ଶିକୁଳିରେ ବନ୍ଧା ଯୁବକ ନିଖୋଜ, ୭ମାସ ପରେ ବି ପତ୍ତା ମିଳୁନି

ଗୋପାଳପୁର: ରଘୁନାଥପୁର ବ୍ଳକ ବିଦ୍ୟାଧରପୁର ପଞ୍ଚାୟତ ଦୋ‌ନ୍ଦ୍ୱ ଗ୍ରାମର ମନ୍ଦର ମଲ୍ଳିକଙ୍କ ପୁଅ ସନ୍ତୋଷ ଓରଫ କାଳିଆ(୩୮) ଯୁକ୍ତ ୨ ପଢ଼ୁଥିବା ବେଳେ ଜଣେ ଭଲ କ୍ରିକେଟ ଖେଳାଳି ଭାବେ ଅଞ୍ଚଳରେ ପରିଚିତ ଥିଲେ। ପ୍ରାୟ ୧୪ବର୍ଷ ତଳେ କୌଣସି କାରଣରୁ ମସ୍ତିଷ୍କ ବିକୃତି ଦେଖାଦେବାରୁ ବାପା-ମା’ ମୂଲ ଲାଗି ତାଙ୍କ ଚିକିତ୍ସା କରାଇଥିଲେ। ପୁଅର ମସ୍ତିଷ୍କ ସାମୟିକ ଭାବେ ଭଲ ହୋଇଯିବା ପରେ ମନ୍ଦର ତାଙ୍କୁ ବିବାହ ଦେଇଥିଲେ। ଅଭିମନ୍ୟୁ(୧୪) ଓ ଦେବାଶିଷ(୧୦) ନାମକ ଦୁଇଟି ପୁଅ ତାଙ୍କର ଅଛନ୍ତି। ଶିକୁଳିରେ ବନ୍ଧା କାଳିଆଙ୍କର କୌଣସି ପ୍ରକାର ଚଳି ଯାଉଥିଲା। ମାତ୍ର ଗତ ୭ମାସ ହେଲା ନିଖୋଜ ହୋଇଯାଇଛନ୍ତି କାଳିଆ। ବାପା ମନ୍ଦର ଓ କାଳିଆଙ୍କ ସ୍ତ୍ରୀ ସଲୀଳା ତିର୍ତୋଲ ଥାନାରେ କାଳିଆ ନିଖୋଜ ହୋଇଥିବା ନେଇ ଅଭିଯୋଗ କରିଛନ୍ତି। ହେଲେ, ଏ ପର୍ଯ୍ୟନ୍ତ କାଳିଆଙ୍କର କୌଣସି ଖୋଜ ଖବର ମିଳି ନାହିଁ। ଅସହାୟ କାଳିଆଙ୍କ ପରିବାରକୁ ସରକାରୀ ସାହାଯ୍ୟ ପ୍ରଦାନ କରିବାକୁ ତଥା କାଳିଆଙ୍କୁ ଖୋଜିବାକୁ ବିଦ୍ୟାଧରପୁର ସରପଞ୍ଚ ସୂର୍ଯ୍ୟନାରାୟଣ ନାୟକ, ସମିତି ସଭ୍ୟ ଅଭୟ ମହାନ୍ତି, ରାଜେଶ ମଲ୍ଳିକ, ରାଜା ମଲ୍ଳିକ, ସୁଶାନ୍ତ ମଲ୍ଳିକ, ରବୀନ୍ଦ୍ର ମହାରଣା, ଅଜିତ ମହାରଣା ପ୍ରମୁଖ ଦାବି କରିଛନ୍ତି। ପୁଅକୁ ଖୋଜା ନ ଗଲେ ପରିବାର ପକ୍ଷରୁ ଜିଲ୍ଲା ପ୍ରଶାସନ ନିକଟରେ ଅନଶନ କରିବେ ବୋଲି ସଚେତନ କରିଛନ୍ତି।

ସମ୍ବନ୍ଧିତ ଖବର