ଆଦିବାସୀ ମହିଳାଙ୍କୁ ହତ୍ୟା

ନଦୀବନ୍ଧ ତଳୁ ଅର୍ଦ୍ଧ ଉଲଗ୍ନ ଶବ ଉଦ୍ଧାର; ସାଥୀ ଫେରାର୍‌

କିଶନନଗର : ଜଣେ ଆଦିବାସୀ ମହିଳାଙ୍କ ଅର୍ଦ୍ଧ ଉଲଗ୍ନ ଶବକୁ କନ୍ଦରପୁର ପୁଲିସ ଦଣ୍ଡୁଆଳିପଡ଼ା ନିକଟ ସୁକପାଇକା ନଦୀବନ୍ଧ ତଳୁ ଉଦ୍ଧାର କରିଛି। ପାରିପାର୍ଶ୍ୱିକ ପରିସ୍ଥିତିରୁ ମହିଳା ଜଣକୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ମହିଳା ଜଣକ ଗୁରୁବାରୀ ସିଂ(୫୨), ଗୁରୁବାରୀ ମୟୂରଭଞ୍ଜର ମୂଳ ବାସିନ୍ଦା।

ତେବେ ଗୁରୁବାରୀଙ୍କ ମୃତଦେହ ନିକଟରେ ଭଙ୍ଗା ଚୁଡ଼ି, ମଦ ବୋତଲ, ପ୍ଲାଷ୍ଟିକ ଗ୍ଲାସ, ଇଡ୍‌ଲି ତରକାରୀ ଥିବା ପୁଡ଼ିଆ ପଡ଼ିଥିବା ଦେଖିବାକୁ ମିଳିଛି। ମୃତଦେହ ବାମପଟ ଗାଲରେ ମାଡ଼ ଚିହ୍ନ ରହିଥିବା ବେଳେ ସେ ପିନ୍ଧିଥିବା ବ୍ଲାଉଜ ଖୋଲାରହିଛି। ଏସବୁରୁ ତାଙ୍କୁ ଦୁଷ୍କର୍ମ ଆଶଙ୍କା କରାଯାଉଛି। କନ୍ଦରପୁର ପୁଲିସ ମାମଲାର ତଦନ୍ତ ଆରମ୍ଭ କରିଥିବା ବେଳେ ତା’ ସହ ରହୁଥିବା ମଇଆ ନାମକ ବ୍ୟକ୍ତିକୁ ଧରିବାକୁ ପୁଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛି। ସୂଚନା ଅନୁସାରେ, ଦୀର୍ଘ ୨୦ବର୍ଷ ହେବ ମୟୂରଭଞ୍ଜର ଗୁରୁବାରୀ ଆୟତପୁର ଅଞ୍ଚଳରେ ରହି ମୂଲ ମଜୁରି କରି ଚଳୁଥିଲେ। ତାଙ୍କର ୪ ପୁଅଝିଅ କାମଧନ୍ଦା ପାଇଁ ଘରଛାଡ଼ି ଚାଲିଯାଇଥିବାରୁ ସେ ଏକୁଟିଆ ରହୁଥିଲେ। ଗତ ୩ ମାସ ହେବ ଗୁରୁବାରୀ ଆୟତପୁର ସଅରସାହିର ମଇଆ ଦେହୁରୀଙ୍କ ସାଙ୍ଗରେ ବ୍ରାହ୍ମଣବାଡ଼ରେ ଜଣକ ଘରେ ରହୁଥିଲେ।

ତେବେ ଗତକାଲି ସକାଳୁ ଗୁରୁବାରୀ ଓ ମଇଆ ଦୁଇଜଣ ଯାକ ଘରୁ ବାହାରିଯାଇଥିଲେ ମଧ୍ୟ ଆଉ ଘରକୁ ଫେରିନଥିବା ଜଣାପଡ଼ିଛି। ଅନ୍ୟପଟେ ମଇଆକୁ ସ୍ଥାନୀୟ ଲୋକେ ଆଜି ଆୟତ୍ତପୁର ଅଞ୍ଚଳରେ ଦେଖିଥିଲେ। ତାକୁ ଡାକିବାରୁ ସେ ନ ଶୁଣି ଦୌଡ଼ି ପଳାଇଯାଇଥିଲା। ଆଜି ଦିନ ପ୍ରାୟ ସାଢ଼େ ଏଗାରଟା ବେଳେ କିଛି ସ୍ଥାନୀୟ ଲୋକେ ମୃତଦେହକୁ ଦେଖି ପୁଲିସକୁ ଖବର ଦେଇଥିଲେ। କନ୍ଦରପୁର ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ପୁଲିସ ନିଜ ତରଫରୁ ଏକ ଅପମୃତ୍ୟୁ ମାମଳା(୧/୨୦୧୮) ରୁଜୁ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। ବ୍ୟବଚ୍ଛେଦ ରିପୋର୍ଟରୁ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଘଟଣାସ୍ଥଳ ପରିଦର୍ଶନ କରିଥିବା ଏସିପି ନିମାଇଁ ଚରଣ ସେଠୀ କହିଛନ୍ତି।

ସମ୍ବନ୍ଧିତ ଖବର