ତିତୋର୍ଲ: ବର୍ଷକ ୩୬୪ ଦିନ ନରବ ରହୁଥିବା ଓଡ଼ିଆ ଜାତିର ମହାନ୍ ସ୍ରଷ୍ଠା ଆଦିକବି ଶୂଦ୍ରମୁନି ସାରଳା ଦାସଙ୍କ ସମାଧିପୀଠ ଅବହେଳିତ ଅବସ୍ଥାରେ ରହିଛି। ବିଡ଼ମ୍ବନା ହେଲା ଏହି ପୀଠ ମାତ୍ର ଦିନେ ଦୁଇ ଦିନ ଚଳଚଞ୍ଚଳ ହୁଏ। ଲମ୍ବା ଭାଷଣବାଜି ହୁଏ। ସାହିତ୍ୟ ସଭାରେ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ରାଜନେତା, ବିଶିଷ୍ଟ ସାହିତ୍ୟିକ ଓ ମାନ୍ୟଗଣ୍ୟ ବ୍ୟକ୍ତି ପୀଠର ଉନ୍ନତି ପାଇଁ ଭାଷଣବାଜି ମାରିଥାନ୍ତି। କିନ୍ତୁ ସେସବୁ କୌଣସି କାର୍ଯ୍ୟରେ ପରିଣତ ହୋଇନଥାଏ। ପୂର୍ବତନ ରାଜ୍ୟସଭା ସାଂସଦ ସ୍ବର୍ଗତ ବୈଷ୍ଣବ ପରିଡ଼ାଙ୍କ ଅନୁଦାନରେ ପୀଠପରିସରରେ ସାରଳାଦାସଙ୍କ ନାମରେ ନୂତନ ସଭାଗୃହ ନିର୍ମାଣ କରାଯାଇଛି। ଏହି ଗୋଟିଏ ସଭାଗୃହକୁ ଛାଡିଦେଲା ପରେ ପୀଠର କୌଣସି ଆଖିଦୃଷ୍ଟିଆ ଉନ୍ନତି କରାଯାଇନାହିଁ। ଆଦିକବି ସାରଳାଦାସଙ୍କ ସମାଧି ଓ ସାଧନାପୀଠ ସ୍ଥଳରେ ଇଟା ସିମେଣ୍ଟରେ ପାଚେରି ନିର୍ମାଣ କରାଯାଇ ଏବେ ଦୁଇବର୍ଷ ହେବ ଷ୍ଟିଲର ରେଲିଙ୍ଗ ଦ୍ବାରା ଚାରିପାଖ ଆବଦ୍ଧ କରାଯାଇଛି। ଏହି ସ୍ଥାନରେ ଏକ ପଥର, ଦେବଦାରୁ, ବେଲ, ଲିମ୍ବ, ବଉଳ, ଲହଙ୍ଗା ପ୍ରଭୃତି ଦେବତୃଲ୍ୟ ବୃକ୍ଷଙ୍କୁ ପୂଜାର୍ଚ୍ଚନା କରାଯାଉଛି।
ଓଡ଼ିଆ ଭାଷାକୁ ଯେଉଁ ମହାନବ୍ୟକ୍ତି ସ୍ବତନ୍ତ୍ର ଭାବେ ଏକ ସ୍ଥାନ ଦେଇଥିଲେ ସେହି ବ୍ୟକ୍ତିଙ୍କର ପୀଠ ଏବେବି ଅବହେଳିତ ଅବସ୍ଥାରେ । ପ୍ରଶାସନ ଏଥିପ୍ରତି କୌଣସି ଦୃଷ୍ଟି ଦେଉନଥିବା ଅଭିଯୋଗ ହୋଇଛି। ଏହି ପୀଠକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବା ସହ କଟକ-ପାରାଦୀପ ରାସ୍ତା ପାର୍ଶ୍ବ ଦଣ୍ତାସହି ଛକ ଓ ଶାରଳା ରୋଡ଼ରୁ ଶାରଳା ମନ୍ଦିର ରାସ୍ତାର ତ୍ରିନାଥ ମନ୍ଦିର ନିକଟରେ ଏହି ସ୍ଥଳୀରେ ସୂଚନା ଫଳକ ଲଗାଯିବା ପାଇଁ ପ୍ରଶାସନ ନିକଟରେ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି। ସାରଳାଦାସଙ୍କ ପାଇଁ ଓଡ଼ିଆ ଭାଷା ରାଜ୍ୟ ତଥା ରାଜ୍ୟବାହାରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି। ସାରଳାଦାସଙ୍କ ପାଇଁ କେବଳ ଓଡ଼ିଆ ସାହିତ୍ୟ ନୁହେଁ ସଂପୂର୍ଣ୍ଣ ଓଡ଼ିଆ ଜାତି ଗର୍ବିତ। ଦୀର୍ଘ ୬୦୦ବର୍ଷ ତଳେ ଲିପି ସହିତ ପରିଚିତ ନଥିବା ଓଡ଼ିଆ ଲୋକେ ଶୁଣି ଶୁଣି ମନେରଖୁଥିବା କଥାକୁ ଶବ୍ଦଛନ୍ଦରୋ ବାନ୍ଧି ଅପୂର୍ବ ଗ୍ରନ୍ଥ ରଚନା କରି ଯାଇଥିବା ସେହି ମହାନ ସ୍ରଷ୍ଟାଙ୍କ ପାଇଁ କେବଳ ଗୋଟିଏ ଦିନ ପବିତ୍ର ମାଘସପ୍ତମୀରେ ସ୍ଥାନ ଚଳଚଞ୍ଚଳ ହୋଇଉଠେ।
ପୀଠକୁ ଆଲୋକସଜା କରାଯାଇ ନାମଯଜ୍ଞ, ମହାପ୍ରସାଦ ସେବନ, ସାହିତ୍ୟ ସଭା, ଜାନିଯାତ୍ରା ସାଙ୍ଗକୁ ସ୍ଥାନୀୟ ଅଞ୍ଚଳର ଶିକ୍ଷାର୍ଥୀଙ୍କ ମଧ୍ୟରେ ସାରଳାସାହତ୍ୟ ଆଧାରିତ ବକ୍ତୃତା, ଗଳ୍ପ, ପ୍ରବନ୍ଧ, ସଂଗୀତ, ନୃତ୍ୟ, ଅଭିନୟ ଆଦି ପ୍ରତିଯୋଗିତା ସମ୍ବଳିତ “ପ୍ରତିଭା ଚୟନ” କାର୍ଯ୍ୟକ୍ରମ ବିଗତ ୨୭ ବର୍ଷଧରି ଆଦିକବି ସାରଳାଦାସ ସଂସ୍କୃତିକ ପରିଷଦ ତରଫରୁ ଅନୁଷ୍ଠିତ ହେଉଛି। କିନ୍ତୁ ବର୍ଷ ତମାମ ଏହି ପୀଠକୁ ଚଳଚଞ୍ଚଳ କରି ରଖିବା ଦିଗରେ କୌଣସି ଯତ୍ନ ନିଆଯାଇନାହିଁ।