ରାହା ଖୋଜୁଛନ୍ତି ଦୁଇ ଛେଉଣ୍ଡ

ବାଲିକୁଦା: ବଡଚଣା ବ୍ଲକ କୋଲଣଗିରି ପଞ୍ଚାୟତ ହଳଧରପୁର ଗ୍ରାମର ପ୍ରଦୀପ୍ତ କୁମାର ଦାସ ଓରଫ୍‌ ବୁଲା(୪୪) ବ୍ୟବସାୟରେ ବ୍ୟାପକ କ୍ଷତି ସହିବା ସହ ପିତୃଅର୍ଜିତ ଭୂସମ୍ପତ୍ତିକୁ ହରାଇ ବସିଥିଲେ। ଏକ ଘରୋଇ କମ୍ପାନିରେ କାର୍ଯ୍ୟକରି ନିଜର ପରିବାର ପ୍ରତିପୋଷଣ କରୁଥିଲେ। ମାତ୍ର ଦଇବ ଦାଉସାଧିଲା । ଉଚ୍ଚ ରକ୍ତଚାପ ଓ ମଧୁମେହ ରୋଗରେ ପୀଡ଼ିତ ହୋଇ ଜୁଲାଇ ୨୪ତାରିଖ ୨୦୧୭ ମସିହାରେ ହୃଦ୍‌ଘାତରେ ପରଲୋକ ହୋଇଗଲା। ବନ୍ଧୁ ବାନ୍ଧବଙ୍କ ସହଯୋଗରେ ଶୁଦ୍ଧିକ୍ରିୟା ସରିଗଲା ସିନା ଦୁଃଖ ସରିଲା ନାହିଁ। ପୁତ୍ରହରା ମା’ ଜମ୍ବୁ ଦାସ (୭୦) ପୁଅକୁ ଝୁରିଝୁର ୮ ମାସ ପରେ ଆରରପାରିକି ଚାଲିଗଲେ। ଏବେ ଅଭାବ ଅନଟନରେ ଛନ୍ଦିହୋଇ ସଂଘର୍ସ କରୁଛନ୍ତି ଦୁଇ ଅନାଥ ନାବାଳିକା ଝିଅ ଓ ବିଧବା ପତ୍ନୀ ।
ବଡଝିଅ ନିବେଦିତା ୧୫ବର୍ଷ ଚଳିତ ବର୍ଷ ମେଟ୍ରିକ୍‌ ପରୀକ୍ଷାରେ ୪୪୭ନମ୍ବର ରଖି ପାସ୍‌ କରିଛି। ଇଚ୍ଚ ଶିକ୍ଷାପାଇଁ ଅଭିଳାଷ ଥିଲେ ମଧ୍ୟ ଅର୍ଥ ସାଜିଛି ବାଧକ। ସାନଝିଅ ସୁଶ୍ରୀସଂଗିତା (୧୨)ବର୍ଷ ସପ୍ତମ ଶ୍ରେଣୀରେ ପଢ଼ୁଛି। ଦୁଇ ଝିଅଙ୍କ ପାଠପଢା ସହ ଭବିଷ୍ୟତ ଗଠନ କଥା ଚିନ୍ତା କରିକରି ବିଧବା ମା’ ସନ୍ତୋଷିନୀ(୩୭)ଙ୍କ ଆଖିକୁ ନିଦ ଆସୁନାହିଁ। ସେମାନଙ୍କର ଏକମାତ୍ର ସମ୍ବଳ ୧୫କିଲୋ ରାସନ ଚାଉଳ। ବିପିଏଲ୍‌ ପରିବାର ଭୁକ୍ତ ମୁଖ୍ୟଙ୍କର ମୃତ୍ୟଘଟିଲେ ବିଧବା ପତ୍ନୀଙ୍କୁ ଜାତୀୟ ମଙ୍ଗଳ ଯୋଜନାରେ ୨୦ ହଜାର ଟଙ୍କା ଆର୍ଥିକ ସହାୟତା ପ୍ରଦାନ ପାଇଁ ସରକାରୀ ନିୟମ ରହିଛି। ତାଙ୍କ ପରିବାରର ବିପିଏଲ୍‌ ନମ୍ବର ୧୫୩୬୧/୯୭ ଥିବା ବେଳେ ବୁଲା ଓ ତାଙ୍କ ମା’ଉଭୟଙ୍କ ମୃତ୍ୟୁ ପରେ ମଧ୍ୟ ଅନୁକମ୍ପା ଅର୍ଥରାଶି ବେସାହାରା ପରିବାରକୁ ମିଳିପାରି ନାହିଁ। ପଞ୍ଚାୟତ ଦାୟିତ୍ୱରେ ଥିବା ନିର୍ବାହୀ ଅଧିକାରୀ ପରିବାରର ପ୍ରାଥମିକ ତଦନ୍ତ ମଧ୍ୟ କରୁ ନଥିବାର ଅଭିଯୋଗ ହୁଏ। ସ୍ୱାମୀ ମରିବାର ୧୧ମାସ ବିତିଯାଇଥିଲେ ମଧ୍ୟ ବିଧବା ପତ୍ନୀଙ୍କୁ ବିଧବା ଭତ୍ତାଟିଏ ମଧ୍ୟ ମିଳିପାରି ନାହିଁ । ଅଭାବ ଅନଟନ ମଧ୍ୟରେ ଗତିକରୁଥିବା ପରିବାରକୁ ଅନ୍ତ୍ୟୋଦୟ ଯୋଜନାରେ ଅର୍ନ୍ତଭୁକ୍ତ କରି ମାସକୁ ୩୫ କେଜି ଚାଉଳ ପ୍ରଦାନ କଲେ ଅନ୍ତତଃପକ୍ଷେ ପରିବାରର ଖାଦ୍ୟଚିନ୍ତାଟି ଦୂର ହୋଇପାରନ୍ତା ଏବଂ ଜିଲ୍ଲା ପ୍ରଶାସନ ଦୁଇ ବାପ ଛେଉଣ୍ଡ ଝିଅଙ୍କ ଉଚ୍ଚଶିକ୍ଷା ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର