ତିର୍ତ୍ତୋଲ : ତିର୍ତ୍ତୋଲ ଥାନା ଅନ୍ତର୍ଗତ ରାହାମା ଭାଲିଆପାଟଣା ଗ୍ରାମରେ ଆଜି ସଂଧ୍ୟାରେ ଜଣେ ଜ୍ୱାଇଁଙ୍କ ଏସିଡ୍ ମାଡ଼ରେ ଶାଶୂ ଗୁରୁତର ଆହତ ହୋଇଛନ୍ତି। ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା ପାଇଁ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ତେବେ, ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଯାଇଛି।
ଘଟଣାରୁ ପ୍ରକାଶ, ତିର୍ତ୍ତୋଲ ଥାନା ଅନ୍ତର୍ଗତ ସାଇଲୋ ପଞ୍ଚାୟତ ଭାଲିଆପାଟଣା ଗ୍ରାମର ସ୍ୱର୍ଗତଃ ବନମାଳୀ ସାମଲଙ୍କ ଝିଅ ସ୍ୱର୍ଣ୍ଣଲତା ସାମଲ କାକଟପୁର ଥାନା ବଡ଼ ଓଡ଼ଙ୍ଗ ଗ୍ରାମର ମାନସ ରଞ୍ଜନ ସ୍ୱାଇଁଙ୍କୁ ୨ବର୍ଷ ତଳେ ବିବାହ କରିଥିଲେ। ସେମାନଙ୍କ ଏକ କନ୍ୟା ସନ୍ତାନ ଜନ୍ମ ନେଇଥିଲା ଓ ପାରିବାରିକ ଜୀବନ କିଛିଦିନ ଠିକ୍ରେ କଟିଥିଲା। ତେବେ, ଏହା ପରେ କୌଣସି କାରଣରୁ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା ଓ ପତ୍ନୀ ସ୍ୱର୍ଣ୍ଣଲତା ନିଜ ଝିଅ ଆୟିସାକୁ ଧରି ବାପଘର ଭାଲିଆପାଟଣାକୁ ଚାଲି ଯାଇଥିଲେ। ମାନସ ନିଜ ପତ୍ନୀ ସ୍ୱର୍ଣ୍ଣଲତାଙ୍କୁ ଅନେକ ଥର ଫେରାଇ ନେବାକୁ ଚାହିଥିଲେ ମଧ୍ୟ ଶାଶୂ ଶାନ୍ତିଲତା ସାମଲ ଝିଅକୁ ଜ୍ୱାଇଁ ସହ ଛାଡ଼ିନଥିଲେ। ଏହି ଘଟଣାକୁ ନେଇ ଗ୍ରାମରେ ନିଶାପ ମଧ୍ୟ ବସିଥିଲା ଓ ଯୌତୁକ ବାବଦକୁ ଦେଇଥିବା ସମସ୍ତ ଜିନିଷପତ୍ର ସ୍ୱର୍ଣ୍ଣଲତା ଶାଶୂଘରୁ ନିଜ ବାପଘରକୁ ନେଇ ଆସିଥିଲେ। ଏହାପରେ ସ୍ୱର୍ଣ୍ଣଲତାଙ୍କ ସ୍ୱାମୀ ମାନସ ଭୁବନେଶ୍ୱରର ପରିବାର ଅଦାଲତଙ୍କ ଦ୍ୱାରସ୍ଥ ହୋଇଥିଲେ।
ତେବେ, ଆଜି ସଂଧ୍ୟା ପ୍ରାୟ ସାଢ଼େ ୭ଟା ବେଳେ ମାନସ ଏକ ଗଛରେ ଚଢ଼ି ଛାତ ଉପର ବାଟେ ଘରକୁ ପଶିଥିଲେ। ସେ ନିଜ ବୋତଲରେ ଆଣିଥିବା ଏସିଡ୍କୁ ଗ୍ଲାସ୍ରେ ଢାଳି ଶାଶୂ ଶାନ୍ତିଲତାଙ୍କ ଉପରକୁ ଫିଙ୍ଗି ଫେରାର ହୋଇଯାଇଥିଲେ। ଏସିଡ୍ ପଡ଼ି ଶାନ୍ତିଲତାଙ୍କ ଛାତି, ବେକ, ହାତ ଓ ଓଠରେ ଗୁରୁତର ଆଘାତ ଲାଗିଛି। ପରିବାର ଲୋକେ ତାଙ୍କୁ ତୁରନ୍ତ ଚିକିତ୍ସା ପାଇଁ ନିକଟସ୍ଥ ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ। ତେବେ, ଅବସ୍ଥା ଅଧିକ ଗୁରୁତର ଥିବାରୁ ଡାକ୍ତର ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ପଠାଇ ଦେଇଛନ୍ତି। ଖବର ଲେଖାଯିବା ପର୍ଯ୍ୟନ୍ତ ଏ ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ପୁଲିସ କହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/Tirtol-f.jpg)