ଖୋଲା ଆକାଶ ତଳେ ନବଜାତ ଶିଶୁକନ୍ୟାକୁ ନେଇ ପଡ଼ି ରହିଛି ଚୁମ୍‌କି, ଭଙ୍ଗା ଚୁଲି ଉପରେ ଥୁଆ ହୋଇଛି ଶୁଖିଲା ହାଣ୍ତି

ଜଗତସିଂହପୁର ଟାଉନ୍: ବାପା ଆରପାରିକୁ ଚାଲିଗଲେ। ସ୍ବାମୀ ଛାଡ଼ି ଦେଇ ଆଉ କାହା ହାତ ଧରି କୁଆଡ଼େ ଚାଲିଗଲେ। ଚାରି ଚାରିଟା ଛୁଆକୁ ନେଇ ଖୋଲା ଆକାଶ ତଳେ ପଡ଼ିଛି। ମୋର କେହି ନାହିଁ, କାଳିଆ ତୁ ଏକା ସାହା ଭରସା। ଏଭଳି ହୃଦୟ ବିଦାରକ କଥା କହି ଆଖିରୁ ଲୁହ ଝରାଉଥିଲେ ଚୁମ୍‌କି ସିଂହ। କୋଳରେ ନବଜାତକ ଶିଶୁ କନ୍ୟା। ପାଖରେ ଛୋଟ ଛୋଟ ଦୁଇଟା ପିଲା। ଶୁଖିଲା ହାଣ୍ତି ସେମିତି ଭଙ୍ଗା ଚୁଲି ଉପରେ ଥୁଆ ହୋଇଛି। ଏସ୍‌କେ ଏକାଡେମୀ ପଡ଼ିଆ ଶେଷ ମୁଣ୍ତ ବଣ ନିକଟରେ ଖୋଲା ଆକାଶ ତଳେ ଅତି ଦୟନୀୟ ଭାବେ ପଡ଼ି ଶୀତରେ ଥରୁଥିଲେ ନବଜାତକ ସହ ଚୁମ୍‌କି। ଯାଯାବର ଭଳି ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ବୁଲି କାମ କରି ପେଟ ପୋଷୁଥିବା ଚୁମ୍‌କିର ବାପା ନିସୁକ୍ ଆରପାରିକୁ ଚାଲି ଯାଇଛନ୍ତି। ଏବେ ବିଧବା ମା, ସାନ ଭାଇ ସହ ରହୁଛନ୍ତି।

Sambad

ସାନ ଭାଇ ଗୋଟେ ଗ୍ୟାରେଜ୍‌ରେ କାମ କରେ। ସେଥିରେ ପରିବାର ଚଳେ। ଦୁଇ ଦିନ ତଳେ ଚୁମ୍‌କି ଏହି ଶିଶୁ କନ୍ୟାକୁ ଜନ୍ମ ଦେଇଥିଲା। ଯନ୍ତ୍ରଣାରେ ଚିତ୍କାର କରିବାରୁ କେତେକ ସହୃଦୟ ପହଞ୍ଚି ଆମ୍ବୁଲାନ୍ସ ବ୍ୟବସ୍ଥା କରି ଜିଲ୍ଳା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠି ଦୁଇ ଦିନ ରହିବା ପରେ ପୁଣି ଖୋଲା ପଡ଼ିଆକୁ ଫେରିଆସି ନବଜାତକ ଶିଶୁକନ୍ୟାକୁ ଧରି ପଡ଼ି ରହିଛି ଖୋଲାପଡ଼ିଆରେ। ଏ ନେଇ ପୌରାଚଂଳକୁ ଅବଗତ କରାଯାଇଥିଲେ ସୁଦ୍ଧା କୌଣସି ବିହିତ ବ୍ୟବସ୍ଥା ହୋଇନାହିଁ। ସହୃଦୟ ବ୍ୟକ୍ତି ଏଭଳି ଦୟନୀୟ ସ୍ଥିତିରେ କିଛି ଖାଦ୍ୟ ସାମଗ୍ରୀ, ଛୋଟ ଶିଶୁର ପୋଷାକ ଓ ଚଳିବା ସାମଗ୍ରୀ କିଣି ଦେଇଛନ୍ତି। କିନ୍ତୁ ନବଜାତକର ଯତ୍ନ ନେଇ ନିରାପଦରେ ମୁଣ୍ଡ ଗୁଂଜିବାକୁ ଘରଟିଏ ନାହିଁ। ଏ ନେଇ ତହସିଲଦାର ମାନସ ରଂଜନ ଭୋଇଙ୍କୁ ଯୋଗାଯୋଗ କରାଯିବାରୁ ସେ ତୁରନ୍ତ ପଲିଥିନ୍ ଯୋଗାଇ ଦେଇଥିଲେ ହେଁ ଖୋଲା ଆକାଶ ତଳେ ଭାଗ୍ୟକୁ ଆଦରି ପଡ଼ି ରହିଛି ଚୁମ୍‌କିର ପରିବାର।

ସମ୍ବନ୍ଧିତ ଖବର