ଜଗତ୍‌ସିଂହପୁର ଟାଉନ : ଫେସ୍‌ବୁକ୍‌ରେ ଭିଡିଓ ଅପ୍‌ଲୋଡ- ପରେ ଯୁବକଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ପାଇଁ ପୁରୀ ପୁଲିସ୍‌ ଆଜି ଜଗତ୍‌ସିଂହପୁରରେ ପହଞ୍ଚଥିଲା। ତାଙ୍କ ପତ୍ନୀଙ୍କ ପ୍ରେମିକ କୁହାଯାଉଥିବା ଅମରେଶ ସ୍ୱାଇଁଙ୍କୁ ଉଠାଇ ନେଇଛି। ଅଧିକ ତଦନ୍ତ କରିବା ପାଇଁ ଅମରେଶଙ୍କ ମୋବାଇଲ୍‌କୁ ଜବତ କରିଥିବା ଜଣାପଡ଼ିଛି।

Advertisment

ଆତ୍ମହତ୍ୟା କରିଥିବା ଯୁବକ ପୁରୀ ଜିଲ୍ଲା ଗଡ଼ଭିଙ୍ଗୁରା ଗାଁର ଶାନ୍ତନୁ ପାତ୍ର। ଗତ ୮ ତାରିଖ ବିଳମ୍ବିତ ରାତିରେ ଆତ୍ମହତ୍ୟା କରିବା ପୂର୍ବରୁ ସେ ଫେସ୍‌ବୁକ୍‌ରେ ଏକ ଭିଡିଓ ଅପଲୋଡ୍‌ କରିଥିଲେ। ଯେଉଁଥିରେ ସେ କାହିଁକି ଆତ୍ମହତ୍ୟା କରୁଛନ୍ତି, ସେ ସମ୍ପର୍କରେ ଜଣାଇଥିଲେ। ସେ ଜଣାଇଥିଲେ ଯେ, ବିବାହ ପରେ ପତ୍ନୀଙ୍କ ଚାରିତ୍ରିକ ତ୍ରୁଟି ନେଇ ଉଭୟଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଯେଉଁଥିପାଇଁ ସେ ଆତ୍ମହତ୍ୟା କରୁଥିବା କହିଥିଲେ। ୧୫ ମିନିଟ୍‌ ଅବଧିର ଏହି ଭିଡିଓ ଭାଇରାଲ୍‌ ହେବାବେଳକୁ ସତକୁସତ ଏକ ବରଗଛରେ ଝୁଲି ଆତ୍ମହତ୍ୟା କରିଦେଇଥିଲେ। ଘଟଣାଦିନଠାରୁ ଆଜି ପର୍ଯ୍ୟନ୍ତ ସେହି ଭିଡିଓ ଭାଇରାଲ୍‌ ହେବାରେ ଲାଗିଛି। ଏହି ଘଟଣାରେ ଅନିତାଙ୍କ ତଥାକଥିତ ପ୍ରେମିକ ଅମରେଶଙ୍କ ଭୂମିକାକୁ ବି ପୁଲିସ୍‌ ତଦନ୍ତ ପରିସରକୁ ଆଣିଛି।

ଭିଡ଼ିଓରେ ଶାନ୍ତନୁଙ୍କ ବୟାନକୁ ଆଧାର କରି ପୁରୀ ସଦର ଥାନା ପୁଲିସ୍‌ର ଏକ ଚାରିଜଣିଆ ଦଳ ଜଗତ୍‌ସିଂହପୁରଠାରେ ପହଞ୍ଚଥିଲା। ଅମରେଶଙ୍କ ଘର ହେଉଛି ଜଗତ୍‌ସିଂହପୁର ଥାନା ଅନ୍ତର୍ଗତ ପାଣିଶାଳିଆ ଗ୍ରାମ। ଚର୍ଚ୍ଚିକା ବଜାରରେ ଥିବା ନିଜ ମାର୍ବଲ ଦୋକାନରେ ଥିବାବେଳେ ଜଗତ୍‌ସିଂହପୁର ପୁଲିସ୍‌ ସହାୟତାରେ ପୁରୀ ଟିମ୍‌ ତାଙ୍କୁ ଉଠାଇ ନେଇଛି। ଏବଂ, ଘଟଣାସ୍ଥଳରୁ ତାଙ୍କ ମୋବାଇଲ୍‌ ଜବତ କରିନେଇଛି।

ଅମରେଶଙ୍କ ଆଚରଣ ଏବଂ ଶାନ୍ତନୁ ଅପଲୋଡ କରିଥିବା ଭିଡ଼ିଓ ଭିତରେ ଅନେକ କିଛି ସାମଞ୍ଜସ୍ୟ ରହିଥିବା ଜଣାପଡ଼ିଛି। ଅମରେଶ ମୃତ ଯୁବକ ଶାନ୍ତନୁଙ୍କ ଅଭିଯୋଗକୁ ଖଣ୍ଡନ କରିବା ପାଇଁ ଉଦ୍ୟମ କରିଛନ୍ତି। ତେବେ, ବିବାହ ପୂର୍ବରୁ ତାଙ୍କ ସହିତ ସେ ସମ୍ପର୍କରେ ରହିଥିଲେ ଏବଂ ଦୁଇ ପରିବାର ସମ୍ମତିରେ ବିବାହ ପାଇଁ ସ୍ଥିର ହୋଇଥିବା ସେ ସ୍ୱୀକାର କରିଛନ୍ତି। ସେ କହିଛନ୍ତି ଯେ, ବଡ଼ଭାଇଙ୍କ ପରେ ସେ ବିବାହ କରିବେ ବୋଲି କହିଥିଲେ। ମାତ୍ର, ତାଙ୍କ ଘର ଲୋକ ଅପେକ୍ଷା ନ କରି ତାଙ୍କର ବିବାହ କରିଦେଇଥିଲେ।

ଶାନ୍ତନୁଙ୍କ ସମ୍ପର୍କରେ ଅମରେଶ କହିଛନ୍ତି ଯେ,ବିବାହ ପୂର୍ବରୁ ଉଭୟ ପ୍ରେସ୍‌ବୁକ୍‌ରେ ଫ୍ରେଣ୍ଡଥିଲେ। ତାଙ୍କ ବିବାହ ପୂର୍ବରୁ ସେ ତାଙ୍କ ସହିତ ସମ୍ପର୍କ ଥିବା କଥା ଶାନ୍ତନୁଙ୍କୁ ଜଣାଇଥିଲେ। ଯେଉଁଥିପାଇଁ ସ୍ତ୍ରୀକୁ ସନ୍ଦେହ କରି ତାଙ୍କୁ ସେ ଫୋନ୍‌ରେ ଗାଳିଗୁଲଜ କରିଥା’ନ୍ତି। ଏହାଛଡ଼ା ଶାନ୍ତନୁ ଯେଉଁ ଫେସ୍‌ବୁକ୍‌ ଆଇଡ଼ିରୁ ତାଙ୍କୁ ମେସେଜ୍‌ ଯାଇଛି ବୋଲି କହୁଛନ୍ତି ସେ ଆଇଡ଼ି ତାଙ୍କର ନୁହେଁ ବୋଲି ଅମରେଶ ସଫେଇ ଦେଇଛନ୍ତି।

ହେପାଜତ୍‌କୁ ନେବା ପୂର୍ବରୁ ଅମରେଶଙ୍କର ଏହି ବୟାନ୍‌କୁ ପୁଲିସ୍‌ କିଭଳି ଗ୍ରହଣ କରିବ, ତାହା ତଦନ୍ତ ପରେ ଜଣାପଡ଼ିବ। ଏଥିସହିତ, ପୁରୀ ପୁଲିସ୍‌ କିଭଳି ଏହି ତ୍ରିକୋଣୀୟ ଘଟଣାର ରହସ୍ୟ ଖୋଲିବ, ତାହା ବି ଜଣାପଡ଼ିବ।

ଜଗତ୍‌ସିଂହପୁର ଥାନା ପୁଲିସ୍‌ ଏସ୍‌ଆଇ ଜ୍ୟୋତି ସାହୁ, ପ୍ରେମାନନ୍ଦ ବାରିକ, ଅତୁଲ୍ୟ ବିଶ୍ୱାଳଙ୍କ ସହଯୋଗରେ ପୁରୀ ସଦର ଥାନା ଏସ୍‌ଆଇ ଜ୍ୟୋତି ସାହୁ, ପ୍ରେମାନନ୍ଦ ବାରିକ, ଅତୁଲ୍ୟ ବିଶ୍ୱାଳ ପ୍ରମୁଖ ଅଧିକ ତଦନ୍ତ ପାଇଁ ସାଙ୍ଗରେ ନେଇ ଯାଇଥିବା ଜଣାପଡ଼ିଛି।