ତିର୍ତ୍ତୋଲରେ ହାଇଭୋଲ୍‌ଟେଜ୍‌ ପ୍ରଚାର; ରଣଭୂଇଁରେ ନେତା ଓ ପ୍ରାର୍ଥୀଙ୍କ ହୁଂକାର

ବିଜେପିର ମିଥ୍ୟା ଭାଷଣ କାହାକୁ ଅଛପା ନାହିଁ: ସଂଜୟ ଦାସବର୍ମା; ଭଲ ପ୍ରାର୍ଥୀ ହୋଇଥିବାରୁ ଭୋଟରଙ୍କ ପ୍ରଥମ ପସନ୍ଦ: ସୁର

ଜଗତସିଂହପୁର: ଆସନ୍ତାକାଲି ତିର୍ତୋଲ ଉପନିର୍ବାଚନ ପାଇଁ ପ୍ରଚାରର ଶେଷ ଦିନ। ଏଣୁ ନିର୍ବାଚନ ମୈଦାନରେ ଏପର୍ଯ୍ୟନ୍ତ ତିନି ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀ ଓ ନେତାମାନେ ଜୋରଦାର ପ୍ରଚାର କରିଛନ୍ତି। ନେତାମାନେ ନିଜ ଦଳର ପ୍ରାର୍ଥୀଙ୍କ ସମ୍ପର୍କରେ ଭଲ ଟିପ୍ପଣୀ ଦେଉଥିବା ବେଳେ ବିରୋଧୀ ଦଳ ଗୁଡ଼ିକୁ ତୀବ୍ର ସମାଲୋଚନା କରିଛନ୍ତି। କଂଗ୍ରେସ ନେତା ସୁରେଶ ରାଉତରାୟ ସବୁଠାରୁ ହିମାଂଶୁ ଭୂଷଣ ମଲିକ ଭଲ ପ୍ରାର୍ଥୀ ହୋଇଥିବାରୁ ଭୋଟରଙ୍କ ପ୍ରଥମ ପସନ୍ଦ ବୋଲି କହିଛନ୍ତି। ସେହିପରି ସାଂସଦ ଅପରାଜିତା ଷଡ଼ଙ୍ଗୀ ୨୧ ବର୍ଷ ମଧ୍ୟରେ ତିର୍ତୋଲର ବିକାଶ ପାଇଁ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି, ଏହାର ରିପୋର୍ଟ କାର୍ଡ ମାଗିଛନ୍ତି।

ବିଜେଡି ନେତା ସଂଜୟ ଦାସବର୍ମା ବିଜେପିକୁ ତୀବ୍ର ସମାଲୋଚନା କରିଥିବା ବେଳେ ଏହି ଦଳର ମିଥ୍ୟା ଭାଷଣ କାହାକୁ ଆଉ ଅଛପା ନାହିଁ ବୋଲି କହିଛନ୍ତି। ହାତରେ ଆଉ ଖୁବ୍ କମ୍ ସମୟ। ଏଣୁ ସବୁ ଦଳର ହେଭିଓ୍ବେଟ୍ ନେତାମାନେ ଆଜି ଏହି ନିର୍ବାଚନ ମଣ୍ତଳୀରେ ହାଇଭୋଲଟେଜ୍ ପ୍ରଚାର କରିଛନ୍ତି। କଂଗ୍ରେସ ନେତା ସୁରଙ୍କ ସମେତ ବରିଷ୍ଠ ନେତା ଚିରଂଜୀବ ବିଶ୍ବାଳ, ସତ୍ୟପ୍ରକାଶ ନାୟକ ଓ ଯୁବ ରାଜ୍ୟ ସଭାପତି ସ୍ମୃତି ରଂଜନ ଲେଙ୍କା ଭଳି ଏକାଧିକ ନେତା ପ୍ରଚାରରେ ସାମିଲ ହୋଇଥିଲେ। କଂଗ୍ରେସ ନେତା ସୁର କହିଲେ ଯେ, ହିମାଂଶୁ ଜଣେ ଶିକ୍ଷିତ ଯୁବକ ଓ ଏହି ମାଟିର ପୁଅ। ବିରୋଧୀ ବିଜେପିର ଯିଏ ପ୍ରାର୍ଥୀ ହୋଇଛନ୍ତି, ତାଙ୍କୁ ଲୋକେ ଦଳ ଡିଆଁ କହୁଥିବା ବେଳେ ବିଜେଡି ପ୍ରାର୍ଥୀ ମାଟ୍ରିକ୍ ନମ୍ବର ବଡ଼ାଇବା ପାଇଁ କି କାରସାଦି କରିଥିଲେ, ଏହା ସମସ୍ତଙ୍କୁ ଜଣା। ଏଣୁ କଂଗ୍ରେସ ପ୍ରାର୍ଥୀ ଭୋଟରଙ୍କ ପ୍ରଥମ ପସନ୍ଦ ପାଲଟିଛନ୍ତି।

Sambad

ପ୍ରାର୍ଥୀ ହିମାଂଶୁଙ୍କ କହିବା ଅନୁଯାୟୀ, ମୋଟ୍ ୬୧ ପଂଚାୟତରୁ ୫୫ଟିରେ ସେ ଲୋକଙ୍କୁ ଭେଟି ସାରିଲେଣି। କଂଗ୍ରେସ ଏଠାରେ ଯେପରି ପୂର୍ବରୁ ମଜବୁତ୍ ଥିଲା, ସେହି ସ୍ଥିତିକୁ ଫେରାଇ ଆଣିବା ପାଇଁ ଜୋରଦାର ପ୍ରୟାସ କରୁଛୁ। ବିଜେପିର ପ୍ରଚାର ମଙ୍ଗ ସମ୍ଭାଳିଥିବା ସାଂସଦ ଅପରାଜିତା କହିଛନ୍ତି ଯେ, ଦୁଇ ଦିନ ତଳେ ଆସିଥିଲି। ଆଜି ପୁଣି ଆସିଛି। ଏଣୁ ଦିନକୁ ଦିନ ବିଜେପିକୁ ନେଇ ଲୋକେ ବେଶ୍ ଉତ୍ସାହିତ ଥିବା ସ୍ପଷ୍ଟ ଭାବେ ଜଣାପଡ଼ୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ କଲ୍ୟାଣକାରୀ ଯୋଜନା ଲୋକମାନଙ୍କ ଦ୍ବାରା ବେଶ୍ ଆଦୃତ ହୋଇଛି। ଏଣୁ ସ୍ବାଭାବିକ ଭାବେ ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ସେମାନେ ଇଚ୍ଛୁକ।

ପ୍ରଧାନମନ୍ତ୍ରୀ ଯେପରି ନିଜ ଶାସନ କାଳର ପ୍ରଥମ ବର୍ଷର ରିପୋର୍ଟ କାର୍ଡ ପ୍ରଦର୍ଶନ କରିଥିଲେ, ସେହିପରି ରାଜ୍ୟ ସରକାର ନିଜ ୨୧ ବର୍ଷର ରିପୋର୍ଟ କାର୍ଡରେ ତିର୍ତୋଲ ବିକାଶ ତାଲିକା ସ୍ପଷ୍ଟ କରନ୍ତୁ। ଶାରଳା ସୂତାକଳରେ ପ୍ରାୟ ୫ ହଜାର ଲୋକ ନିଯୁକ୍ତି ପାଇବା ସୁଯୋଗ ରହିଛି। ମାତ୍ର ଏବେ ଏହା ବନ୍ଦ ପଡ଼ିଛି। ଏଣୁ ଲକ୍ଡାଉନରେ ଘରକୁ ଫେରିଥିବା ପ୍ରବାସୀ କରିବେ କ’ଣ ବୋଲି ସେ ପ୍ରଶ୍ନ କରିଛନ୍ତି।

ସେହିପରି ବିଜେଡି ନେତା ସଂଜୟ ଦାସବର୍ମା କହିଲେ ଯେ, ବିଜେପି କେନ୍ଦ୍ରରେ ଯେଉଁ ପ୍ରତିଶ୍ରୁତି ନେଇ ଶାସନକୁ ଆସିଛି ତାହା କେତେ ପୂରଣ ହୋଇଛି? ଏଣୁ ଅନ୍ୟକୁ ସମାଲୋଚନା କରିବା ପୂର୍ବରୁ ପ୍ରଥମେ ନିଜକୁ ସମୀକ୍ଷା କରିବା ଆବଶ୍ୟକ। ବିଜେପିର ମିଥ୍ୟା ଭାଷଣ ଓ ପ୍ରତିଶ୍ରୁତି କାହାକୁ ଅଛପା ନାହିଁ। ମହାବାତ୍ୟା ପରେ ଓଡ଼ିଶାର ସ୍ଥିତି କିଛି ବି ନଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶାସନକୁ ଆସିବା ପରେ ଏ ସବୁ ଅଂଚଳରେ ବ୍ୟାପକ ଉନ୍ନତି କରାଯାଇଛି। ଆଉ ଯାହା ବି କିଛି ସମସ୍ୟା ରହିଛି, ଏହାକୁ ଖୁବ୍ ଶୀଘ୍ର ପୂରଣ କରାଯିବ। ବିଜେଡି ପ୍ରାର୍ଥୀ ବିଜୟ ଶଙ୍କର ଦାସ କହିଛନ୍ତି ବାପାଙ୍କ ପ୍ରତି ଥିବା ଲୋକଙ୍କ ଠାରୁ ସେ ନିଶ୍ଚେ ଆଶୀର୍ବାଦ କରିଛନ୍ତି। ଏଣୁ ନିର୍ବାଚନ ଜିତିବା ନିଶ୍ଚିତ ବୋଲି ଅନୁଭବ ହେଉଛି। ଏହି ଅଂଚଳର ବିକାଶ ପାଇଁ ସମସ୍ତ ପଦକ୍ଷେପ ନେବି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର