ଶିଆଳି ବେଳାଭୂମିକୁ ଅଣଦେଖା, ଅବ୍ୟବସ୍ଥା ସତ୍ବେ ପର୍ଯ୍ୟଟକଙ୍କ ଜମୁଛି ଭିଡ଼

ଇକୋ ରିଟ୍ରିଟ୍‌ ଦୂରର କଥା; ସର୍ବନିମ୍ନ ସୁବିଧା ବି ନାହିଁ

ଏରସମା: ସମଗ୍ର ଜଗତସିଂହପୁର ଜିଲ୍ଲା ତଥା ଜିଲ୍ଲା ବାହାରୁ ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରି ଆସିଥିବା ଏରସମା ବ୍ଳକ୍‌ର ଶିଆଳି ବେଳାଭୂମିରେ ପିକ୍‌ନିକ୍‌ ଋତୁରେ ଭିଡ଼ ଲାଗିଲାଣି। କିନ୍ତୁ ପଡ଼ୋଶୀ ଜିଲ୍ଲା କେନ୍ଦ୍ରାପଡ଼ାର ଭିତରକନିକା, ପୁରୀ, କୋଣାର୍କ, ଚିଲିକା, ସାତକୋଶିଆ ପ୍ରଭୃତି ପର୍ଯ୍ୟଟନସ୍ଥଳରେ ସରକାର ଇକୋ ରିଟ୍ରିଟ୍‌ କରି ପଞ୍ଚତାରକା ହୋଟେଲର ମଜା ଖଂଜି ଦେଇଥିବାରୁ ପର୍ଯ୍ୟଟକ ସେଥିପାଇଁ ବୁକିଂ ଆରମ୍ଭ କରି ଦେଇଛନ୍ତି। କିନ୍ତୁ ସ୍ବଳ୍ପ ଖର୍ଚ୍ଚରେ ଏହି ଶିଆଳିରୁ ମଜା ଉଠାଉଥିବା ପର୍ଯ୍ୟଟକଙ୍କ ପାଇଁ ବିଳାସପୂର୍ଣ୍ଣ ଇକୋ ରିଟ୍ରିଟ୍‌ ସୁବିଧା ଛାଡ଼ ଏ ପର୍ଯ୍ୟନ୍ତ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇ ଦେବାରେ ପର୍ଯ୍ୟଟନ ବିଭାଗ ଦୃଷ୍ଟି ଦେଇନାହିଁ।

ଶିଆଳିର ବିସ୍ତୀର୍ଣ୍ଣ ଝାମୁ ଜଙ୍ଗଲ ଓ ପ୍ରାକୃତିକ ସୈାନ୍ଦର୍ଯ୍ୟ ପର୍ଯ୍ୟଟକଙ୍କୁ ବେଶ ଆକୃଷ୍ଟ କରୁଛି। ମାତ୍ର ସେମାନଙ୍କ ପାଇଁ ସର୍ବନିମ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯାଇନଥିବାରୁ ଅଞ୍ଚଳବାସୀ କ୍ଷୋଭ ପ୍ରକାଶ କରୁଛନ୍ତି। କରୋନା କଟକଣା କୋହଳ ହେବା ପରେ ଏବେ ପର୍ଯ୍ୟଟନ କେନ୍ଦ୍ରଗୁଡ଼ିକ ଖୋଲିବାରେ ଲାଗିଛି। ଏହିସବୁ ପର୍ଯ୍ୟଟନ କେନ୍ଦ୍ରରେ ଭଳିକି ଭଳି ବେପାରବଣିଜର ପସରା ମେଲିଥିବା ବେଳେ ପର୍ଯ୍ୟଟକଙ୍କୁ ଆକର୍ଷିତ କଲା ଭଳି ଆନୁଷଙ୍ଗିକ ବ୍ୟବସ୍ଥା ଦିଗରେ ଧ୍ୟାନ ଦିଆଯାଉ ନଥିବା ଖୋଦ୍‌ ପର୍ଯ୍ୟଟକମାନେ ମଧ୍ୟ ଅଭିଯୋଗ କରୁଛନ୍ତି। ଏହି ସମୁଦ୍ରକୂଳ ବେଳାଭୂମି ବିଶେଷକରି ବଣଭୋଜି ପାଇଁ ଉତ୍କୃଷ୍ଟ ସ୍ଥାନ ଭାବେ ପରିଗଣିତ ହେଲାଣି। କିନ୍ତୁ ସେଠାରେ ପିଇବାପାଣିର ଘୋର ଅଭାବ ରହିଛି। ସ୍ନାନଶୌଚ ପାଇଁ ଶୌଚାଳୟର ସୁବିଧା ନାହିଁ। ତେଣୁ ମହିଳା ପର୍ଯ୍ୟଟକମାନେ ଘୋର ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଅଦ୍ୟାବଧି ସେଠାରେ ସ୍ଥାୟୀ ବିଦ୍ୟୁତ୍ ସଂଯୋଗ କରାଯାଇନାହିଁ। ବର୍ଷାଦିନେ ସମୁଦ୍ରର ଜୁଆର ମାଡରେ ଭିଉ ଟାୱାର ପର୍ଯ୍ୟନ୍ତ ବାଲି ଖାଇ ଯିବାରୁ ବେଳଭୂମିର ସୌନ୍ଦର୍ଯ୍ୟ ନଷ୍ଟ ହୋଇଛି। ସେଠାରେ ଜୁଆର ଅଟକାଇବାକୁ ବାଡ଼ ଦିଆଯାଇଥିବା ବାଲିବସ୍ତା ମଧ୍ୟ ସମୁଦ୍ର ଜୁଆରରେ ଭାସିଗଲାଣି। ଏତେ ସବୁ ଅବ୍ୟବସ୍ଥା ସତ୍ବେ ଏହି ବେଳଭୂମିକୁ ପ୍ରତ୍ୟହ ଶହଶହ ସଂଖ୍ୟାରେ ପର୍ଯ୍ୟଟକ ଆକୃଷ୍ଟ ହୋଇଆସୁଥିବା ଏକ ଶୁଭଲକ୍ଷଣ। ଏମିତିକି କରୋନା କଟକଣାକୁ ନମାନି ପର୍ଯ୍ୟଟକ ଭିଡ଼ ଜମାଉଥିବା ଲକ୍ଷ୍ୟ କରାଯାଉଛି।

୨୦୧୬ ମସିହାରେ ଏହାକୁ ରାଜ୍ୟ ସରକାର ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେଇଥିବା ବେଳେ ଏପର୍ଯ୍ୟନ୍ତ ସେଭଳି ଆଖିଦୃଷ୍ଟିଆ ବିକାଶ କାମ ହାତକୁ ନିଆଯାଇନାହିଁ। ତେଣୁ ପର୍ଯ୍ୟଟନ ବିଭାଗ ତରଫରୁ ତୁରନ୍ତ ସେଠାରେ ଶୌଚାଳୟ ନିର୍ମାଣ, ମଧୁର ଜଳ ଯୋଗାଣ, ପର୍ଯ୍ୟଟକଙ୍କ ଅବସର ବିନୋଦନ ପାଇଁ ସୁନ୍ଦର ପାର୍କ, ୱାଟରବୋଟ୍‌ ରେସିଂ, ଛୋଟ ପିଲାଙ୍କ ପାଇଁ ଖେଳଣା ପାର୍କର ବ୍ୟବସ୍ଥା କରାଯିବାକୁ ପୂର୍ବତନ ସରପଞ୍ଚ କ୍ଷେତ୍ରବାସୀ ବେହେରା, ସମାଜସେବୀ ଅରୁଣ ବେହେରା ,ପଦ୍ମପୁର ସରପଞ୍ଚ କେଶବ ପାତ୍ର ,ଶିକ୍ଷାବିତ ନିମାଇଁ ମଲ୍ଲିକ ପ୍ରମୁଖ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର