ଜଗତସିଂହପୁର ଟାଉନ୍: ନିର୍ବାଚନ ସରିଲା। ଭୋଟ୍ ଗଣତି ବି ସରିଲା। ହେଲେ, ଭୋଟ୍ ଗଣତି ପାଇଁ ବ୍ୟବହାର କରାଯାଇଥିବା ଏସ୍ଭିଏମ୍ ପରିସର ଛାରଖାର ହୋଇଗଲା। କଲେଜର ଲକ୍ଷାଧିକ ଟଙ୍କାର ସମ୍ପତ୍ତି ନଷ୍ଟ ହେବା ସହ କଲେଜ ପରିସର ଆବର୍ଜନା ଗଦା ପାଲଟିଛି। ନିର୍ବାଚନ ପରିଚାଳନାରେ ତ୍ରୁଟି ସହ କେତେଜଣ ଅଧିକାରୀ ଓ କର୍ମଚାରୀଙ୍କ ବେପରୱା କାର୍ଯ୍ୟ ପାଇଁ ଏଭଳି ସମସ୍ୟା ହୋଇଥିବା ଅଭିଯୋଗ ହୋଇଛି।
୨୦୧୯ ନିର୍ବାଚନ ପରିଚାଳନା, ସୁରକ୍ଷା, ଷ୍ଟ୍ରଙ୍ଗ୍ ରୁମ୍ ଏବଂ ଭୋଟ୍ ଗଣତି ପାଇଁ ଏସ୍ଭିଏମ୍ କଲେଜକୁ ବଛା ଯାଇଥିଲା। କେବଳ ଏସ୍ଭିଏମ୍ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ଏବଂ ବିଭିନ୍ନ ବିଭାଗର ବିଭାଗୀୟ ମୁଖ୍ୟଙ୍କ ପ୍ରକୋଷ୍ଠକୁ ଛାଡ଼ି ଦେଲେ କଳା, ବାଣିଜ୍ୟ ଓ ବିଜ୍ଞାନ ସମସ୍ତ ଗୃହକୁ ନିର୍ବାଚନ ପାଇଁ ବ୍ୟବହାର କରାଯାଇଥିଲା। ଦୀର୍ଘ ଦୁଇ ମାସରୁ ଅଧିକ ସମୟ ଧରି ଏସ୍ଭିଏମ୍ କ୍ୟାମ୍ପସ୍ ସମ୍ପୂର୍ଣ୍ଣ ଭାବେ ଜିଲ୍ଲା ପ୍ରଶାସନ ଅଧିନରେ ରହିଥିଲା। ହେଲେ, ନିର୍ବାଚନ ସରିବା ଭିତରେ ଜିଲ୍ଳାର ବୃହତ ଶିକ୍ଷାନୁଷ୍ଠାନକୁ ପ୍ରଶାସନ ଛାରଖାର କରି ଦେଇଛି। ଏହି କଲେଜ ପରିସରରେ ଚାରୋଟି ବିଧାନସଭା ଓ ଗୋଟିଏ ଲୋକସଭା ପାଇଁ ପୃଥକ ପୃଥକ ଷ୍ଟ୍ରଙ୍ଗ୍ ରୁମ୍ କରାଯାଇଥିଲା। ଷ୍ଟ୍ରଙ୍ଗ୍ ରୁମ୍ ପାଇଁ ଉକ୍ତ ପ୍ରକୋଷ୍ଠର ସମସ୍ତ ଝରକା ତଡ଼ାଯାଇ ସେଗୁଡ଼ିକୁ ପ୍ଲାଷ୍ଟର କରାଯାଇଥିଲା। ଘର ଭିତରେ ଥିବା ଡେସ୍କ ଓ ବେଞ୍ଚ୍ଗୁଡ଼ିକ ଅତି ବେପରୱା ଭାବେ ବାହାରେ ଫିଙ୍ଗା ଯାଇଛି। ଦାୟିତ୍ବ ନଥିବା ଯୋଗୁଁ ଶତାଧିକ ଡେସ୍କ, ବେଞ୍ଚ୍, ଟେବୁଲ୍ ଓ ଚେୟାର ବାହାରେ ଭାଙ୍ଗି ପଡ଼ିଥିବା ଦେଖିବାକୁ ମିଳିଛି। ଖାଲି ସେତିକି ନୁହେଁ, ଏସ୍ଭିଏମ୍ ଆର୍ଟସ(କଳା) ବିଭାଗ ଭିତରେ ଥିବା ଉଦ୍ୟାନକୁ ସମ୍ପୂର୍ଣ୍ଣ ନଷ୍ଟ କରି ଦିଆଯାଇଛି। ଉଦ୍ୟାନର ଗଛଗୁଡ଼ିକ ଉପରେ ଆବର୍ଜନା ପକାଯିବା ସହ ଭାରି ବସ୍ତୁ ଫିଙ୍ଗା ଯାଇଥିବାରୁ ବହୁସଂଖ୍ୟକ ଗଛ ମରି ଯାଇଛି। ଉଦ୍ୟାନ ଭିତରେ ପରିସ୍ରାଗାର ଓ ପାଇଖାନା କରାଯାଇ ସମ୍ପୂର୍ଣ୍ଣ ନଷ୍ଟ କରି ଦିଆଯାଇଛି। କଲେଜ ପରିସରରେ ବିଭିନ୍ନ ସ୍ଥାନରେ ପାଣି ବୋତଲ, ଜରି ଓ ଆବର୍ଜନା ଭରି ହୋଇ ରହିଛି।
ନିର୍ବାଚନ ପୂର୍ବରୁ ଏଠାକୁ ବୁଥ୍ ଦାୟିତ୍ବରେ ଥିବା ପ୍ରିଜାଇଡିଂ ଅଫିସର ଓ ସହଯୋଗୀମାନେ ଆସି ଇଭିଏମ୍ ଓ ଭିପିପାଟ୍ ନେଇଥିଲେ। ସେମାନଙ୍କ ପାଇଁ ଗାଡ଼ିର ମଧ୍ୟ ବ୍ୟବସ୍ଥା କରାଯାଇଥିଲା। କଲେଜ ପରିସରରେ ପ୍ରାୟ ୨୦ ହଜାର ଲୋକଙ୍କ ସମାଗମ ହୋଇଥିଲା। ହେଲେ ପରିଚାଳନାରେ ଥିବା ଅଧିକାରୀ ଓ କର୍ମଚାରୀ ସେମାନଙ୍କ ପାଇଁ ଶୌଚାଳୟର ବ୍ୟବସ୍ଥା କରି ନଥିଲେ। ଯାହା ଫଳରେ ଏସଭିଏମ୍ ପରିସର ଏବେ ଝାଡ଼ା ଓ ପରିସ୍ରା ଦୁର୍ଗନ୍ଧରେ ଫାଟି ପଡ଼ୁଛି। କଲେଜର ବିଭିନ୍ନ କୋଠା କାନ୍ଥକୁ ଖୋଳାଯାଇ ପାଣି ଓ ବିଦ୍ୟୁତ୍ ସଂଯୋଗ କରାଯାଇଛି। ସେହିପରି ସୁରକ୍ଷାକର୍ମୀଙ୍କ ପାଇଁ ବାଣିଜ୍ୟ ବିଭାଗ ଓ ବିଜ୍ଞାନ ବିଭାଗର ଅନେକଗୁଡ଼ିଏ ଘର ଖୋଲା ଯାଇଥିଲା। କର୍ମଚାରୀଙ୍କ ପାଇଁ ବି ଘର ଦିଆଯାଇଥିଲା। ସେମାନେ ଯିବା ପରେ ଏ ପର୍ଯ୍ୟନ୍ତ ଉକ୍ତ ଘରଗୁଡ଼ିକ ଆବର୍ଜନାରେ ପୂର୍ଣ୍ଣ ହୋଇ ପଡ଼ି ରହିଛି। ଏହାଛଡ଼ା ପାନ ଛେପରେ ଏସ୍ଭିଏମ୍ କଲେଜ କାନ୍ଥ ବିଚିତ୍ରବର୍ଣ୍ଣା ପାଲଟିଛି। ମାଟିକ୍ ପରୀକ୍ଷା ଫଳ ବାହାରି ସାରିଲାଣି। ଆଉ ସପ୍ତାହକ ମଧ୍ୟରେ ଯୁକ୍ତ ଦୁଇ ପରୀକ୍ଷା ଫଳ ମଧ୍ୟ ବାହାରିବା ପରେ ଏସ୍ଭିଏମ୍ରେ ନାମ ଲେଖା ଆରମ୍ଭ ହେବ। ହେଲେ, କଲେଜ ପରିସର ଓ ଘରଗୁଡ଼ିକ ଏବେ ଦୟନୀୟ ଅବସ୍ଥାରେ ପଡ଼ି ରହିଛି। ଏଭଳି ଅବସ୍ଥାକୁ ନେଇ କଲେଜ କର୍ତ୍ତୃପକ୍ଷ ସ୍ବର ଉଠାଇବା ପରିବର୍ତ୍ତେ ପ୍ରଶାସନକୁ ସୁହାଇବା ଭଳି ଚୁପ୍ ହୋଇ ବସିଛନ୍ତି। ଏଠାରେ ପ୍ରଶ୍ନ ଉଠୁଛି କଲେଜର ଭାଙ୍ଗି ଯାଇଥିବା ଆସବାବପତ୍ର ଓ ଅନ୍ୟାନ୍ୟ କ୍ଷୟକ୍ଷତିର ଭରଣା କରିବ କିଏ? ଜିଲ୍ଲାର ବୃହତ ଶିକ୍ଷାନୁଷ୍ଠାନକୁ ଖୋଦ୍ ଜିଲ୍ଲା ପ୍ରଶାସନ ଏଭଳି କ୍ଷତି ପହଞ୍ଚାଇବାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି।
ଏସ୍ଭିଏମ୍ ପରିସରରେ ଲକ୍ଷ ଲକ୍ଷ ଟଙ୍କାର ସାମଗ୍ରୀ ନଷ୍ଟ
ନିର୍ବାଚନ ପରିଚାଳନାରେ ବେପରୱା କାରବାର
/sambad/media/post_attachments/wp-content/uploads/2019/05/jgtsghpr.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)