ପ୍ରତିକୂଳ ପରିସ୍ଥିତିରେ ହାର ମାନି ନାହାନ୍ତି ବଳରାମ : ମାଗଣା ପ୍ରଶିକ୍ଷଣ ଦେଇ ରୋଜଗାରକ୍ଷମ କରୁଛନ୍ତି ଗାଁ ପିଲାଙ୍କୁ

ରଘୁନାଥପୁର: ଓଡ଼ିଶାର ସୁପର ୩୦ର ନାୟକ ବଳରାମ। ମାଗଣା ଶିକ୍ଷାଦାନ କରିବା ନିଶା ତାଙ୍କୁ ଦେଇଛି ଗୋଟେ ନୂତନ ପରିଚୟ।। ଶାରୀରିକ ଦକ୍ଷତା ଥାଇ ଭାରତୀୟ ସାମରିକ ବାହିନୀ ଓ ପୁଲିସ ପ୍ରଶାସନର ଲିଖିତ ପରୀକ୍ଷା ପାଇଁ ଇଚ୍ଛୁକ ଯୁବକଙ୍କୁ ଦେଉଛନ୍ତି ପ୍ରଶିକ୍ଷଣ।। ୨୦୧୩ରୁ ନିଜେ ସ୍ନାତକ ଶିକ୍ଷା ଶେଷ ପରେ ଆରମ୍ଭ କରିଥିଲେ ଶିକ୍ଷାଦାନ ପ୍ରକ୍ରିୟା।

ସେ ପ୍ରଥମେ ୨୫ ଜଣ ପିଲାଙ୍କୁ ପ୍ରଶିକ୍ଷଣ ଦେବା ଆରମ୍ଭ କରିଥିଲେ । ସେମାନଙ୍କ ମଧ୍ୟରୁ ୧୫ ଜଣ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବର୍ତ୍ତମାନ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟରତ। ବର୍ତ୍ତମାନ ସେ ଆଉ ୧୫ ଜଣ ପିଲାଙ୍କୁ ଶିକ୍ଷାଦାନ କରୁଛନ୍ତି। ନିଜର ଆର୍ଥିକ ସ୍ଥିତି ଭଲ ନଥାଇ ମଧ୍ୟ ଗରିବ ପିଲାଙ୍କୁ ମାଗଣା ଶିକ୍ଷା ଦେଇ ସେ ଆଜିର ଯୁବ ସମାଜ ପାଇଁ ଉଦାହରଣ ସାଜିଛନ୍ତି।

୩୨ ବର୍ଷୀୟ ବଳରାମ ବେହେରାଙ୍କ ଘର ରଘୁନାଥପୁର  ରଇପଡା ଗ୍ରାମରେ। ତାଙ୍କ ପିତା ଅର୍ଜୁନ ବେହେରା। ମାଛ ବିକି ପରିବାର ଭରଣପୋଷଣ କରନ୍ତି। ପରିବାରର ଆର୍ଥିକ ସ୍ଥିତି ଭଲ ନଥିବା ବେଳେ ବଳରାମଙ୍କର ଥିଲା ପାଠ ପଢିବା ନିଶା। ସେ ଉତ୍କଳ ବିଶ୍ଵବିଦ୍ୟାଳୟରେ ଓଡ଼ିଆରେ ଏମଏ କରିବା ସହ ବିଇଡ଼ି ପରୀକ୍ଷାର ଉତ୍ତୀର୍ଣ୍ଣ ହୋଇଛନ୍ତି। ଏହା ସହ ଓଏସଏସସିର ଲିଖିତ ପରୀକ୍ଷାରେ ମଧ୍ୟ ଉତ୍ତୀର୍ଣ୍ଣ ହୋଇଛନ୍ତି।

Sambad

ଶିକ୍ଷାଦାନ କରିବା ନିଶା ଛୋଟବେଳୁ ଥିବା ବେଳେ ସମାଜରେ ଅବହେଳିତ ଗରିବ ପିଲାଙ୍କୁ ଶିକ୍ଷାଦାନ କରିବା ତାଙ୍କର ମୂଳ ଲକ୍ଷ୍ୟ ମଧ୍ୟ ଥିଲା। ତାଙ୍କ ଶିକ୍ଷାଦାନ ଦ୍ୱାରା ଅନେକ ପିଲା ଚାକିରି କ୍ଷେତ୍ରରେ ଉପକୃତ ହୋଇଛନ୍ତି। ଶାରୀରିକ ଦକ୍ଷତା ଥାଇ ମଧ୍ୟ ଶିକ୍ଷାରେ ଦୁର୍ବଳ ଥିବା ପିଲାଙ୍କୁ ପ୍ରଶିକ୍ଷଣ ଦେଇ ଉତ୍ତୀର୍ଣ୍ଣ କରାଇବା ବଳରାମଙ୍କ ଲକ୍ଷ୍ୟ। ସେଥିପାଇଁ ପାଇଁ ଦିନ ରାତି ଏକ କରିଦିଅନ୍ତି ବଳରାମ। ଦିନକୁ ୪ରୁ ୫ଘଣ୍ଟା ପିଲାଙ୍କୁ ପ୍ରଶିକ୍ଷଣ ଦିଅନ୍ତି। ଗଣିତ, ତର୍କଶାସ୍ତ୍ର, ସାଧାରଣ ଜ୍ଞାନ, ଇଂରାଜୀ, ଓଡ଼ିଆ ସହ କମ୍ପୁଟର ଥିଓରି ବିଷୟରେ ଶିକ୍ଷା ଦିଅନ୍ତି।

ବଳରାମ କୁହନ୍ତି ସମାଜରେ ଅବହେଳିତ ପିଲାଙ୍କୁ ଶିକ୍ଷା ଦେବାର ତାଙ୍କ ଜୀବନର ଲକ୍ଷ୍ୟ। ଅର୍ଥିକ ସ୍ଥିତି ଦୃଢ଼ ହେଲେ ଶିକ୍ଷାଦାନ ପାଇଁ ଗୋଟେ କୋଚିଂ ସେଣ୍ଟର କରିବାର ଲକ୍ଷ୍ୟ ରଖିଛନ୍ତି। ପିଲାଙ୍କୁ ଶିକ୍ଷା ଦେଇ ଉତ୍ତୀର୍ଣ୍ଣ ହେବାର ଦେଖିଲେ ଆତ୍ମ ସନ୍ତୋଷ ମିଳେ ବୋଲି ସେ କହିଛନ୍ତି

ସମ୍ବନ୍ଧିତ ଖବର