କରୋନା କାରୁଣ୍ୟ : ମୃତ ବାପାଙ୍କୁ ଥରଟିଏ ଦେଖିବାକୁ ୧୨ ଘଣ୍ଟା ଅପେକ୍ଷା କଲେ ପୁଅ-ଝିଅ, ଅଘୋଷିତ ବାସନ୍ଦ ଭିତରେ ବିତୁଛି ଜୀବନ

ଜଗତସିଂହପୁର: ପାରାଦୀପର ଏକ ଘରୋଇ କମ୍ପାନିରେ କାର୍ଯ୍ୟରତ ଅଶୋକ କୁମାର ସାହୁଙ୍କଙ୍କ ମୃତ୍ୟୁ ପରେ ଶବ ଦେଖିବାକୁ ପରିବାରକୁ ଅନୁମତି ମିଳିନାହିଁ। ୧୨ ଘଣ୍ଟାରୁ ଅଧିକ ସମୟ ସେମାନଙ୍କୁ ଅପେକ୍ଷା କରିବାକୁ ପଡ଼ିଛି। ଏମିତିକି ସୁରକ୍ଷା କର୍ମୀ ମଧ୍ୟ କଲୋନି ଛାଡ଼ି ଅନ୍ୟତ୍ର ଚାଲିଯିବାକୁ କହିଥିଲେ। ତେବେ ଅଶୋକଙ୍କର କରୋନା ପଜିଟିଭ୍‌ ଥିବା ଜଣାପଡ଼ିବା ପରେ ପରିବାର ପାଇଁ ସମସ୍ୟା ବଢ଼ିଥିଲା। କରୋନାର ଏଭଳି ଏକ କାରୁଣ୍ୟ ଚିତ୍ର ପାରାଦୀପରେ ଅଭାବନୀୟ ପରିସ୍ଥିତି ସୃଷ୍ଟି କରିଛି।

ଖବରରୁ ଜଣାପଡ଼ିଛି ପାରାଦୀପରେ ଥିବା ଏକ ଘରୋଇ କମ୍ପାନିରେ କାର୍ଯ୍ୟରତ ଅଶୋକ ସପରିବାର ଏଠାରେ ରହୁଥିଲେ। ସେ ଅସୁସ୍ଥ ହୋଇ ପଡ଼ିବାରୁ ସେପ୍ଟେମ୍ବର ୧୭ ତାରିଖରେ ତାଙ୍କର ସ୍ବାବ୍ ପରୀକ୍ଷା କରାଯାଇଥିଲା। ୨୩ ତାରିଖରେ ତାଙ୍କର ରିପୋର୍ଟ ପଜିଟିଭ୍ ଆସିଥିଲା। ପରେ ତାଙ୍କ ପତ୍ନୀ, ଝିଅ ଓ ପୁଅଙ୍କର ସ୍ବାବ୍ ପରୀକ୍ଷା କରାଯାଇଥିଲା ବେଳେ କେବଳ ଝିଅର ରିପୋର୍ଟ ନେଗେଟିଭ୍ ଆସିଥିଲା। ଏହି ଖବର ପ୍ରଚାରିତ ହୋଇଯିବା ପରେ କଲୋନିରେ ରହୁଥିବା ଅନ୍ୟମାନେ ଉକ୍ତ ପରିବାରକୁ ଭିନ୍ନ ଏକ ଚକ୍ଷୁରେ ଦେଖିବାକୁ ଲାଗିଲେ।

ତୁରନ୍ତ ସେହି କଲୋନିରେ ସୁରକ୍ଷାକର୍ମୀ ଏଠାରୁ ପଳାଇଯିବାକୁ ସେମାନଙ୍କୁ କହିଲେ। ଫଳରେ ବାଧ୍ୟ ହୋଇ ପଜିଟିଭ୍ ହୋଇଥିବା ଦମ୍ପତି ଓ ପୁଅ ତାଙ୍କର ଜଣେ ସମ୍ପର୍କୀୟଙ୍କ ଘରେ ଆଶ୍ରୟ ନେଇଥିବା ବେଳେ ନେଗେଟିଭ୍ ଥିବା ଝିଅ ପାରାଦୀପରେ ଏକ ହୋଟେଲରେ ରହିଥିଲେ। ଅଶୋକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିଯିବାରୁ ତାଙ୍କୁ ଭୁବନେଶ୍ବର ସମ୍ ହସ୍‌ପିଟାଲ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମାତ୍ର ଗତ ୨୯ ତାରିଖରେ ତାଙ୍କର ସେଠାରେ ମୃତ୍ୟୁ ହୋଇଥିଲା। ଏ ନେଇ ତାଙ୍କ ପୁଅକୁ ଟେଲିଫୋନ୍ ଯୋଗେ ହସ୍‌ପିଟାଲରୁ ଖବର ଦିଆଯାଇଥିଲା।

Representational

ମୃତଦେହ ଦେଖିବାକୁ ହେଲେ ସତ୍ୟନଗର ଶ୍ମଶାନରେ ଅପେକ୍ଷା କରିବାକୁ କୁହାଗଲା। ସମ୍ପର୍କୀୟଙ୍କ ଘରେ ଥିବା ପତ୍ନୀ ଓ ପୁଅଙ୍କୁ ସେଠାକୁ ଯିବା ପାଇଁ ଭଡ଼ା ଗାଡ଼ି ମିଳିନଥିଲା। ପଜିଟିଭ୍ ଥିବାରୁ ତାଙ୍କୁ ନେଇ ଯିବାକୁ ଗାଡ଼ି ଡ୍ରାଇଭର୍‌ ରାଜି ହୋଇ ନଥିଲେ। ଶେଷକୁ ସେମାନେ ବାଧ୍ୟ ହୋଇ ଏକ ଆମ୍ବୁଲାନ୍ସ ଯୋଗାଡ଼ କରି ବହୁ କଷ୍ଟରେ ଦିନ ୧୨ଟା ସୁଦ୍ଧା ସତ୍ୟନଗର ଶ୍ମସାନରେ ପହଁଚି ଥିଲେ। ଏପଟେ ପାରାଦୀପରେ ହୋଟେଲରେ ରହିଥିବା ତାଙ୍କ ଝିଅ ଅନ୍ୟମାନଙ୍କ ସହ ମିଶି ସେଠାରେ ପହଁଚିଥିଲେ। ପରେ ଧୀରେ ଧୀରେ ଅଶୋକଙ୍କ ଅନ୍ୟ ସମ୍ପର୍କୀୟମାନେ ମଧ୍ୟ ସେଠାରେ ପହଁଚି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଘଂଟା ଘଂଟା ବିତିଯାଇଥିଲେ ମଧ୍ୟ ଗୃହକର୍ତାଙ୍କ ମୃତଦେହ ଆସିନଥିଲା। ଶେଷରେ ଜଣଜଣ କରି ସମ୍ପର୍କୀୟମାନେ ସେଠାରୁ ଚାଲିଯାଇଥିଲେ। ମାତ୍ର ମୃତଦେହକୁ ଦେଖିବାକୁ ପରିବାରବର୍ଗ ୧୨ ଘଣ୍ଟାରୁ ଊର୍ଧ୍ବ ସମୟ ଚାହିଁ ରହିଥିଲେ। ଶେଷରେ ରାତି ପ୍ରାୟ ୨ଟା ବେଳକୁ ଶ୍ମଶାନକୁ ତାଙ୍କ ମୃତଦେହ ଆସିଥିଲା ଓ ପରିବାରବର୍ଗ ତାହା ଦେଖିବାକୁ ସୁଯୋଗ ପାଇଥିଲେ।

ଅନ୍ତ୍ୟେଷ୍ଟିକ୍ରିୟା ପରେ ତାଙ୍କ ପୁଅକୁ ଅସ୍ଥି ନେବା ପାଇଁ କୁହାଯାଇଥିଲା। ସେଠାରୁ ସେମାନେ ବଡ଼ି ଭୋରରୁ ଅସ୍ଥି ନେଇ ଫେରିଥିଲେ। ଏପଟେ କିନ୍ତୁ ଲୋକମାନଙ୍କର ମାନସିକତାରେ ପରିବର୍ତନ ଆସିନଥିଲା। ଆହା ପଦେ କହିବା ପାଇଁ କଲୋନିବାସୀ ମଧ୍ୟ ପାଖକୁ ଆସିନଥିଲେ। ଭୟରେ ହେଉ ଅବା ଘୃଣାରେ ସମସ୍ତେ ନିଜକୁ ଏହି ପରିବାରଠାରୁ ଦୂରେଇ ରଖିଥିଲେ। ପାଖରେ କେହି ନଥିବାରୁ ଥଳକୂଳ ପାଇନଥିଲେ ମୃତକଙ୍କ ପରିବାର। କେବଳ ଘର ଭିତରେ ପଶି ରହିବା ଛଡ଼ା, ତାଙ୍କ ନିକଟରେ ଆଉ କୌଣସି ରାସ୍ତା ନଥିଲା।

ଜାମସେଦପୁରରୁ ମୃତକଙ୍କ ଶଳା ଆସି ଏବେ ଏହି ପରିବାରର ଦୁଃଖରେ ସାମିଲ ହୋଇଛନ୍ତି। ସମ୍ପୂର୍ଣ୍ଣ ହସଖୁସିରେ ଚାଲିଥିବା ପରିବାରକୁ କରୋନା ଯେମିତି କାଙ୍ଗାଳ କରି ଦେଇଛି। ଜଗତସିଂହପୁର ଜିଲ୍ଲାରେ କେବଳ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁନାହିଁ ଦିନକୁ ଦିନ କରୋନାଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏବେ ବି ଲୋକମାନଙ୍କର କରୋନାକୁ ନେଇ ଘୃଣା ଓ ଭୟର ମାନସିକତା ବଦଳୁ ନାହିଁ।

ସମ୍ବନ୍ଧିତ ଖବର