ଦେଢ଼ବର୍ଷରେ ଜୟପୁର ଉପଖଣ୍ଡ କାରାଗାରର ଅମୁଳଚୁଳ ପରିବର୍ତ୍ତନ

ଭିତ୍ତିଭୁମିର ବିକାଶ ସାଙ୍ଗକୁ ଅନ୍ତେବାସୀଙ୍କୁ ସମାଜର ମୁଖ୍ୟଧାରାରେ ସାମିଲ ପାଇଁ ଶିଖାଯାଉଛି ଜୀବନ ଜିଇଁବାର କଳା ଓ କୌଶଳ

ଜୟପୁର: ଜେଲ, ନାଁ ଶୁଣିଲେ ଯିଏ କେହି ବି ଭୟ କରନ୍ତି। ତେବେ ଗତ ଦେଢ଼ ବର୍ଷ ହେବ ଜୟପୁର ଉପଖଣ୍ଡକାରାଗାରର ଅନୁସଙ୍ଗିକ ଭିତ୍ତିଭୁମିର ବିକାଶ ସାଙ୍ଗକୁ ଅନ୍ତେବାସୀଙ୍କ ମାନସିକ ସନ୍ତୁଳନ ଠିକ ରଖିବା ଏବଂ ସଂସ୍କାର ମୂଳକ ପଦକ୍ଷେପ ନିଆଯାଇଛି। ଆନ୍ତେବାସୀଙ୍କୁ ସମାଜର ମୁଖ୍ୟ ଧାରାରେ ସାମିଲ ପାଇଁ ଶିଖାଯାଉଛି ଜୀବନ ଜିଇଁବାର କଳା ଓ କୌଶଳ। ଏମାନେ ବିଚାର ବିଭାଗୀୟ ହାଜତରୁ ବାହାରିବା ପରେ ନିଜେ ରୋଜଗାର କ୍ଷମ ହୋଇ ଆତ୍ମନିର୍ଭରଶୀଳ ହେବା ପାଇଁ କାରାଗାର ପକ୍ଷରୁ ନିଆଯାଇଛି ବିଭିନ୍ନ ପଦକ୍ଷେପ। ଗତ ଦେଢ଼ ବର୍ଷ ତଳେ ଜୟପୁର ଉପଖଣ୍ଡକାରାଗାରର ଦୟନୀୟ ଅବସ୍ଥା ରହିଥିଲା। ଅନ୍ତେବାସୀ ମାନେ ନାହିଁ ନଥିବା ଅଭାବ ଓ ଅସୁବିଧା ମଧ୍ୟରେ ରହୁଥିଲେ। ଦେଢ଼ ବର୍ଷ ପୂର୍ବେ ଜୟପୁର ଉପଖଣ୍ଡକାରାଗାରର ନାଁ ଶୁଣିଲେ ଅନ୍ତେବାସୀ ମାନେ ଭୟ କରୁଥିଲେ। ତେବେ ଆଜି ଆଉ ସେ ଦିନ ନାହିଁ। ଗତ ୨୦୧୯ ଜୁନ ୧୦ତାରିଖ ଦିନ ଏଠାରେ ଉପଖଣ୍ଡ କାରାଗାରା ଅଧିକ୍ଷକ ଭାବେ ଯୋଗ ଦେଇଥିଲେ ଲଲିତେନ୍ଦୁ ଭୁଷଣ ଦାଶ। ସେ ଏଠାରେ ଯୋଗ ଦେବା ବେଳେ ୩ ରୁ ୪ଟି ରୁମ ମଧ୍ୟରେ ଗାଇ ଗୋରୁଙ୍କ ଭଳି ୧୫୩ ଜଣ ଅନ୍ତେବାସୀଙ୍କ ସ୍ଥାନରେ ରହୁଥିଲେ ୪୦୦।

Sambad

ଉପଖଣ୍ଡକାରାଗାର ପରିଧି ୪.୭୨ ଏକର ରହିଥିଲେ ହେଁ ଅଧିକାଂଶ ପୁରୁଣା କୋଠା ଓ କାରାଗାର ମଧ୍ୟରେ ରହିଥିବା ପାଚେରୀ ଯୋଗୁଁ ଅନ୍ତେବାସୀ ମାନେ ବୁଲା ବୁଲି ବି ଭଲ ଭାବେ କରି ପାରୁନଥିଲେ। କାରାଗାରର ଏହି ଅବସ୍ଥାକୁ ସୁଧାରିବା ପ୍ରୟାସ ଆରମ୍ଭ କରି ଜେଲ ମଧ୍ୟରେ ରହିଥିବା କିଛି ପୁରୁଣା କୋଠା ଓ ଜେଲ ପରିସରରେ ରହିଥିବା ଏକ ପାଚେରୀକୁ ଭଙ୍ଗାଯିବା ସହ ଅନୁସଙ୍ଗିକ ଭିତ୍ତିଭୁମିର ସୁଧାର ପାଇଁ ଅଧିକ୍ଷକ ଜେଲ ବିଭାଗର ଡିଜିପିଙ୍କୁ ଅବଗତ କରାଇ ଏହା କରିବା ପାଇଁ ଅନୁମତି ପାଇଥିଲେ। ପରେ ପରେ ନୂଆ ନୂଆ କୋଠା ନିର୍ମାଣ କରାଯିବା ସହ ଅନ୍ତେବାସୀ ମାନେ ରହୁଥିବା ରୁମ ସହ ପୁରା ଜେଲର ହୁଲିଆରେ ଅମୁଳଚୁଳ ପରିବର୍ତ୍ତନ ହୋଇଥିଲା। ଏତେ ସଂଖ୍ୟକ ଅନ୍ତେବାସୀଙ୍କ ପାଇଁ ଗୋଟିଏ କୁଅଁ ରହିଥିବା ବେଳେ ଜନସ୍ବାସ୍ଥ୍ୟ ବିଭାଗର ସହଯୋଗରେ ନଳକୂଅ, ସକପିଟ୍ ଓ ସେପଟିକ୍ ଟ୍ୟାଙ୍କର କାମ କରାଯାଇଥିଲା। ଆନ୍ତେବାସୀଙ୍କ ଗାଧୁଆ ତୁଠ (ବାଥିଂ କଂପ୍ଲେକ୍ସ), ଜଳନିଷ୍କାସନ ସ୍ବେରଜ୍ ବ୍ୟବସ୍ଥା ନୂଆରେ କରାଯିବା ସହ ଠାରୁ ଆରମ୍ଭ କରି ଚୁଟିକଟା ସେଲୁନ, କ୍ୟାଣ୍ଟିନ୍, ଲଣ୍ଡ୍ରି ଭଳି ସୁବନ୍ଦୋବସ୍ଥ ଏବେ ଏହାର ପରିସରରେ ଆରମ୍ଭ ହୋଇଛି। ପୁର୍ବରୁ ଜେଲ ପରିସରରେ ପଲିଥିନ୍ ଝରି, ଲତାବୁଧା ଭରି ରହୁଥିବା ବେଳେ ପୌରପାଳିକା ସହଯୋଗରେ ମିଳିଥିବା ବାକ୍ସରେ ଏବେ ସବୁ ଅନ୍ତେବାସୀ ଏସବୁ ଆଣି ପକାଉଛନ୍ତି।

Sambad

୪ଟି ନୂଆରେ ବଡ ରୁମ ହେବା ପରେ ରାଜ୍ୟ ଗୃହ ବିଭାଗ ୧୫୩ ରୁ ୨୫୭ ଏବଂ ଏବେ ୨୮୨ ଜଣ ଅନ୍ତେବାସୀ ରହିବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ତେବେ ଆଜି ରହିଛନ୍ତି ୪୪୫ ଜଣ ଅନ୍ତେବାସୀ। ଜେଲ ପରିସରରେ ୪ଜଣ ଅନ୍ତେବାସୀ ଚିତ୍ରକରଙ୍କ ଦ୍ବାରା ବିଭିନ୍ନ ସଚେତନତା ମୂଳକ ବାର୍ତ୍ତା ‌ଓ ଚିତ୍ର ଅଙ୍କାଯାଇଛି। ସେଭଳି ଅନ୍ତେବାସୀଙ୍କ ଦ୍ବାରା ହିଁ ଗେଟ ସମ୍ମୁଖରେ ଜାତୀୟ ପତ୍ତାକା ଉଡାଇବା ପ୍ଲାଗ୍ ପୋଷ୍ଟ ନିର୍ମାଣ କରାଯିବା ସହ ସକାଳରୁ ସଂଧ୍ୟା ପର୍ୟ୍ୟନ୍ତ ଏବେ ଜାତୀୟ ପତ୍ତାକା ବି ଉଡୁଛି। ସେଭଳି ସମ୍ମୁଖ ଗେଟ୍ ଓ ପ୍ରଶାସନିକ ଭବନ ବହୁତ ଛୋଟ ରହିଥିବା ବେଳେ ଏବେ ଏହାର ରୁପରେଖରେ ବ୍ୟାପକ ପରିବର୍ତ୍ତନ କରାଯାଇଛି। ସମ୍ମୁଖ ଗେଟ୍ ନୂଆରେ ଏବଂ ବଡ଼ ଆକାରରେ କରାଯାଇଛି। ଏହାରି ମଧ୍ୟରେ ପ୍ରଶାସନିକ ଭବନ, ଅଧିକ୍ଷକ, ସହକାରୀ ଜେଲର, ଫାର୍ମାଶିଷ୍ଟ ଆଦିଙ୍କ ଚାମ୍ବର ବି କରାଯାଇଛି। ଭିଡିଓ କନଫେରନସିଂ ହଲ ବି ନିର୍ମାଣ ସରିଛି। ସେଭଳି ଅନ୍ତେବାସୀଙ୍କୁ ସାକ୍ଷାତ କରିବାକୁ ଆସୁଥିବା ପରିବାର ସ୍ବଜନ ମାନେ ଆପେକ୍ଷା କରି ବସିବା ପାଇଁ ୨ଟି ବିଶ୍ରାମଗାର ବି ନିର୍ମାଣ ହୋଇଛି। ରୁଦ୍ଧ କାରାଗାର ଚାରିକାନ୍ଥ ଭିତରେ ବନ୍ଦୀ ଜୀବନ ବିତାଉଥିବା ମଣିଷର ବ୍ୟକ୍ତିତ୍ବ ସହଜରେ ପରିସ୍ପୁଟିତ ହୋଇପାରେ ନାହିଁ। ଅନ୍ତେବାସୀଙ୍କ ଶାରିରୀକ, ମାନସିକ ଓ ବୈଦ୍ଧିକ ବିକାଶ ଉପରେ ଅଧିକା ଗୁରୁତ୍ବ ଆରୋପ କରି ସେମାନଙ୍କ ସାମାଜିକ ଦାୟିତ୍ବ ସଂପର୍କରେ ସଚେତନ କରାଯାଇ ଯୋଗଶିକ୍ଷା, ସବୁ ଦିନ ଷ୍ଟିରିଅରେ ଅଧ୍ୟାତ୍ମିକ ପ୍ରାର୍ଥନା ଓ ପ୍ରବଚନ, ବିଭିନ୍ନ ସଂପ୍ରଦାୟର ପର୍ବପର୍ବାଣୀ ପାଳନ କରାଯାଉଛି।

Sambad

ସୁରକ୍ଷା ପାଇଁ ସିସିଟିଭି ଲାଗି ରହିଥିବା ବେଳେ ସମ୍ମୁଖ ଗେଟରେ ତ୍ରିସ୍ତରୀୟ ଯାଂଚ ବ୍ୟବସ୍ଥା ବି କରାଯାଇଛି। ପରିବାର ସଦସ୍ୟ ଓ ଜ୍ଞାତିକୁଟମ୍ବ ସହ ସାକ୍ଷାତ ଆଲୋଚନାର ସୁଯୋଗ ଦେବାକ୍ରମରେ ଇଣ୍ଟରକମ୍ ଓ ଭାଚ୍ୟୁଲ୍ ମିଟର ବ୍ୟବସ୍ଥା ବି କରାଯାଇଛି। ଜେଲ୍ ଭିତରେ ଲଘୁ ଉଦ୍ୟୋଗ କଥା ଶୁଣିଲେ ଯେକେହି ବି ଆଶ୍ଚର୍ୟ୍ୟ ହେବେ ନିଶ୍ଚୟ। ଏବେ ବଜାରରେ ଅନେକ ନକଲି ଖାଦ୍ୟ ପଦାର୍ଥ ଛାଇ ଯାଇଥିବା ବେଳେ ଏଠାରେ ପ୍ରସ୍ତୁତ ହେଉଛି ଅସଲି ଅଟା, ବେସନ, ମାଣ୍ଡିଆ ଗୁଣ୍ଡ, ହଳଦୀ ଗୁଣ୍ଡ ସହ ଫୁଲ ଝାଡ଼ୁ। ଆଉ ଏହାକୁ ପ୍ରସ୍ତୁତ କରୁଛନ୍ତି ଅନ୍ତେବାସୀ। ଏହି ସବୁ ସାମଗ୍ରୀକୁ ବଜାରରେ ବିକ୍ରି କରିବା ପାଇଁ ଜେଲ୍ ପରିସରରେ ଏକ କାଉଣ୍ଟର ଖୋଲିଛନ୍ତି ଜେଲ୍ କର୍ତ୍ତୃପକ୍ଷ। ଆଗକୁ ଜେଲ୍ ପରିସରରେ ବିଭିନ୍ନ ପ୍ରକାର ଲଘୁ ଉଦ୍ୟୋଗର ଶିକ୍ଷା ଦେବା ଏବଂ ଅନ୍ତେବାସୀଙ୍କ ଦ୍ବାରା ପ୍ରସ୍ତୁତ ସାମଗ୍ରୀର ବିକ୍ରୀବଟା ପାଇଁ ବଜାରର ବି ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ଜେଲ୍ ସୁପରିଟେଣ୍ଡେଣ୍ଟ ଲଲିତେନ୍ଦୁ ଭୁଷଣ ଦାଶ। ସ୍ବେଚ୍ଛାକୃତ ରକ୍ତଦାନ ଶିବିର ସାଙ୍ଗକୁ ସମାଜର ମୁଖ୍ୟଧାରାରେ ଏମାନେ ସାମିଲ ହେବା ବେଳେ ସେମାନଙ୍କ ମନରେ ଯେଭଳି କିଛି ଶୋଚନା ରହିବ ନାହିଁ ଏବଂ ଭଲ ମଣିଷ ହେବେ ସେ ପ୍ରୟାସ ଜାରୀ ରହିଛି ବୋଲି କହିଛନ୍ତି ଅଧିକ୍ଷକ।

ସମ୍ବନ୍ଧିତ ଖବର