ବାଲିକୁଦା: ବାଲିକୁଦା ଥାନା ଅନ୍ତର୍ଗତ ଅପଣ୍ଡରା ଗାଁରୁ ଗତକାଲି ରାତିରେ ୩ଜଣଙ୍କ ଘରୁ ଚୋରି ହୋଇଛି। ତେବେ, ଚୋରମାନେ ପଳାଇଯିବା ସମୟରେ ସେମାନଙ୍କ ଭିତରୁ ଜଣେ ଚୋର ଗାଁ ଯୁବକଙ୍କ ହାତରେ ଧରା ପଡ଼ି ଯାଇଥିଲା। ଧରା ପଡ଼ିଥିବା ଚୋର ସାହାଯ୍ୟରେ ସେମାନେ ଧାନ ବିଲରେ ଲୁଚାଇ ରଖିଥିବା କିଛି ସୁନା ଅଳଙ୍କାରକୁ ଗ୍ରାମବାସୀ ଉଦ୍ଧାର କରିବାକୁ ସମର୍ଥ ହୋିଥିଲେ। ତା’ ନିକଟରୁ ଏକ ଭୁଜାଲି ଓ ଏକ ଲୁହା ରଡ୍‌ ମଧ୍ୟ ଜବତ ହୋଇଛି।
ଅପଣ୍ଡରା ଗାଁର ମକର ପଡ଼ିଆରେ ଯାତ୍ରା ଚାଲିଥିବାରୁ ଅଧିକାଂଶ ପରିବାରରେ ଜଣେ/ଦୁଇଜଣ ସଦସ୍ୟଙ୍କୁ ଛାଡ଼ି ଅନ୍ୟମାନେ ଯାତ୍ରା ଦେଖିବାକୁ ଯାଇଥିଲେ।

Advertisment

ଏହାର ସୁଯୋଗ ନେଇ ଚୋରମାନେ ଗାଁର ସମ୍ପଦ ବିଶ୍ୱାଳଙ୍କ ଘରୁ ନଗଦ ୫୦ହଜାର ଟଙ୍କା ସମେତ ସୁନା ଅଳଙ୍କାର, ସୁଧୀର ମଲ୍ଲଙ୍କ ଘରୁ ୩ଲକ୍ଷ ଟଙ୍କା ସମେତ ସୁନା ଅଳଙ୍କାର ଓ ରାଧୁ ଭୋଇଙ୍କ ଘରୁ ୪୦ହଜାର ଟଙ୍କା ସମେତ ସୁନା ଅଳଙ୍କାର ଲୁଟି ନେଇଥିଲେ। ଲୁଟ୍‌ କରି ଫେରାର ହୋଇ ଯାଉଥିବା ସମୟରେ ଯାତ୍ରାରୁ ଫେରୁଥିବା କେତେଜଣ ଯୁବକଙ୍କ ନଜରରେ ସେମାନେ ପଡ଼ି ଯାଇଥିଲେ। ଯୁବକମାନେ ସେମାନଙ୍କୁ ସନ୍ଦେହ କରି କୁଆଡେ ଯାଉଛ ବୋଲି ପଚାରିବାରୁ ସେମାନେ ଦୌଡିବାକୁ ଆରମ୍ଭ କରିଥିଲେ। ଯୁବକମାନେ ସେମାନଙ୍କୁ ଗୋଡାଇ ଜଣକୁ କାବୁ କରି ନେଇଥିଲେ। ଘନ କୁହୁଡି ଥିବାରୁ ଅନ୍ୟ ଜଣେ ଖସି ଯାଇଥିଲା । କାବୁ ହୋଇଥିବା ଚୋର ତିର୍ତ୍ତୋଲ ଥାନା ଶଙ୍ଖେଶ୍ୱର ଗାଁର ରଥ ଦାସ(୨୪)କୁ ଗାଁ ଲୋକେ ଏକ ଘରେ ବାନ୍ଧି ରଖି ଅନନ୍ତପୁର ଫାଣ୍ଡିକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଚୋରଠାରୁ ଉଦ୍ଧାର ହୋଇଥିବା ସୁନା ଅଳଙ୍କାରକୁ ଚିହ୍ନଟ କରାଇ ପରିବାର ଲୋକଙ୍କୁ ଦେଇଥିଲେ। ଫେରାର୍‌ ହୋଇ ଯାଇଥିବା ଚୋର ଜଣକ ପଟ୍ଟାମୁଣ୍ଡାଇ ଥାନା ଗଣ୍ଡକୂଳ ଗାଁର ବୋଲି ଜଣାପଡ଼ିଛି।