ଅନ୍ଦ୍ରୋଟି ରାଜମିସ୍ତ୍ରି ହତ୍ୟାକାଣ୍ଡ : ହତ୍ୟାକାରୀ ମହିଳାଙ୍କୁ ଆଜୀବନ କାରାଦଣ୍ଡ

ଜଗତସିଂହପୁର ସଦର : ୨୦୧୭ ମସିହା ଜୁନ୍ ମାସରେ ଅନ୍ଦ୍ରୋଟି ଗ୍ରାମରେ ଘଟିଥିବା ରାଜମିସ୍ତ୍ରି ହତ୍ୟାକାଣ୍ତରେ ସଂପୃକ୍ତ ହତ୍ୟାକାରୀ ମହିଳାକୁ ଜିଲ୍ଲା ଅତିରିକ୍ତ ଦୌରାଜଜ୍ ଆଜୀବନ କାରାଦଣ୍ତାଦେଶ ଦେଇଛନ୍ତି। ଜଗତସିଂହପୁର ଥାନା ଅନ୍ତର୍ଗତ ଅନ୍ଦ୍ରୋଟି ଗ୍ରାମର ରାଜମିସ୍ତ୍ରି ଶରତ ଚନ୍ଦ୍ର ରାୟ ୨୦୧୭, ଜୁନ୍ ୭ରେ କୌଣସି କାମରେ ବାହାରକୁ ଯାଇ ଆଉ ଘରକୁ ଫେରି ନଥିଲେ। ପରଦିନ ସକାଳୁ ନିକଟସ୍ଥ ଏକ ବାଡିରେ ତାଙ୍କ ମୃତଦେହ ପଡିଥିବା ଦେଖାଯାଇଥିଲା। ତେବେ ଉକ୍ତ ରାଜମିସ୍ତ୍ରିଙ୍କ ସହ ନିକଟସ୍ଥ ଗ୍ରାମର ମହିଳା ଶୋଭାରାଣୀ ମହାରଣାଙ୍କ ଅନୈତିକ ପ୍ରେମ ସଂପର୍କ ରହିଥିବା ସ୍ଥାନୀୟ ଲୋକେ କହିଥିଲେ। ହତ୍ୟା ମାମଲାରେ ପୁଲିସ ଶୋଭାରାଣୀଙ୍କୁ ସନ୍ଦେହ କରି ଥାନାକୁ ଆଣି ପଚରାଉଚୁରା କରିଥିଲା। ଆଉ ଉଭୟଙ୍କ ସଂପର୍କକୁ ଶୋଭାରାଣୀଙ୍କ ପୁଅ ବିରୋଧ କରୁଥିବାରୁ ତାକୁ ମଧ୍ୟ ଥାନାକୁ ଆଣିଥିଲା। ମା ପୁଅ ଉଭୟଙ୍କୁ ପୁଲିସ ୩ଦିନ ଥାନାରେ ଅଟକ ରଖି ଜେରା କରିଥିଲା। ପରେ ପୁଲିସ ଶୋଭାରାଣୀଙ୍କୁ ଗିରଫ କରି କୋର୍ଟଚାଲଣ କରିଥିଲା। ଉକ୍ତ ମାମଲାର ବିଚାର କରି ୧୪ଜଣଙ୍କ ସାକ୍ଷ୍ୟପ୍ରମାଣକୁ ଭିତ୍ତି କରି ଜିଲ୍ଲା ଅତିରିକ୍ତ ଦୌରାଜଜ୍ ଇତିଶ୍ରୀ ମାଳବିକା ଭୂୟାଁ ଶୋଭାରାଣୀଙ୍କୁ ଦୋଷୀ ସାବ୍ୟସ୍ତ କରି ଆଜୀବନ କାରାଦଣ୍ତାଦେଶ ସହ ୫ହଜାର ଟଙ୍କା ଜରିମାନା ଲାଗି ଆଦେଶ ଦେଇଛନ୍ତି। ଜରିମାନା ଆଦାୟ ନ‌ ହେଲେ ୬ମାସ ଅଧିକ ଜେଲ ଦଣ୍ତ ଭୋଗିବା ଲାଗି ରାୟରେ ଉଲ୍ଲେଖ ରହିଛି। ଉକ୍ତ ମାମଲାକୁ ସରକାରଙ୍କ ପକ୍ଷରୁ ଆଇନଜୀବୀ ଭଜହରି କର ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର