ଜଗତସିଂହପୁରରେ ଗୁଳିମାଡ଼ : ଠିକାଦାର ଓ ଔଷଧ ଦୋକାନୀ ଗୁରୁତର

ଜଗତସିଂହପୁର ଟାଉନ/ତିର୍ତ୍ତୋଲ୍‌ : ଜଗତ୍‌ସିଂହପୁର ଓ ତିର୍ତ୍ତୋଲ ଥାନା ଅଞ୍ଚଳରେ ଆଜି ଦୁଇଟି ଗୁଳିକାଣ୍ଡ ଘଟଣା ଘଟିଛି। ଏଥିରେ ୨ ଜଣ ଲୋକ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି। ମିଳିଥିବା ସୂଚନା ଅନୁସାରେ, ଆଜି ସଂଧ୍ୟାରେ ଜଗତସିଂହପୁର ଥାନା ବଳରାମପୁର ପଞ୍ଚାୟତ ଅନ୍ତର୍ଗତ ଦେନ୍ଦୁଅ ଗ୍ରାମର ଦିବ୍ୟ ସ୍ୱରୂପ ସାହୁ ଓରଫ ଜିତୁଙ୍କୁ ଗୁଳିମାଡ଼ ହୋଇଛି। ତିନୋଟି ବାଇକ୍‌ରେ ୫ ଜଣ ଦୁର୍ବୃତ୍ତ ଆସି ଜିତୁଙ୍କ ଦୁଇ ଗୋଡ଼କୁ ଦୁଇଟି ଗୁଳି ଫୁଟାଇ ଫେରାର୍‌ ହୋଇ ଯାଇଛନ୍ତି। ଟଙ୍କା ଦେଣନେଣକୁ ନେଇ ଏଭଳି ଗୁଳି ମାଡ଼ ହୋଇଥିବା ପୁଲିସ ସୂଚନା ଦେଇଛି। ଗୁଳିମାଡ଼ରେ ଗୁରୁତର ଜିତୁ ଓ ଅବୁ ସୋଫିଅନ୍‌ଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ଅନ୍ୟପଟେ ତିର୍ତ୍ତୋଲ ଥାନା କୃଷ୍ଣାନନ୍ଦପୁର ବସନ୍ତ ଛକରେ ୩ ଜଣ ଯୁବକ ଏକ ବାଇକରେ ଆସି ପ୍ରଥମେ ସେଠାରେ ଥିବା ଜଣେ ବୋଲେରୋ ଡ୍ରାଇଭରଙ୍କ ସହ ପାଟିତୁଣ୍ଡ କରିଥିଲେ। ଉଭୟପକ୍ଷ ମଧ୍ୟରେ ହାତାହାତି ହୋଇଥିଲା। ୩ ଦୁର୍ବୃତ୍ତ ହଠାତ ମାଉଜର କାଢି ଗୁଳି ଚଳାଇ ଥିଲେ। ଗୁଳିଟି କିନ୍ତୁ ନିକଟରେ ଛିଡ଼ା ହୋଇଥିବା ଔଷଧ ଦୋକାନୀ ଅବୁ ସୋଫିଅନଙ୍କ ପେଟର ବାମ ପଟେ ବାଜିଥିଲା। ଗୁରୁତର ସୋଫିଅନ୍‌ଙ୍କୁ ସ୍ଥାନୀୟ ଲୋକ ଉଦ୍ଧାର କରି ପ୍ରଥମେ ରଘୁନାଥପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ ମେଡିକାଲ୍‌ ସ୍ଥାନାନ୍ତର କରିଛନ୍ତି। ରାଜନୈତିକ ବିବାଦ ଏବଂ ପୂର୍ବ ଶତ୍ରୁତାରୁ ଏହି ଅଞ୍ଚଳରେ ଏଭଳି ବାରମ୍ବାର ଗୁଳିକାଣ୍ଡ ହୋଇଥିବା କୁହାଯାଉଛି।

ଗୋଟିଏ ଦିନରେ ଦୁଇଟି ଗୁଳିକାଣ୍ଡ ଘଟଣା ନେଇ ଆଜି ସାରା ଜଗତ୍‌ସିଂହପୁର ଜିଲ୍ଲାରେ ଚର୍ଚ୍ଚାର ବିଷୟ ପାଲଟିଛି।

ସମ୍ବନ୍ଧିତ ଖବର