ପୋଖରୀରେ ବୁଡ଼ି ଯୁବକ ମୃତ

ତିର୍ତ୍ତୋଲ: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତରଜଙ୍ଗା ପଞ୍ଚାୟତ କୋଟକଣା ମଠସାହି ଗ୍ରାମର ସ୍ୱର୍ଗତ ଟୁକୁନା ସାହୁଙ୍କ ପୁତ୍ର ବାପିନା ସାହୁ(୨୮) ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ଆଜି ପୂର୍ବାହ୍ନ ୧୧ଟା ସମୟରେ ବାପିନା ଶୌଚ ହେବାପାଇଁ ନିକଟରେ ଥିବା ପଞ୍ଚାୟତ କୁଣ୍ଡି ପୋଖରୀକୁ ଯାଇଥିଲା। ଏହି ସମୟରେ ଗୋଡ଼ ଖସିଯିବାରୁ ସେ ପାଣିରେ ବୁଡ଼ିଯାଇ ମୃତ୍ୟୁବରଣ କରିଥିବା ଅନୁମାନ କରାଯାଉଛି। ଦୀର୍ଘ ସମୟ ବିତିବା ପରେ ବି ସେ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। କିଛି ସମୟ ପରେ ଉକ୍ତ ପୋଖରୀକୁ ଗାଧୋଇବାକୁ ଆସିଥିବା ଲୋକମାନେ ପୋଖରୀରେ ଏକ ମୃତଦେହ ଭାସୁଥିବାର ଦେଖିଥିଲେ। ଖବର ପାଇ ତିର୍ତ୍ତୋଲ ଅଗ୍ନିଶମ ଅଧିକାରୀ କାର୍ତ୍ତିକ ଚନ୍ଦ୍ର ବିଶ୍ୱାଳ ଓ ସମକଳ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବାପିନାଙ୍କୁ ଉଦ୍ଧାର କରି ମଣିଜଙ୍ଗା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ତେବେ, ସେଠାରେ ପହଞ୍ଚିବା ପୂର୍ବରୁ ସେ ମୃତ୍ୟୁବରଣ କରି ସାରିଥିବା ଡାକ୍ତର ଘୋଷଣା କରିଥିଲେ। ତିର୍ତ୍ତୋଲ ପୁଲିସ ଶବକୁ ବ୍ୟବଛେଦ ପାଇଁ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି। ତାଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର