ଭୁବନେଶ୍ବର: ରାଜ୍ୟର ବିଭିନ୍ନ ସ୍ଥାନରେ ଏବେ ଦୁଷ୍କର୍ମକାରୀଙ୍କ ଉପରେ କଡ଼ା ଅଭିମୁଖ୍ୟ ପ୍ରକାଶ ପାଇଛି। ସମ୍ବଲପୁରରେ ଜଣେ ଦୁଷ୍କର୍ମକାରୀଙ୍କୁ ୨୦ ବର୍ଷ ଜେଲ୍ ଦଣ୍ଡ ହୋଇଥିବା ବେଳେ କେନ୍ଦୁଝରର ଦୁଷ୍କର୍ମକାରୀଙ୍କୁ ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ହୋଇଛି। ସେହିପରି ବଲାଙ୍ଗୀରର ଜଣେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ଏବେ ପୁଲିସ୍‌ ଗିରଫ କରିଛି।

Advertisment

ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ୨୦ ବର୍ଷ ଜେଲ୍ ଦଣ୍ଡ

ସମ୍ବଲପୁର: ସମ୍ବଲପୁର ଧମା ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ପ୍ରଶାନ୍ତ ବାଗକୁ ଦୋଷୀ ସାବ୍ୟସ୍ତ କରାଯାଇଛି। ସ୍ବତନ୍ତ୍ର ପୋକ୍‌ସୋ ଜଜ୍‌ ଅଭିଳାଷ ସେନାପତି ବୁଧବାର ଏହି ମାମଲାରେ ଶୁଣାଣି କରି ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ ଜେଲ୍‌ ଦଣ୍ଡାଦେଶ ଓ ୧ ଲକ୍ଷ ଟଙ୍କା ଜରିମାନା ଆଦେଶ କକରିଛନ୍ତି। ଜରିମାନା ଅନାଦେୟ ହେଲେ ଅଧିକ ୬ ମାସ ଜେଲଦଣ୍ଡର ନିର୍ଦ୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ସଂପୃକ୍ତ ନାବାଳିକା ସ୍କୁଲ୍‌ ଯାଉଥିବା ସମୟରେ ଅଭିଯୁକ୍ତ ତାଙ୍କର ପିଛା କରୁଥିଲା। ଅଶ୍ଳୀଳ ମନ୍ତବ୍ୟ ଦେଇ ହଇରାଣ କରି ଆସୁଥିଲା। ଦିନେ ସୁଯୋଗ ପାଇ ନାବାଳିକାଙ୍କୁ ପ୍ରଶାନ୍ତ ଘରକୁ ନେଇଯାଇ ଦୁଷ୍କର୍ମ କରିଥିଲା। ତାପରଠୁ ନାବାଳିକାଙ୍କୁ ଭୟଭୀତ କରିବା ସହ ବାରମ୍ବାର ଦୁଷ୍କର୍ମ କରି ଚାଲିଥିଲା। ପ୍ରଶାନ୍ତ ଦିନେ କଲ୍‌ କରି ନାବାଳିକାଙ୍କୁ ଭୟ ଦେଖାଇ ଦୁଷ୍କର୍ମ କରିବାକୁ ଡାକିବା ସମୟରେ ନାବାଳିକାଙ୍କ ଜେଜେବାପା ଦେଖି ଦେଇଥିଲେ। ତାପରେ ନାବାଳିକା ତାଙ୍କୁ ସବୁ କଥା କହିଥିଲେ। ଏ ନେଇ ନାବାଳିକାଙ୍କ ବାପା ୨୦୨୦ ମେ’ ମାସ ୧୦ ତାରିଖ ଦିନ ଧମା ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରିଥିଲା। ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ୧୩ ଜଣ ସାକ୍ଷୀଙ୍କ ବୟାନ ରେକର୍ଡ କରାଯାଇ ବୁଧବାର ପ୍ରଶାନ୍ତକୁ ଦୋଷୀ ସାବ୍ୟସ୍ତ କରାଯାଇଛି। ଏହି ମାମଲାକୁ ସରକାରୀ ଓକିଲ ସନ୍ତୋଷ ପଣ୍ଡା ମାମଲା ପରିଚାଳନା କରିଥିଲେ।

ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ
କେନ୍ଦୁଝର: କେନ୍ଦୁଝର ଫାଷ୍ଟଟ୍ରାକ୍ କୋର୍ଟ ବିଚାରପତି ବିଜୟ କୁମାର ମିଶ୍ର ଏକ ଦୁଷ୍କର୍ମ ମାମଲାର ବିଚାର କରି କେନ୍ଦୁଝର ସଦର ଥାନା ଅନ୍ତର୍ଗତ କସିରା (ଅମୃତପଡ଼ା) ଗ୍ରାମର ଡିଡୁ ଓରଫ ସରୋଜ ମାଝୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରୋଜ ଜଣେ ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର ଦୁଷ୍କର୍ମ କରିଥିଲା। ଯୁବତୀଜଣକ ଗର୍ଭବତୀ ହେବା ପରେ ସେ ବିବାହ କରିବାକୁ ମନା କରିଥିଲା। ଗର୍ଭ ନଷ୍ଟ କରିବାପାଇଁ ଉଦ୍ୟମ କରିବାରୁ ପୀଡ଼ିତା କେନ୍ଦୁଝର ସଦର ଥାନାରେ ୨୦୧୫ ଫେବ୍ରୁଆରି ୨୪ରେ ଅଭିଯୋଗ କରିଥିଲେ। ଏନେଇ ପୁଲିସ କେସ୍‌ ନମ୍ବର ୫୦/୨୦୧୫ ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଥିଲା। ଏହି ମାମଲାରେ ବିଚାରପତି ୧୪ ଜଣ ସାକ୍ଷୀଙ୍କ ବୟାନ ଓ ପୁଲିସର ତଦନ୍ତ ରିପୋର୍ଟକୁ ଭିତ୍ତି କରି ଦୋଷୀକୁ ଦଫା ୩୭୬(୨) (ଏନ୍‌) ଓ ପୋକ୍ସୋ ଆଇନରେ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ଅଧିକ ୬ ମାସ ଜେଲ୍‌। ସେହିପରି ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନ କରିବାକୁ ନିର୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ରନାଥ ଜେନା ମାମଲା ପରିଚାଳନା କରୁଥିଲେ।