ଜଗତସିଂହପୁର: ତିର୍ତୋଲ ବିଧାନସଭା ଉପ-ନିର୍ବାଚନ ନିମନ୍ତେ ନିୟୋଜିତ ପୋଲିଂ ପାର୍ଟିକୁ ଆଜି ସମସ୍ତ ବୁଥ୍କୁ ପଠାଯାଇଛି। ସ୍ଥାନୀୟ ଏସ୍ଭିଏମ୍ କଲେଜରେ ଏଥି ନିମନ୍ତେ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ବୁଥ୍ ସଂଖ୍ୟା ୨୬୫ରୁ ୩୭୩କୁ ବୃଦ୍ଧି କରାଯାଇଛି। ୧୯୪୦ ଜଣ ପ୍ରିଜାଇଡିଙ୍ଗ୍ ପୋଲିଂ ଅଧିକାରୀ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି। ପୋଲିଂ ପାର୍ଟିକୁ ନେବା ଆଣିବା ପାଇଁ ୧୫୭ଟି ବସ୍ର ବ୍ୟବସ୍ଥା କରାଯାଇଛି। ଉପ-ନିର୍ବାଚନ ନିମନ୍ତେ ୬୨ ଜଣ ସିଏପଏଫ୍, ୩୭ ଜଣ ଓ୍ବେବ୍ କାଷ୍ଟିଙ୍ଗ୍, ୪୦ ଜଣ ମାଇକ୍ରୋ ଅବଜରଭର୍, ୫ଟି ଭିଡ଼ିଓ ଗ୍ରାଫି ଓ ୩୩ ଜଣ ସେକ୍ଟର ଅଫିସର ନିୟୋଜିତ ହୋଇଛନ୍ତି। ଆଜି ପୋଲିଂ ପାର୍ଟିକୁ ୩୭ଟି ଡିସ୍ପରସାଲ କାଉଣ୍ଟର ମାଧ୍ୟମରେ ପୋଲିଂ ସାମଗ୍ରୀ ପ୍ରଦାନ କରାଯାଇଛି।
ଭୋଟରମାନେ ଗ୍ଲୋଭ୍ସ ପିନ୍ଧି ମତଦାନ କରିବା ନିମନ୍ତେ ସମସ୍ତ ବୁଥ୍କୁ ପର୍ଯ୍ୟାପ୍ତ ପରିମାଣର ଗ୍ଲୋଭ୍ସ ପଠାଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ସରୋଜ କୁମାର ମିଶ୍ର ଓ ଆରକ୍ଷୀ ଅଧୀକ୍ଷକ ପ୍ରକାଶ ଆର୍ ଏସ୍ଭିଏମ୍ କଲେଜରେ ପହଞ୍ଚି ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ ା ନିର୍ବାଚନ ସାଧାରଣ ପର୍ଯ୍ୟବେକ୍ଷକ ପି.ରାଜେନ୍ଦ୍ର ଚୋଲନ୍ ପୂର୍ବାହ୍ନରେ ଏସ୍ଭିଏମ୍ କଲେଜରେ ଡିସ୍ପରସାଲ କାଉଣ୍ଟର ବୁଲି ଦେଖିଥିଲେ। ଅତିରିକ୍ତ ଜିଲ୍ଲାପାଳ–ତଥା–ରିଟର୍ଣ୍ଣିଂ ଅଧିକାରୀ ସଚ୍ଚିଦାନନ୍ଦ ସାହୁ, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ) ଚିନ୍ମୟୀ ବିଶ୍ବାଳ, ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି, ଉପ–ଜିଲ୍ଲାପାଳ ଧମେନ୍ଦ୍ର ମଲ୍ଲିକ, ବାଲିକୁଦା ତହସିଲଦାର ସିଦ୍ଧାର୍ଥ ଶଙ୍କର ସାହୁ, ଡେପୁଟି କଲେକ୍ଟର ଅଜୟ କୁମାର ମହାନ୍ତି, ସହାୟକ ଜିଲ୍ଲାପାଳ ଦିନେଶ ମିଶ୍ର, ଅକ୍ଷୟ କୁମାର ବଡୁ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ କାମିନୀ ରଞ୍ଜନ ପଟ୍ଟନାୟକ ପ୍ରମୁଖ ଏହି ପୋଲିଂ ଅଧିକାରୀମାନଙ୍କୁ ବିଭିନ୍ନ ବୁଥ୍କୁ ପଠାଇଥିଲେ। କୋଭିଡ୍–୧୯ କଟକଣା ମାର୍ଗଦର୍ଶିକା ସମ୍ପର୍କରେ ପୋଲିଂ କର୍ମଚାରୀମାନଙ୍କୁ ହେଲପ୍ ଡେସ୍କ୍ ମାଧ୍ୟମରେ ସଚେତନତା କରାଯାଇଥିଲା।