ତିର୍ତୋଲ ଉପନିର୍ବାଚନ: ଭର୍ଚୁଆଲ ପ୍ରଚାର ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉପରେ ବର୍ଷିଲେ ଅପରାଜିତା

ବିରିଡ଼ିରେ ବିଜେପିର ହାଇଭୋଲଟେଜ୍ ପ୍ରଚାର

ଜଗତସିଂହପୁର/ଟାଉନ/ବିରିଡ଼ି: ତିର୍ତୋଲ ଉପନିର୍ବାଚନ ତାରିଖ ଯେତିକି ପାଖେଇ ଆସୁଛି ରାଜନୈତିକ ଦଳଗୁଡ଼ିକ ସେମାନଙ୍କ ପ୍ରଚାର କାର୍ଯ୍ୟକ୍ରମକୁ ସେତିକି ଜୋରଦାର କରୁଛନ୍ତି। ଆଜି ବିରିଡ଼ି ବ୍ଲକ୍‌ରେ ବିଜେପିର ହାଇଭୋଲଟେଜ୍ ପ୍ରଚାର ଦେଖିବାକୁ ମିଳୁଛି। ପ୍ରଚାରର ମଙ୍ଗ ଧରିଥିବା ସାଂସଦ ଅପରାଜିତା ଷଡ଼ଙ୍ଗୀ ହିଁ ସମସ୍ତଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ପାଲଟିଥିଲେ। ଭୋଟରମାନଙ୍କୁ ନିରାଶ ନ କରି ଅପରାଜିତା ତାଙ୍କ ଚିରାଚରିତ ଶୈଳୀରେ ପ୍ରଚାର କରିଥିଲେ। କେଉଁଠି ମହିଳାମାନଙ୍କ କାନ୍ଧରେ ହାତ ପକାଇ ଦୁଃଖସୁଖ ବୁଝିଥିଲେ ତ ଆଉ କାହାର ସମସ୍ୟାକୁ ଖାତାରେ ଲେଖି, ଏହାର ସମାଧାନ ପାଇଁ ପ୍ରୟାସ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ଗତକାଲି ମୁଖ୍ୟମନ୍ତ୍ରୀ କରିଥିବା ଭର୍ଚୁଆଲ ପ୍ରଚାରକୁ ଅପରାଜିତା ତୀବ୍ର ସମାଲୋଚନା କରିବା ସହ ମୁଖ୍ୟମନ୍ତ୍ରୀ ଲୋକମାନଙ୍କୁ ସାକ୍ଷାତ କରିବା ପାଇଁ ଭୟ କରୁଛନ୍ତି ବୋଲି ଅଭିଯୋଗ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମାଲୋଚନା କରି କହିଛନ୍ତି କେବଳ ଭର୍ଚୁଆଲ ପ୍ରଚାର କଲେ ହେବନି। ଲୋକମାନଙ୍କ ପାଖକୁ ଆସନ୍ତୁ, ବସନ୍ତୁ ଓ ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଅନ୍ତୁ। ଏପରି କାର୍ଯ୍ୟ କଲେ ବୋଧହୁଏ ଆଉ ଏମିତି ପ୍ରଚାରର ଆବଶ୍ୟକତା ପଡ଼ିବ ନାହିଁ। ବଡ଼ ଆଶ୍ଚର୍ଯ୍ୟର କଥା ଲୋକଙ୍କ ଅଭାବ ଅସୁବିଧା ଜାଣିବା ପାଇଁ ରାଜ୍ୟର ମୁଖିଆ ଭର୍ଚୁଆଲ ପ୍ରଚାର କରୁଛନ୍ତି। ଏହାଠାରୁ ହାସ୍ୟାସ୍ପଦ ଘଟଣା କିଛି ନାହିଁ।

ଏହାର ଜବାବ ଖୁବ୍‌ଶୀଘ୍ର ସାଧାରଣ ଲୋକ ଦେବେ ବୋଲି ସେ କହିଛନ୍ତି। ସାଧାରଣ ଲୋକଙ୍କୁ ବୁଝାଇବାକୁ ଯାଇ ଅପରାଜିତା କହିଲେ ଯେ, କେବଳ ମିଥ୍ୟା ପ୍ରତିଶ୍ର୍ରୁତି ଓ ନିର୍ବାଚନ ପ୍ରଚାର କରିବାକୁ ଆସିନାହିଁ। ବିକାଶର ବାର୍ତା ଓ ଯେଉଁ ସବୁ ସମସ୍ୟା ରହିଛି ଏହାର ସମାଧାନ ଦିଗରେ କି ପଦକ୍ଷେପ ନିଆଯାଇପାରିବ, ସେ ଯୋଜନାରେ ଆସିଛି। ଏ ଅଂଚଳର ସାମଗ୍ରିକ ବିକାଶ ପାଇଁ ସେ ବ୍ୟକ୍ତିଗତ ଭାବେ କାର୍ଯ୍ୟ କରିବେ। ଏନ୍‌ସିଆରବି ତଥ୍ୟ ଅନୁଯାୟୀ ଅପରାଧ ରେକର୍ଡରେ ଓଡ଼ିଶା ଆଗରେ ରହିଛି। ଏଣୁ ଏକ ଅପରାଧମୁକ୍ତ ଓଡ଼ିଶା ଓ ନାରୀମାନଙ୍କ ସୁରକ୍ଷା ପାଇଁ ସରକାର କାର୍ଯ୍ୟ କରିବା ଉଚିତ୍। ବର୍ତମାନ ଦୁର୍ନୀତି ଚରମସୀମାରେ ପହଁଚିଲାଣି।

ଆବାସ ଯୋଜନାରେ ପ୍ରକୃତ ହିତାଧିକାରୀଙ୍କୁ ସାମିଲ କରାଯାଉ ନାହିଁ। ଏହି ଯୋଜନାରେ ୩୦ ହଜାର ଲେଖାଏ ପିସି ଆଦାୟ କରାଯାଉଛି। ଏଥିପାଇଁ ଦାୟୀ କିଏ ରହିବ? ଜିଲ୍ଲା ପ୍ରଶାସନକୁ ଦୋଷୀ ବୋଲି କହିବା ଠିକ୍ ହେବନି। ଏଥିପାଇଁ ଶାସକ ଦଳର ରାଜନେତାଙ୍କର ସିଧାସଳଖ ସମ୍ପୃକ୍ତି ରହୁଛି ବୋଲି ସେ ଅଭିଯୋଗ କରିଛନ୍ତି।

ଏହି ଅଂଚଳରେ ଚାଷୀମାନେ ବର୍ଷ ବର୍ଷ ଧରି ହଇରାଣ ହେଉଛନ୍ତି। ବର୍ଷା ଯୋଗୁଁ ସେମାନଙ୍କର ଫସଲ ନଷ୍ଟ ହେଉଛି। ମାତ୍ର ସରକାର ଯେଉଁ ଦୁଇଟି ସେତୁ ଶିଳାନ୍ୟାସ କରିଛନ୍ତି, କେବଳ ନିର୍ବାଚନକୁ ଦୃଷ୍ଟିରେ ରଖି ଏହି ଯୋଜନା କରାଯାଇଛି। ଏହା ସାଧାରଣ ଲୋକ ବୁଝିସାରିଲେଣି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ କଲ୍ୟାଣ ଯୋଜନା, ବିଜେପି କର୍ମୀଙ୍କ ଉତ୍ସାହ ଦଳୀୟ ପ୍ରାର୍ଥୀଙ୍କୁ ଜୋରଦାର ସମର୍ଥନ ମିଳୁଥିବା ଦେଖିବାକୁ ମିଳୁଛି। ଏଣୁ ଆସନ୍ତା ନିର୍ବାଚନରେ ବିଜେପି ପ୍ରାର୍ଥୀଙ୍କର ହିଁ ଜିତାପଟ ହେବ ଏଥିରେ ସନ୍ଦେହ ନାହିଁ ବୋଲି ସେ କହିଛନ୍ତି।

ଆଜି ଦିନ ୧୦ଟା ୩୦ରେ ଅପରାଜିତା ଏକ ବିରାଟ ପଟୁଆରରେ ହାଜିପୁର ଛକରେ ପହଁଚିଥିଲେ। ସେଠାରେ ତାଙ୍କୁ ଶତାଧିକ ମହିଳା ସ୍ବାଗତ କରିଥିଲେ। ଦଳୀୟ ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ସହ ବାଇଶିମୌଜା, ଚାଷୀଖଣ୍ତ, ବାଗଲପୁର, ପୂରଣ, ଓକୁନ୍ଦରା, ବାସନ୍ଦରା, ଶଙ୍କରସାହି ଓ ମଙ୍ଗୁଲି ଆଦି ପଂଚାୟତ ବୁଲିଥିଲେ। ବିଜେପିର ଏହି ପ୍ରଚାର ଅନ୍ୟମାନଙ୍କଠାରୁ ଟିକିଏ ଭିନ୍ନ ଥିବା ପରି ଅନୁଭବ ହୋଇଥିଲା। ବିଶେଷ କରି ସ୍ଥାନୀୟ ନେତାମାନେ ଅପରାଜିତା ପ୍ରଚାରକୁ ଓହ୍ଲାଇଥିବାରୁ ବେଶ୍ ଉତ୍ସାହିତ ହୋଇପଡ଼ିଥିବା ଦେଖିବାକୁ ମିଳିଥିଲା।

ଏହି କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ନୟନ କିଶୋର ମହାନ୍ତି ଓ ପ୍ରାର୍ଥୀ ପ୍ରାର୍ଥୀ ରାଜକିଶୋର ବେହେରାଙ୍କ ସହିତ ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ର, ପୁରୀ ଜିଲ୍ଲା ସଭାପତି ତଥା ପୁରଣ ମଣ୍ତଳ ପ୍ରଭାରୀ ଆଶ୍ରୀତ ପଟ୍ଟନାୟକ, ହାଜିପୁର ମଣ୍ତଳ ପ୍ରଭାରୀ ଦିଲ୍ଲୀପ ମଲ୍ଲିକ, ରାଜ୍ୟ ଓବିସି ସେଲ ଅଧ୍ୟକ୍ଷ ବିଭୂ ପ୍ରସାଦ ତରାଇ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୀବନ ସାହୁ, ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ସାହୁ, ଆଲୋକ କୁମାର ପଣ୍ତା, ହାଜିପୁର ମଣ୍ତଳ ସଭାପତି ସୁଦର୍ଶନ ପଣ୍ତା, ରାମକୃଷ୍ଣ ପରିଜା, ରଂଜନ କୁମାର ବେହେରା, ଟୁଟୁ ମଲ୍ଲିକ, କାଳନ୍ଦି ଭୋଇ, ସମ୍ପାଦକ ଚିତ୍ତ ରଂଜନ ନନ୍ଦି, ଯୁ ନେତା ଶୁଭ୍ରଜିତ ଉତରାୟ, ରତନ କୁମାର ରାଉତ, ଯୁବ ମୋଚ୍ଚାର୍ ସଭାପତି ଦୀପ୍ତି ରଂଜନ ପରିଜା, ଉପସଭାପତି ତୋଫାନ ବିଶ୍ବାଳ, ବାମଦେବ ମଲ୍ଲିକ, ପ୍ରତାପ କେଶରୀ ପାତ୍ର (ବାବି), ଆଇନଜୀବୀ ସନ୍ତୋଷ ବେହେରା, ସବିତା ଦାସ, ଗୌରୀଶଙ୍କର ରାୟ, ସମୀର ନାୟକଙ୍କ ସମେତ ବହୁ କର୍ମୀ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର