ଜଗତସି˚ହପୁର/ଟାଉନ୍‌: ତିର୍ତ୍ତୋଲ ବିଧାନସଭା ଉପନିର୍ବାଚନ ଭୋଟଗଣତି ପାଇଁ ଏସ୍‌ଭିଏମ୍‌ କଲେଜ ପ୍ରସ୍ତୁତ। ଏଠାରେ ଆସନ୍ତା କାଲି(ମଙ୍ଗଳବାର) ସକାଳ ୮ଟାରୁ ଆରମ୍ଭ ହେବ ଗଣତି। ଏସ୍‌ଭିଏମ୍‌ରେ ସିଲ ଇଭିଏମ୍‌ ଖୋଲିବା ପରେ ପ୍ରାର୍ଥୀଙ୍କ ଭାଗ୍ୟ ଆକଳନ ହେବ। ଏଥିନିମନ୍ତେ ସବୁ ରାଜନୈତିକ ଦଳର ପ୍ରାର୍ଥୀ ଓ ଭୋଟରଙ୍କମଧ୍ୟରେ ଉତ୍ସୁକତା ବଢ଼ି ଯାଇଛି। ଭୋଟଗଣତିକୁ ଶୃଙ୍ଖଳିତ ଓ ବ୍ୟବସ୍ଥିତ କରିବା ପାଇଁ ଗଣତି କେନ୍ଦ୍ରରେ ସମସ୍ତ ବନ୍ଦୋବସ୍ତ ଶେଷ ହୋଇଛି। ନିର୍ବାଚନ ପର୍ଯବେକ୍ଷକ ଡ. ପି ରାଜେନ୍ଦ୍ର ଚୋଲେନ୍, ଜିଲ୍ଲାପାଳ ସରୋଜ କୁମାର ମିଶ୍ର, ଏସ୍‌ପି ପ୍ରକାଶ ଆର୍, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୁ ପ୍ରମୁଖ ସମସ୍ତ ପ୍ରସ୍ତୁତି ତଦାରଖ କରିଛନ୍ତି।

Advertisment

ତ୍ରିସ୍ତରୀୟ ସୁରକ୍ଷା ଭିତରେ ଭୋଟ ଗଣତି କରାଯିବ। ସୁରକ୍ଷା ଅଧିକାରୀ, ନିର୍ବାଚନ ପରିଚାଳନା ଅଧିକାରୀ, ସିସି ଟିଭି ନଜରରେ ରହିବ ଟିକିନିଖି ଘଟଣା। ସକାଳ ୮ଟା ଠାରୁ ଭୋଟ୍ ଗଣତି ଆରମ୍ଭ ହେବ। ଇଭିଏମ୍ ଭୋଟ୍ ଗଣତି ପାଇଁ ୨ଟି ହଲ୍ ବ୍ୟବସ୍ଥା ହୋଇଥିବା ବେଳେ ପୋଷ୍ଟାଲ ବାଲଟ ଗଣତି ନିମନ୍ତେ ଗୋଟିଏ ହଲ୍‌ର ବ୍ୟବସ୍ଥା ହୋଇଛି। ପ୍ରତି ହଲ୍‌ରେ ୭ଟି ଲେଖାଁ ମୋଟ ୧୪ଟି ଟେବୁଲ ହୋଇଥିବା ବେଳେ ପୋଷ୍ଟାଲ ବାଲାଲଟ୍ ନିମନ୍ତେ ୨ଟି ଟେବୁଲ ବ୍ୟବସ୍ଥା କରାଯାଇଛି। ପ୍ରତ୍ୟେକ ରାଉଣ୍ତ ଗଣତି ପରେ ରିଟର୍ଣ୍ଣିଂ ଅଧିକାରୀ ଫଳାଫଳ ଘୋଷଣା କରିବେ। ପ୍ରତ୍ୟେକ ରୁମ୍ ଓ ଟଏଲେଟ୍ ସାନିଟାଇଜ୍ କରାଯିବ। ପ୍ରତ୍ୟେକ ଟେବୁଲ ପାଇଁ ସିସିଟିଭି ଓ ଟିଭି ବ୍ୟବସ୍ଥା କରାଯାଇଛି।

publive-image Sambad

ତିର୍ତୋଲ ବିଧାନସଭା ଉପ ନିର୍ବାଚନ ଭୋଟ ଗଣତି ନିମନ୍ତେ ୨୨ ଜଣ କାଉଣ୍ଟିଂ ସୁପର ଭାଇଜର, ୨୨ଜଣ କାଉଣ୍ଟିଂ ଆସିଷ୍ଟାଣ୍ଟ୍‌ ଓ ୨୪ ଜଣ ମାଇକ୍ରୋ ଅବଜର୍ଭର୍‌ ନିୟୋଜିତ ହୋଇଛନ୍ତି। ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦା ନନ୍ଦ ସାହୁ, ବାଲିକୁଦା ତହସିଲଦାର ସିଦ୍ଧାର୍ଥ ଶଙ୍କର ସାହୁ ଓ ପ୍ରୀତିଶ ନାୟକ ସମସ୍ତ ସୁପରଭାଇଜର, କାଉଣିଂ ଆସିଷ୍ଟାଣ ଓ ମାଇକ୍ରୋ ଅବଜରଭରଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଛନ୍ତି। ଏସ୍‌ପି ପ୍ରକାଶ ଆର୍ ଙ୍କ ତତ୍ବାବଧାନରେ ୬ ପ୍ଲାଟୁନ୍ ଫୋର୍ସ, ୨୬ ଜଣ ଅଫିସର, ଡିଏସ୍‌ପି ରୢାଙ୍କର ୫ ଜଣଙ୍କୁ ସୁରକ୍ଷା ଦାୟିତ୍ବ ଦିଆଯାଇଛି।

ଏଥିସହ ଗୋଟିଏ ପ୍ଲାଟୁନ୍ ସିଆଆର୍‌ପିଏଫ୍ ଯବାନ ଷ୍ଟ୍ରଙ୍ଗରୁମ୍ ଦାୟିତ୍ବରେ ରହିଛନ୍ତି। ୬୧ ପଂଚାୟରେ ଗତ ଥର ୭୩ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା। ଏଥର ୨,୩୭,୨୮୨ ମୋଟ ଭୋଟରଙ୍କ ଭିତରୁ ୩୭୩ଟି ବୁଥରେ ୧୬୫୧୫୮ ଜଣ ମତଦାନ କରିଛନ୍ତି। ପୂର୍ବ ନିର୍ବାଚନ ଅପେକ୍ଷା ଭୋଟ୍ ହାର କମି ୬୯.୬ ପ୍ରତିଶତ ଭୋଟ୍ ହୋଇଛି। ତେବେ ଏଥର ଖୁବ୍ ଶୀଘ୍ର ଫଳାଫଳ ପ୍ରକାଶ ପାଇବ ବୋଲି ଆକଳନ କରାଯାଉଛି। ଅନ୍ୟପଟେ ଏସ୍‌ଭିଏମ୍ କଲେଜରେ ବ୍ୟାରିକେଡ୍ କରାଯାଇ ବାହାର ଲୋକଙ୍କୁ ଭିତରକୁ ପ୍ରବେଶ ନିଷେଧ କରାଯାଇଛି। ପ୍ରମାଣ ପତ୍ର ଦେଖାଇ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଗଣମାଧ୍ୟମ ପ୍ରତିନିଧି ମାନେ ଭିତରକୁ ପ୍ରବେଶ କରିବେ।

ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। ପ୍ରକାଶ ପାଇବ ଉପନିର୍ବାଚନର ଫଳା ଫଳ। କିଏ ତିର୍ତୋଲର ତାଜ୍ ପିନ୍ଧିବ? ୟାକୁ ନେଇ ରାଜନୈତିକ ମହଲରେ ନାନା କଳ୍ପନାଜଳ୍ପନା, ଅଙ୍କକଷା ଆରମ୍ଭ ହୋଇଛି। ପ୍ରାର୍ଥୀ, ନେତା, କର୍ମୀ ସର୍ବୋପରି ଜନସାଧାରଣଙ୍କ ଉତ୍କଣ୍ଠା, ଉତ୍ସାହ ବି ବଢ଼ୁଛି। ନିଶ୍ଚିତ ବିଜୟ ଲକ୍ଷ୍ୟରେ ଥିବା ବିଜେଡି ଭୋଟ୍ ବ୍ୟବଧାନକୁ ନେଇ ଚିନ୍ତାରେ ରହିଛି। ବିଜେପି ପ୍ରାର୍ଥୀ ଏଥର ବିଜୟୀ ହେବା ନେଇ ବେଶ୍ ଉତ୍ସାହିତ। ଅନ୍ୟପଟେ ୨୦୧୯ରେ ତୃତୀୟ ସ୍ଥାନକୁ ଖସି ଆସିଥିବା କଂଗ୍ରେସ ଏଥର ଦୁଇ ପ୍ରମୁଖ ବିରୋଧୀଙ୍କୁ ମାତ୍ ଦେଇ ପୂର୍ବ ସ୍ଥିତିକୁ ଫେରିବ ଆଶାବାଦୀ। ତେବେ ଜନତା ଜନାର୍ଦ୍ଦନଙ୍କ ଜନାଦେଶ କାହା ସପକ୍ଷରେ ଯିବ ତାକୁ ସମସ୍ତଙ୍କ ଅପେକ୍ଷା।