ନଗ୍ନ ଫଟୋ ଉଠାଇ ନାବାଳିକାଙ୍କୁ ଦୁଷ୍କର୍ମ

ଅଭିଯୁକ୍ତ ଥାନାରେ ଅଟକ

ଜଗତସିଂହପୁର ଟାଉନ୍‍ : ଜଣେ ନାବାଳିକାଙ୍କର ନଗ୍ନ ଫଟୋ ଉଠାଇ ତାଙ୍କ ସହ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏ ନେଇ ଜଗତସିଂହପୁର ଥାନାରେ ଅଭିଯୋଗ କରାଯିବା ପରେ ପୁଲିସ ଏକ ମାମଲା(୨୪୩/୧୭) ରୁଜୁ କରି ତଦନ୍ତ ଆରମ୍ଭ କରିଛି। ଦୁଷ୍କର୍ମ ଅଭିଯୁକ୍ତ ଯୁବକଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

ଅଭିଯୋଗ ମୁତାବକ, ଜଗତସିଂହପୁର ଥାନା ଅରଣା ଅଞ୍ଚଳର କାବେରୀ ମହାନ୍ତି(୧୭-ଛଦ୍ମନାମ)ଙ୍କର ନଗ୍ନ ଫଟୋ ଉଠାଇ ସୁନୀଲ ପାତ୍ର ନାମକ ଯୁବକ ତାଙ୍କ ସହିତ ବହୁବାର ଦୁଷ୍କର୍ମ କରିଛନ୍ତି। କାବେରୀଙ୍କ ଘର ପାଖରେ ଅଭିଯୁକ୍ତ ସୁନୀଲଙ୍କ ଭଉଣୀ ଘର। ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ନିକଟରେ ଥିବା ନିଜ ଭିଣୋଇଙ୍କ କ୍ୟାଣ୍ଟିନ୍‌ରେ ରହି ସୁନୀଲ କାମ କରନ୍ତି ଓ ପ୍ରାୟତଃ ଭଉଣୀ ଘରେ ରହନ୍ତି। ନିଜ ଭଉଣୀ ଘରେ ରହୁଥିବା ସମୟରେ ନାବାଳିକା କାବେରୀଙ୍କ ସହ ସେ କଥା ହେଉଥିଲେ।

କୌଣସି ଏକ ଦିନ କାବେରୀ ଗାଧୋଉଥିବା ସମୟରେ ତାଙ୍କର ନଗ୍ନ ଫଟୋ ଉଠାଇ ନେଇଥିଲେ। ସେହି ଫଟୋକୁ ଦେଖାଇ ସେ ତାଙ୍କୁ ବାରମ୍ବାର ବ୍ଲାକ୍‍ମେଲିଂ କରିଥିଲେ ଏବଂ ବାଧ୍ୟକରି ଶାରୀରିକ ସମ୍ପର୍କ ରଖି ଆସିଥିଲେ। ଆଜି ଏ ନେଇ ନିଜେ ପୀଡ଼ିତା ଥାନାରେ ଅଭିଯୋଗ କରିବା ପରେ ଅଳତଳଙ୍ଗ ଗ୍ରାମର ଅଭିଯୁକ୍ତ ସୁନୀଲଙ୍କୁ ଥାନାରେ ଅଟକ ରଖାଯାଇଛି। ଆସନ୍ତାକାଲି ପୀଡ଼ିତାଙ୍କ ଡାକ୍ତରୀ ମାଇନା କରାଯିବା ପରେ ଘଟଣା ସ୍ପଷ୍ଟ ହେବ ବୋଲି ଥାନା ଅଧିକାରୀ ରଜନୀକାନ୍ତ ମିଶ୍ର କହିଛନ୍ତି।

ସମ୍ବନ୍ଧିତ ଖବର