ ସହ ଆଲୋଚନା କରି ଶବ ଦାହ ପାଇଁ ଆମେ ମାନସିକ ପ୍ରସ୍ତୁତ ହୋଇଥିଲୁ।

ଏହାପରେ ଜିଲ୍ଲା ପ୍ରଶାସନ ସହଯୋଗର ହାତ ବଢ଼ାଇଥିଲା। ପିପିଇ କିଟ୍ ଠାରୁ ଆରମ୍ଭ କରି ସମସ୍ତ ନିରାପତ୍ତା ସାମଗ୍ରୀ ଯୋଗାଇ ଦିଆଯାଇଥିଲା।  ଜିଲ୍ଲାର ଯେକୌଣସି  ସ୍ଥାନରେ ସ୍ବାବ୍ ପରୀକ୍ଷା କରାଇବା ପାଇଁ ମଧ୍ୟ ଜିଲ୍ଲାପାଳ ବ୍ୟବସ୍ଥା କରାଇଥିଲେ। ଏହି କାର୍ଯ୍ୟ କରିବାକୁ ସଂଗଠନର ୧୭ ଜଣ ନିଜ ଆଡ଼କୁ ସହମତି ପ୍ରକାଶ କରିଛନ୍ତି। ପୂର୍ବରୁ ସଙ୍ଗରୋଧ କେନ୍ଦ୍ରରେ ସାନିଟାଇଜ୍ କାର୍ଯ୍ୟ କରୁଥିବା ବେଳେ ଭୟ ଲାଗୁଥିଲା। କିନ୍ତୁ ସେହିଠାରୁ ହିଁ ଏହି କାମ ପାଇଁ ସାହସ ବଢ଼ିଥିଲା। ବର୍ତ୍ତମାନ ଏହାକୁ ନିଜର ଏକ କର୍ତବ୍ୟ ଭାବେ ମନେ କରି କାର୍ଯ୍ୟ କରୁଛୁ। ଲକ୍‌ଡାଉନ ସମୟରେ ୩ଟି ଅଚିହ୍ନା ଶବ ଦାହ କରିଥିଲୁ। ବର୍ତମାନ ସୁଦ୍ଧା ମୋଟ୍ ୧୦ଟି ଶବ ଦାହ କରିସାରିଲୁଣି। ଆଶ୍ବସ୍ତିର ବିଷୟ ହେଲା ଏକାଧିକ ଥର ସ୍ବାବ୍ ପରୀକ୍ଷା କରାଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ସମସ୍ତେ ନେଗେଟିଭ୍ ଅଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର