ତିର୍ତ୍ତୋଲ ଏସିଡ୍‌ ମାଡ଼ ଘଟଣା : ୮ ବର୍ଷ ପରେ ଅଭିଯୁକ୍ତ ଗିରଫ

ଅଭିଯୁକ୍ତ ସୈନିକ ଓ ସହଯୋଗୀଙ୍କୁ ଧରିଲା ପୁଲିସ

ଜଗତସିଂହପୁର/ତିର୍ତ୍ତୋଲ : ୨୦୦୯ ତିର୍ତ୍ତୋଲ ଏସିଡ୍‍ ମାଡ଼ ଘଟଣାରେ ଜଗତସିଂହପୁର ପୁଲିସକୁ ମିଳିଛି ସଫଳତା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀର ସନ୍ତୋଷ କୁମାର ବେଦାନ୍ତ(୩୬) ଓ ତା’ର ସହଯୋଗୀ ନୟାଗଡ଼ ଜିଲ୍ଲା ରଣପୁର ଥାନା ଚମ୍ପାଗଡ଼ର ବିଶ୍ୱଜିତ ଦଳସିଂ ରାୟ ଓରଫ ଅନିଲକୁ ପୁଲିସ ଗିରଫ କରିଛି। ଘଟଣାରେ ବ୍ୟବହୃତ ହୋଇଥିବା ଏକ ହିରୋ ହୋଣ୍ଡା ସ୍ପ୍ଲେଣ୍ଡର (ଓଆର-୦୨ଏୟୁ-୬୬୬୪) ଗାଡ଼ିକୁ ମଧ୍ୟ ପୁଲିସ ଜବତ କରିଛି। ମୁଖ୍ୟ ଅଭିଯୁକ୍ତ ସନ୍ତୋଷ କଶ୍ମୀରରେ ସେନାବାହିନୀରେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଅଧିକ ତଥ୍ୟ ହାସଲ ପାଇଁ ପୁଲିସ ଅଭିଯୁକ୍ତଙ୍କୁ ୫ଦିନ ରିମାଣ୍ଡରେ ନେବାକୁ ଆବେଦନ କରିବ ବୋଲି ଜଣାପଡ଼ିଛି।

ଏସ୍‌ପି ଜୟ ନାରାୟଣ ପଙ୍କଜଙ୍କ ସୂଚନା ଅନୁଯାୟୀ, ୨୦୦୯ ମସିହାରେ ଘଟିଥିବା ଏହି ଘଟଣାରେ ଅଭିଯୁକ୍ତଙ୍କୁ ଧରିବାକୁ ପୁଲିସ ପ୍ରୟାସ କରିଥିଲା। ମାତ୍ର ଅଭିଯୁକ୍ତଙ୍କ ସମ୍ପର୍କରେ କୌଣସି ସୁରାକ୍‌ ପାଇ ନଥିଲା। ୨୦୧୨ ମସିହାରେ ବାଧ୍ୟ ହୋଇ ପୁଲିସ ଏହି ମାମଲା ବନ୍ଦ କରି ଦେଇଥିଲା। କିିଛିଦିନ ତଳେ ପୀଡ଼ିତା ପ୍ରମୋଦିନୀ ରାଉଳ ଓରଫ ସିନୁ ଜିଲ୍ଲାପାଳ ଯାମିନୀ ଷଡ଼ଙ୍ଗୀଙ୍କୁ ଭେଟି ନ୍ୟାୟ ପାଇଁ ଗୁହାରି କରିଥିଲେ। ଶ୍ରୀମତୀ ଷଡ଼ଙ୍ଗୀ ଏ ନେଇ ଏସ୍‌ପି ଶ୍ରୀ ପଙ୍କଜଙ୍କ ସହ ଆଲୋଚନା କରିବା ପରେ ମାମଲାକୁ ପୁଣି ଖୋଲିବା ପାଇଁ ସ୍ଥିର ହୋଇଥିଲା।

ଫାଇଲ୍‌ ଖୋଲିବା ପରେ ପୁଲିସ ଜଗତସିଂହପୁର କୋର୍ଟରେ ଅଭିଯୁକ୍ତଙ୍କ ବିରୋଧରେ ଜାମିନବିହୀନ ପରଓ୍ଵାନା ଜାରି କରିବା ପାଇଁ ଆବେଦନ କରିଥିଲା। ଏହାକୁ ଅଦାଲତ ମଞ୍ଜୁର କରିଥିଲେ। ଏସ୍‌ପି ଶ୍ରୀ ପଙ୍କଜ ନିଜେ ମାମଲାର ତଦାରଖ କରିବା ସହ ଏକ ସ୍ୱତନ୍ତ୍ର ସ୍କ୍ଵାଡ୍‍ ଗଠନ କରିଥିଲେ। ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପୁଲିସ ମୁଖ୍ୟ ଅଭିଯୁକ୍ତ ସନ୍ତୋଷଙ୍କ ସହଯୋଗୀ ବିଶ୍ୱଜିତ୍‌କୁ ବାଲୁଗାଁରୁ ଉଠାଇ ଆଣିଥିଲା। ପୁଲିସର ଜେରାରେ ବିଶ୍ୱଜିତ ସବୁକିଛି ମାନି ଯାଇଥିଲା। ସେ ସନ୍ତୋଷ ସମ୍ପର୍କରେ ମଧ୍ୟ ପୁଲିସକୁ ତଥ୍ୟ ଦେଇଥିଲା। ବିଶ୍ୱଜିତ୍‌ର ବୟାନ ଆଧାରରେ ପୁଲିସ ସେନାବାହିନୀରେ କାମ କରୁଥିବା ସନ୍ତୋଷକୁ ଧରିବା ପାଇଁ ଜମ୍ମୁ କଶ୍ମୀରର କୁପଓ୍ଵାଡ଼ା ଜିଲ୍ଲାରେ ପହଞ୍ଚିଥିଲା। ମାତ୍ର ଖବର ପାଇ ସନ୍ତୋଷ ସେଠାରୁ ଫେରାର ହୋଇ କୋଲକାତା ପଳାଇଥିଲା। ମାତ୍ର ଚାରିଜଣିଆ ପୁଲିସ ଟିମ୍‍ ସେଠାରେ ପହଞ୍ଚି ତାକୁ ଗିରଫ କରିଥିଲା।

ପ୍ରକାଶ ଥାଉ କି, ୨୦୦୯ ଏପ୍ରିଲ ୧୮ ତାରିଖ ସଂଧ୍ୟା ପ୍ରାୟ ୬ଟା ବେଳେ ପ୍ରମୋଦିନୀ ନିଜ ମାମୁଘରୁ ଫେରୁଥିବା ବେଳେ ବଜାରରେ ଥିବା ବିଏସ୍‍ଏନ୍‍ଏଲ ଟେଲିଫୋନ୍‍ କାର୍ଯ୍ୟାଳୟ ନିକଟରେ ସନ୍ତୋଷ ଓ ବିଶ୍ୱଜିତ ତାଙ୍କ ଉପରକୁ ଏସିଡ୍‍ ଫିଙ୍ଗି ଥିଲେ। ପ୍ରମୋଦିନୀଙ୍କ ମୁହଁ ସମ୍ପୂର୍ଣ୍ଣ ପୋଡ଼ି ଯାଇଥିଲା ଓ ସେ ଦୃଷ୍ଟିଶକ୍ତି ହରାଇ ବସିଥିଲେ। ଏକତରଫା ପ୍ରେମକୁ ନେଇ ଏହି ଏସିଡ୍‍ ମାଡ଼ ହୋଇଥିବା ଜଣା ପଡ଼ିଥିଲା।

ସମ୍ବନ୍ଧିତ ଖବର