ଜଗତସିଂହପୁର : ବିଜେଡିରୁ ବିଦା ହେବା ପରେ ଡାକ୍ତର ଦାମୋଦର ରାଉତଙ୍କ ବିରୋଧରେ ଜଗତସିଂହପୁର ଜିଲ୍ଲା ନେତାଙ୍କ ମଧ୍ୟରୁ କିଏ କିଛି କୁହନ୍ତୁ ନ କୁହନ୍ତୁ, ଦାମଙ୍କ ପାରଂପରିକ ବିରୋଧୀ କୁହାଯାଉଥିବା ଜିଲ୍ଲା ସଭାପତି ବିଷ୍ଣୁ ଚରଣ ଦାସ କିନ୍ତୁ ତାଙ୍କ ମୁହଁ ଖୋଲା ରଖିଛନ୍ତି। ଦଳ ଚାହିଁଲେ ସେ ପାରାଦୀପରୁ ଲଢ଼ିବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଆଜି ବିଷ୍ଣୁ କହିଛନ୍ତିି। ଦାମ ତାଙ୍କ ବାଟରେ ଆଦୌ ପ୍ରତିବନ୍ଧକ ସାଜି ପାରିବେ ନାହିଁ। ବର୍ତ୍ତମାନ ଦାମଙ୍କ ପାଖରେ କେହି ନାହାନ୍ତି। ସମ୍ପୂର୍ଣ୍ଣ ସଂଗଠନ ବିଜେଡି ପାଖରେ ଅଛି। ଏଣୁ ପାରାଦୀପକୁ ନେଇ ଦାମ ଯେଉଁ ଦମ୍ଭ ଦେଖାଉଛନ୍ତି ‘ମୁଁ’ ନିର୍ବାଚନ ଲଢ଼ିଲେ ତାହା ଭୁଲ ପ୍ରମାଣିତ ହୋଇଯିବ ବୋଲି ବିଷ୍ଣୁ କହିଛନ୍ତି। ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣିତ ଜିଲ୍ଲାରେ ବହୁସଂଖ୍ୟକ ବିଜେଡି କର୍ମୀ ଅଛନ୍ତି। ଦାମ ତାଙ୍କୁ ଡରାଇ ରଖିଥିଲେ। ସେମାନେ ବର୍ତ୍ତମାନ ସ୍ୱଇଚ୍ଛାରେ ଦଳକୁ ଆଗେଇ ନେବେ ବୋଲି ବିଷ୍ଣୁ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହାର ଜବାବରେ ଦାମ କହିଛନ୍ତି ଯେ, ବିଷ୍ଣୁ ତାଙ୍କ ଜୀବନରେ ଆଉ ବିଧାୟକ ହୋଇପାରିବେ ନାହିଁ। ପାରାଦୀପ କଥା ଛାଡ଼, କୌଣସି ନିର୍ବାଚନମଣ୍ଡଳୀରୁ ସେ ଆଉ ଜିତି ପାରିବେ ନାହିଁ। ବିଷ୍ଣୁଙ୍କ ଭଳି ଜଣେ ଅବାଞ୍ଛିତ ଲୋକଙ୍କୁ ତାଙ୍କ ସହ ଯୋଡ଼ା ନ ଯାଉ ବୋଲି ଦାମ କହିଛନ୍ତି। ଦାମ କହିଛନ୍ତି ଯେ, ଏବେ ବି ସେ ବିଜେଡିର ଜଣେ କାର୍ଯ୍ୟକାରୀ ସଦସ୍ୟ ଅଛନ୍ତି। ଏ ଯାଏ ତାଙ୍କ ପାଖକୁ କୌଣସି ବହିଷ୍କାର ଚିଠି ଆସିନି। କେବଳ ଗଣମାଧ୍ୟମରୁ ଯାହା ଜାଣିବାକୁ ପାଇଛନ୍ତି। ଦଳର ସମ୍ବିଧାନ ଅନୁଯାୟୀ, ଏ ନେଇ ଲିଖିତ ଆକାରରେ ଜଣାଇବା କଥା, ମାତ୍ର ବର୍ତ୍ତମାନ ସୁଦ୍ଧା ବିଜେଡି ପକ୍ଷରୁ ସେମିତି କିଛି କରାଯାଇ ନାହିଁ ବୋଲି ସେ କହିଛନ୍ତି।
ବର୍ତ୍ତମାନ ସୁଦ୍ଧା ବିଜେଡି ପକ୍ଷରୁ ଜିଲ୍ଲାର କୌଣସି ନିର୍ବାଚନ ମଣ୍ଡଳୀ ପାଇଁ ଟିକଟ ଦେବା ପ୍ରକ୍ରିୟା ଆରମ୍ଭ ହୋଇନାହିଁ। ଜିଲ୍ଲା ସଭାପତି ବିଷ୍ଣୁ ଏଥର ଜଗତସିଂହପୁର ଛାଡ଼ି ତିର୍ତ୍ତୋଲ ଆଡ଼େ ମନ ବଳାଉଥିବା ତାଙ୍କ ନିକଟତମ ଲୋକଙ୍କଠାରୁ ଶୁଣିବାକୁ ମିଳୁଛି। ଅନ୍ୟପଟେ ପାରାଦୀପକୁ ଦାମଙ୍କ ଗଡ଼ ବୋଲି କୁହାଯାଉଥିବା ବେଳେ ଏଠାରେ ଦଳ କି ନିଷ୍ପତ୍ତି ନେଉଛି ତାହା ଉପରେ ସମସ୍ତଙ୍କ ନଜର ରହିଛି।