ପାଣି ପାଇଁ ହନ୍ତସନ୍ତ ବିଶ୍ବାଳୀ ପଞ୍ଚାୟତବାସୀ

ରାସ୍ତାରୋକ, ଆନ୍ଦୋଳନ ଓ ପ୍ରତିବାଦ ପରେ ବି ନ୍ୟାୟ ମିଳୁନି

କୁଜଙ୍ଗ: ବିକାଶର ଡ଼ିଣ୍ତିମ ପିଟୁଥିବା ରାଜନେତାଙ୍କ ପାଇଁ କୁଜଙ୍ଗ ବ୍ଳକ ଅନ୍ତର୍ଗତ ବିଶ୍ବାଳୀ ପଞ୍ଚାୟତ ଏକ ନିଷ୍ଠୁର ଉପହାସ ଭାବେ ପ୍ରମାଣିତ ହୋଇଆସୁଛି। ଜଳକଷ୍ଟ ଭୋଗୁଥିବା ଏହି ପଞ୍ଚାୟତବାସୀ କେବେ ଏଥିରୁ ମୁକ୍ତି ପାଇବେ ସେ ନେଇ ସନ୍ଦହାନ ହୋଇପଡ଼ିଛନ୍ତି। ପାରାଦୀପ ବନ୍ଦର ଏବ˚ କୁଜଙ୍ଗର ମଧୢବର୍ତ୍ତୀ ସ୍ଥାନରେ ଅବସ୍ଥିତ ଏହି ପଞ୍ଚାୟତରେ ବ୍ଳକ ପ୍ରଶାସନ ପକ୍ଷରୁ ଆରମ୍ଭ କରାଯାଇଥିବା ଗ୍ରାମ୍ୟ ଜଳଯୋଜଗାଣ ପ୍ରକଳ୍ପ ଅଧପନ୍ତରିଆଭାବେ ପଡ଼ିରହିଛି ା ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ଏବ˚ ସ୍ଥାନୀୟ ରାଜନେତାଙ୍କ ନିଷ୍ଠା ଓ ଆନ୍ତରିକତା ଅଭାବରୁ ଏହି ପଞ୍ଚାୟତର ସହସ୍ରାଧିକ ଜନସାଧାରଣ ସର୍ବନିମ୍ନ ଆବଶ୍ୟକତା ହେଉଥିବା ସ୍ବଚ୍ଛ ପାନୀୟଜଳ ଟୋପାଏ ପାଇ ପାରୁନାହାନ୍ତି। ବିକାଶର ବାହାବା ନେଉଥିବା ନେତା ଏବ˚ ରାଜନୈତିକ ଦଳ ପାଇଁ ଏହା ତଣ୍ଟିରେ କଣ୍ଟା ହୋଇ ଅଟକି ରହିଛି।
ପ୍ରକାଶ ଯେ, ବିଶ୍ବାଳୀ ପଞ୍ଚାୟତ ପାରାଦୀପ ବନ୍ଦରାଞ୍ଚଳ ଓ କୁଜଙ୍ଗର ମଧୢବର୍ତ୍ତୀ ଅଞ୍ଚଳରେ ଅବସ୍ଥିତ। ଏହି ପଞ୍ଚାୟତରେ ବିଶ୍ବାଳୀ, ନରେନ୍ଦ୍ରପୁର, ପୀତାମ୍ବରପୁର, କାଠଗଡ଼ା, ଠାକୁରଡ଼ିଆ ଓ କୋଲଡ଼ିଆ ଆଦି ଗ୍ରାମ ରହିଛି ା ମୋଟ ୧୫ଟି ୱାଡ଼ ଥିବା ଏହି ପଞ୍ଚାୟତରେ ଭୋଟରଙ୍କ ସଂଖ୍ୟା ପାଖାପାଖି ୪ ହଜାର ହୋଇଥିବାବେଳେ ମୋଟ ଲୋକସଂଖ୍ୟା ୬ହଜାରରୁ ଅଧିକ ହେବ। ସ୍ବାଧୀନତାର ୭୦ବର୍ଷ ବିତି ଯାଇଥିଲେ ବି ଏହି ଅଞ୍ଚଳରେ ପାନୀୟଜଳର ଘୋର ଅଭାବ ରହିଛି। ପୂର୍ବରୁ ସ୍ଥାନୀୟ ଲୋକେ ବିଭିନ୍ନ ପ୍ରାକୃତିକ ଉତ୍ସରୁ ଜଳସଂଗ୍ରହ କରି ଚାହିଦା ମେଣ୍ଟାଉଥିବା ବେଳେ ଏବେ ସେଗୁଡ଼ିକ ପୋତି ହୋଇପଡ଼ିଥିବାରୁ ପାନୀୟଜଳ ସମସ୍ୟା ସୃଷ୍ଟି ହୋଇଛି। ସମଗ୍ର ପଞ୍ଚାୟତ ଅଞ୍ଚଳରେ ୫୦ରୁ ଅଧିକ ନଳକୂପ ରହିଥିବା ବେଳେତା’ ଭିତରୁ କେତେକ ଅଚଳ ହୋଇପଡ଼ିଛି ା ମାତ୍ର ଗୋଟିଏ/ଦୁଇଟି ନଳକୂପରେ ପାନୀୟ ଉପଯୋଗୀ ଜଳ ଉପଲବ୍ଧ ହେଉଥିବା ବେଳେ ବାକି ସମସ୍ତ ନଳକୂପରେ ଲୁଣିଆ ଏବ˚ ଦୋକସା ଜଳ ମିଳୁଛି। ତାହାକୁ ପାନୀୟଜଳ ଭାବେ ବ୍ୟବହାର କରାଯାଇ ପାରୁନଥିବା ସ୍ଥାନୀୟ ଲୋକେ କହୁଛନ୍ତି। ଏହି ଅଞ୍ଚଳର ଲୋକେ ବର୍ଷାଦିନେ ଛାତରୁ ବର୍ଷାଜଳ ସଂଗ୍ରହ କରି ପାନୀୟଜଳ ଭାବେ ବ୍ୟବହାର କରୁଥିବା ବେଳେ ଅନ୍ୟ ସମୟରେ ନାହଁି ନଥିବା ଅସୁବିଧାର ସମ୍ମୁଖୀନ ହୋଇଥାନ୍ତି ା
ପୂର୍ବରୁ ଫତେପୁରଠାରେ ସ୍ଥାପିତ ପ୍ରକଳ୍ପରୁ ପାଇପ ଯୋଗେ ପାନୀୟଜଳ ଏହି ପଞ୍ଚାୟତକୁ ଯୋଗାଣ କରାଯାଉଥିଲା। ମାତ୍ର ଏହି ଭୂତଳ ପାଇପ ଅନେକ ସ୍ଥାନରେ ଖରାପ ‌ହୋଇଯିବା ପରେ ଆବଶ୍ୟକୀୟ ମରାମତି କରାନଯିବାରୁ ଦୀର୍ଘଦିନ ହେଲଶ ପ୍ରକଳ୍ପଟି ଅଚଳ ହୋଇପଡ଼ିଛି ା ଗତ କିଛିବର୍ଷ ତଳୁ ବିଶ୍ବାଳୀଠାରେ ପାନୀୟଜଳ ଯୋଗାଣ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଇଥିଲେ ମଧୢ ଏହା ଅଧପନ୍ତରିଆ ଭାବେ ପଡ଼ିରହିଛି। କେବଳ ଗୋଟିଏ ଟାଙ୍କି ଏବ˚ ପମ୍ପ ହାଉସ୍‌ରେ ଏହା ସୀମିତ ରହିଛି। ପ୍ରାୟ ୬ମାସ ତଳୁ ୨ କୋଟି ୪୫ ଲକ୍ଷ ଟଙ୍କାର କାର୍ଯ୍ୟାଦେଶ ଦିଆଯାଇଥିଲେ ବି ଏଯାବତ୍‌ ଠିକାଦାର କାର୍ଯ୍ୟ ଆରମ୍ଭ କରିନାହାନ୍ତି। ପୂର୍ବରୁ ଏହାକୁ ନେଇ ପଞ୍ଚାୟତର ନିର୍ବାଚିତ ପ୍ରତିନିଧିମାନେ ପଞ୍ଚାୟତ ସମିତି ବୈଠକରେ ଏ ନେଇ ତୁମ୍ବିତୋଫାନ କରିବା ସହିତ ଧାରଣାରେ ବସିଥିଲେ। ସେହିପରି ଅଞ୍ଚଳର ଶତାଧିକ ଲେଶକ ଜାତୀୟ ରାଜପଥ ଅବରୋଧ କରିବା ସହ କୁଜଙ୍ଗସ୍ଥ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ବି ଦେଇଥିଲେ।

ହେଲେ, ତାହାର କିଛି ସୁଫଳ ମିଳି ନାହିଁ। ସ୍ବଚ୍ଛ ଓ ସ୍ବାସ୍ଥ୍ୟ ଉପଯୋଗୀ ପାନୀୟଜଳ ପାଇବାକୁ ଏବେ ବି ସେମାନେ ଅପେକ୍ଷା କରି ରହିଛନ୍ତି। ଏ ନେଇ ଗ୍ରାମ୍ୟ ପାନୀୟଜଳ ଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ ମାନସୀ ବେହେରାଙ୍କୁ ପଚାରିବାରୁ, ଠିକା କାର୍ଯ୍ୟ ପାଇଥିବା ଠିକାଦର କାର୍ଯ୍ୟ ଆରମ୍ଭ କରି ଦେଇଛନ୍ତି ଓ ଖୁବ ଶୀଘ୍ର କାମ ଶେଷ ହେବ ବୋଲି କହିଛନ୍ତି ା ଅପରପକ୍ଷରେ ସ୍ଥାନୀୟ ସରପଞ୍ଚ ସୁପ୍ରଭା ସାହୁ, ଯୁବ ସମାଜସେବୀ ମାନଭଞ୍ଜନ ମଲ୍ଲ, ଆଲୋକ କୁମାର ସାହୁ, ସ୍ଥାନୀୟ ସମିତି ସଭ୍ୟ ରଞ୍ଜନ କୁମାର ସେଠୀ ପ୍ରମୁଖ ଏହାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହିତ ପ୍ରକଳ୍ପ ନିର୍ମାଣ କ୍ଷେତ୍ରରେ ପୁନର୍ବାର ବିଳମ୍ବ ଘଟିଲେ ଜନସାଧାରଣ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର