ଭଦ୍ରକ: ଅନ୍ତର୍ଜାତୀୟ ମାନବିକ ଅଧିକାର ଦିବସରେ ରାଜ୍ୟରେ ‘କାରାଗାର ସ୍ଥାପନ ଦିବସ’ ପାଳିତ ହେବାକୁ ନିଷ୍ପତ୍ତି ନିଆ ଯାଇଥିବାରୁ ଭଦ୍ରକ ସ୍ୱତନ୍ତ୍ର ଉପକାରାଗାର ପରିସରରେ ମଧ୍ୟ ଏହି ଉତ୍ସବ ପାଳିତ ହୋଇଥିଲା। ଏହି ନିରାଡାମ୍ବର ଉତ୍ସବରେ କାରାରକ୍ଷୀ ଅନ୍ତେବାସୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା କରାଇ ବିଜେତା ମାନଙ୍କୁ ପୁରସ୍କାର ରାଶି ପ୍ରଦାନ କରିଥିଲେ। ଅନ୍ତେବାସୀମାନଙ୍କ ମଧ୍ୟରେ କେରମ, ବକ୍ତୃତା, ଦେଶାତ୍ମବୋଧକ ଗୀତ, ପ୍ରବନ୍ଧ ଓ ମହିଳା ବଂଦୀମାନଙ୍କ ମଧ୍ୟରେ ଝୋଟି, ମ୍ୟୁଜିକ ଚେୟାର, ହୁଳହୋଳି ପ୍ରତିଯୋଗିତା ତଥା କର୍ମଚାରୀମାନଙ୍କ ମଧ୍ୟରେ ସାଧାରଣଜ୍ଞାନ ପ୍ରତିଯୋଗିତା ହୋଇଥିଲା।

Advertisment

୩୩୦ ପୁରୁଷ ଅନ୍ତେବାସୀ ଥିବା ଏହି ଜେଲରେ ୨୨ ଜଣ ସଜା କାଟୁ ଥିବା ଓ ୨୨ ଜଣ ମହିଳା ଓ ୩ ଜଣ ଶିଶୁ ଅଛନ୍ତି। ଅନୁଷ୍ଠିତ କେରମ ପ୍ରତିଯୋଗିତା ପାଇଁ ମୁନ୍ନା ସୋରି, ହରିସ ମହାନ୍ତି, ସଂଗିତ ପାଇଁ ହିମାଂସୁ ସାହୁ, ବକ୍ତୃତା ପାଇଁ ଚକ୍ରଧର ସେଠି, ପ୍ରବନ୍ଧରେ ଜ୍ୟୋତି ପ୍ରକାଶ ଜେନା ପ୍ରମୁଖ ବିଜୟୀ ହୋଇ ପୁରସ୍କୃତ ହୋଇ ଥିବା ବେଳେ ମହିଳାମାନଙ୍କ ମଧ୍ୟରେ ଝୋଟି ପାଇଁ ଇତିଶ୍ରୀ ପତି, ଶାନ୍ତ୍ୱନାମୂଳକ ଭାବେ ଶାନ୍ତିଲତା ଅଧିକାରୀ, ରିନାମଣି, ବାସନ୍ତି ବାରିକଙ୍କୁ ପୁରସ୍କୃତ କରା ଯାଇଥିଲା।

କାରାରକ୍ଷୀମାନଙ୍କ ମଧ୍ୟରେ ସାଧାରଣ ଜ୍ଞାନ ପାଇଁ ସତ୍ୟବ୍ରତ ବାରିକ, ସୁନାରାମ ମହାନ୍ତ, ରତ୍ନାକର ସେଠି, ବଳଦେବ ମହାନ୍ତି, ଅମୁଲ୍ୟ ପାତ୍ରଙ୍କୁ ମଧ୍ୟ ପୁରସ୍କୃତ ହୋଇଥିଲେ। ସେହିପରି ଶୃଙ୍ଖଳା ପାଇଁ କାରାରକ୍ଷୀ ଅଭୟ ପଟ୍ଟନାୟକ ଓ କଏଦୀ ସଂଜୟ କୁମାର ମଳିକଙ୍କୁ ସମ୍ମାନିତ କରା ଯାଇଥିଲା।

କରୋନା ସମୟରେ ଅନ୍ତେବାସୀମାନଙ୍କ ଉତ୍ତମ ସ୍ୱାସ୍ଥ୍ୟ ସେବା ଓ ଉପଯୁକ୍ତ ସାନିଟାଇଜେସନ ପାଇଁ ଜେଲ ଫର୍ମାସିଷ୍ଟ ଜନ୍ମେଜୟ ମହାନ୍ତିଙ୍କୁ ସମ୍ମାନିତ କରା ଯାଇଥିଲା। ଏହି ଅବସରରେ ଜେଲ ପରିସରରେ ଅନ୍ତେବାସୀମାନଙ୍କ ପାଇଁ ଏକ ସ୍ୱତନ୍ତ୍ର କ୍ୟାଣ୍ଟିନକୁ ଉଦ୍‌ଘାଟନ ମଧ୍ୟ କରା ଯାଇଥିଲା। କରୋନା କଟକଣା ମଧ୍ୟରେ ସାମାଜିକ ଦୂରତା ବଜାୟ ରଖି ପାଳିତ ହୋଇ ଥିବା ଏହି ଉତ୍ସବରେ ଜେଲ ଅଧିକ୍ଷକ କୁଆଁର ମାରାଣ୍ଡି, କାରାପାଳ ଦିଲେଶ୍ୱର ଜେନା, ସହକାରି ଉପକାରାରକ୍ଷୀ ହେମନ୍ତ କୁମାର ସିଂ, କାରାରକ୍ଷୀ ବଳଦେବ ମହାନ୍ତି, ସୁନାରାମ ମହାନ୍ତ, ଜମାଦାର ବଳଦେବ ମହାନ୍ତି, ପ୍ରଦୀପ ରାମ, ଭଗବାନ ସେନାପତି, ସଂଜିତ ନାୟକ, ଅମୂଲ୍ୟ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।